ବର୍ଷିୟାନ ସାହିତ୍ୟିକ ନାରାୟଣ ସାମଲଙ୍କ ପରଲୋକ

ବାରିକପୁର,(ଓ୍ବାଇଏନ୍ଏସ୍): ଭଣ୍ଡାରିପୋଖରୀ ବ୍ଲକ ମାଳଦା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ତଥା ବର୍ଷିର୍ିୟାନ କବି ଓ ସାହିତ୍ୟିକ ନାରାୟଣଚନ୍ଦ୍ର ସାମଲଙ୍କର ଆଜି ପରଲୋକ ଘଟିଛି । ଗତ କିଛିଦିନ ପୂର୍ବରୁ ଏକ ଦୁର୍ଘଟଣାର ଶିକାର ହୋଇ ତାଙ୍କର ଗୋଡ ଭାଙ୍ଗିଯାଇଥିଲା । ମେଡିକାଲରେ ଚିକିତ୍ସିତ ହେବା ପରେ ବାସଭବନ ଠାରେ ରହି ବିଶ୍ରାମ ନେଉଥିଲେ । ଗତତିନିଦିନ ପୂର୍ବରୁ ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ କଟକ ମେଡିକାଲ ନିଆଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ରବିବାର ଦିନ ୧୨.୫ ମି. ତାଙ୍କର ପରଲୋକ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୭୬ବର୍ଷ ବୟସ ହୋଇଥିଲା । ସ୍ୱର୍ଗତ ସାମଲ ମାଳଦା ମଧ୍ୟ ଇଂରାଜୀ ବିଦ୍ୟାଳୟରୁ ଶିକ୍ଷକ ଭାବେ ଅବସର ନେବାପରେ ଦୀର୍ଘ ୧୬ବର୍ଷ ହେବ ସାହିତ୍ୟ ଜଗତରେ ସମ୍ପୂର୍ଣ୍ଣ ମନନିବେଶ କରିଥିଲେ । ବିଶେଷ କରି ସେ ବ୍ୟଙ୍ଗ କବି ଭାବେ ପରିଚିତ ଥିବାବେଳେ ବହୁ କବିତା, ଏଙ୍କାକିକା, ଗଳ୍ପ, କାହାଣୀ ଆଦି ଲେଖି ସେ ବେଶ ଉଚ୍ଚ ପ୍ରଶଂସିତ ହୋଇ ପାରିଥିଲେ । ଭଣ୍ଡାରିପୋଖରୀ ସାହିତ୍ୟ ସଂସଦ, ସାହିତ୍ୟଘର, ମଞ୍ଜୁରୀରୋଡ ସାହିତ୍ୟ ସଂସଦ, ଷୋଳମପୁର ହିମସାରମନା ସାହିତ୍ୟ ସଂସଦ ସହିତ ଓତପ୍ରୋତ ଭାବେ ଜଡିତ ଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ସମାଜସେବୀ ସୁବ୍ରତ ଦାସ, ବଦ୍ରୀନାରାୟଣ ଧଳ, ନାରିନେତ୍ରୀ ସୁଜାତା ଜେନା, ପ୍ରତ୍ୟୁଷ ସାମଲ, ଶିକ୍ଷାବିତ ଶରତ ଚନ୍ଦ୍ର ମହାପାତ୍ର, ମୁରଲିଧର ଦାସ ପ୍ରମୁଖ ମାଳଦା ଠାରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଏହା ସହିତ ମୃତ୍ୟୁ ଖବର ପାଇ ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ସାମଲ, ବ୍ଲକ ଅଧ୍ୟକ୍ଷା ମଂଜୁଶ୍ରୀ ବେହେରା, ବରିଷ୍ଠ କବି ଓ ସାହିତ୍ୟିକ ଅଚ୍ୟୁତାନନ୍ଦ ସାମଲ, ସ୍ତମ୍ବକାର କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ, ଶିକ୍ଷାବିତ ପୁରୁଷୋତ୍ତମ ଧଳ, ଅଞ୍ଜଳୀ ସମ୍ପାଦକ ପ୍ରକାଶ କିଶୋର ମହାପାତ୍ର, ଯୁବ ସାହିତ୍ୟିକ ବିଶ୍ୱମ୍ବର ରାଉତଙ୍କ ସମେତ ଭଣ୍ଡାରିପୋଖରୀ ସାହିତ୍ୟ ସଂସଦର କର୍ମକର୍ତ୍ତା, ମାଳଦା ଜଗନ୍ନାଥବଜାର ବଣିକ ସଂଘ ଓ ପ୍ରେସ କ୍ଲବର ସଦସ୍ୟମାନେ ଶୋକପ୍ରକଟ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ