ବୈତରଣୀ ନଦୀର ବିଭିନ୍ନ ସ୍ଥାନରୁ ବେଇଆଇନ ବାଲି ଚାଲାଣ
ବାରିକପୁର,(ଓ୍ବାଇଏନ୍ଏସ୍): ଭଣ୍ଡାରିପୋଖରୀ ବ୍ଲକ ଦେଇ ପ୍ରବାହିତ ପୂର୍ଣ୍ଣତୟା ବୈତରଣୀ ନଦୀରୁ ଏବେ ବେଆଇନ ବାଲିଚାଲାଣ ଦୃତ ଗତିରେ ବୃଦ୍ଧିପାଇବାରେ ଲାଗିଛି । ନଦୀର ଝୁଟୁଣା, ଦାଦେଶ୍ୱର, ବନସ୍ତା, ନେରଡା, ଜଗନ୍ନାଥପ୍ରସାଦ, ମଣିନାଥପୁର ଅଞ୍ଚଳରୁ ଦିନ ଓ ରାତି ବେଳା ଟ୍ରାକ୍ଟର ଓ ଟ୍ରକ ଯୋଗେ ବାଲିଚାଲାଣ ହେଉଛି । ବିଶେଷକରି ଝୁଟୁଣା ଦାଦେଶ୍ୱର ସମେତ ସୁନାମୁହିଁ ଠାକୁରାଣୀ ନିକଟରୁ ସ୍ଥାନୀୟ ଲାଭଖୋର ବ୍ୟକ୍ତିମାନେ ବାଲି ଉତ୍ତୋଳନ କରି ବିଭିନ୍ନ ସ୍ଥାନକୁ ଚାଲାଣ କରୁଛନ୍ତି । ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମା ସୁନାମୁହିଁଙ୍କ ନିକଟବର୍ତ୍ତୀ ସ୍ଥାନରୁ ବେଆଇନ ବାଲିଚାଲାଣ ହେଉଥିବାରୁ ଏହା ମାଆଙ୍କ ମନ୍ଦିର ପାଇଁ ବିପଦ ଆଣିଦେଇଛି । ନିକଟ ଝୁଟୁଣା ଠାରୁ ମାଆଙ୍କ ମନ୍ଦିର ପାଶ୍ୱର୍ ଯାଏଁ ଏକ ପାଖିଆ ବାଲି ଉତ୍ତୋଳନ ହେଉଥିବା ଯୋଗୁ ନଦୀ କ୍ରମଶଃ ଦିଗ ବଦଳୁଥିବା ଦେଖାଯାଇଛି । ଏପରିକି ସୁନାମୁହିଁ ନିକଟ ପଠାକୁ ଲାଗି ବଡବଡ ପୋଖରୀ ସୃଷ୍ଟି ହୋଇ ନଈ ସହିତ ସଂଯୋଗ ହୋଇସାରିଲାଣି । ଗୋଟିଏ ପଟେ ଲକ୍ଷଲକ୍ଷ ଟଙ୍କାର ରାଜସ୍ୱ ହାନୀ ହେଉଥିବାବେଳେ ଅନ୍ୟପଟେ ବେଧଡକ ବାଲିଚାଲାଣ ଯୋଗୁ ମା ସୁନାମୁହିଁଙ୍କ ପୀଠ ପ୍ରତି ବିପଦ ମାଡି ଆସୁଛି । ଏତଦବ୍ୟତୀତ ପଡୋଶୀ ଯାଜପୁର ଜିଲ୍ଲା ଧନୀତରୀ, ରଣପାଳ, କ୍ଷୀର ସରସଦା ପ୍ରମୁଖ ସ୍ଥାନଦେଇ ଚୋରା ବାଲିଚାଲାଣ ହେଉଛି । ନଦୀର ଅପରପାଶ୍ୱର୍ରେ ଉନ୍ନତମାନର ବାଲିନଥିବାରୁ ବାଲିମାଫିଆ ମାନେ ସୀମା ଉଲଙ୍ଘନ କରି ଭଣ୍ଡାରିପୋଖରୀ ତହସିଲ ଅଧିନ ସ୍ଥାନରୁ ଶହଶହ ଟ୍ରିପ ବାଲି ଉଠାଉଛନ୍ତି । ଏହାପରେ ବି ଜଗନ୍ନାଥପ୍ରସାଦ, ମଣିନାଥପୁର, କୁମ୍ଭାରିଆ ପ୍ରମୁଖ ସ୍ଥାନ ମାନଙ୍କୁ ବାଲିଚାଲାଣ ଚାଲିଛି । ସବୁଠାରୁ ପରିତାପର ବିଷୟ ହେଲା ଚୋରା ବାଲି ଗାଡି ଗୁଡିକ ଦ୍ରୁତ ଗତିରେ ଯେଉଁସବୁ ଗ୍ରାମ୍ୟ ରାସ୍ତାରେ ଯାଉଛନ୍ତି ସେତେବେଳେ ଯେ କାହାର ଜୀବନ ଚାଲିଯିବ ତାହା କହିହେଉନାହିଁ । ତେଣୁ ଏଥିପ୍ରତି ଭଦ୍ରକ ଜିଲ୍ଲପାଳଙ୍କ ସମେତ ସ୍ଥାନୀୟ ତହସିଲ ଓ ପୋଲିସ ପ୍ରଶାସନ ଦୃଷ୍ଟିଦେବାକୁ ଦାବି ହେଉଛି ।


