ବୈଦ୍ୟୁତିକ ଯାନଗୁଡ଼ିକ ପାଇଁ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ପାଣ୍ଠି ସ୍ଥାପିତ ହେବ

ଭୁବନେଶ୍ୱର, (ୱାଇଏନ୍‍ଏସ୍‍): ରାଜ୍ୟ ସରକାରଙ୍କ ଦ୍ୱାରା ଓଡ଼ିଶା ବୈଦ୍ୟୁତିକ ଯାନ ନୀତି ୨୦୨୧ ଘୋଷିତ ହୋଇଛି ଏବଂ ଏହି ନୀତି ଅନୁଯାୟୀ ବିଭିନ୍ନ ବର୍ଗର ବୈଦ୍ୟୁତିକ ଯାନ କ୍ରୟ ନିମନ୍ତେ ସରକାର ବିଭିନ୍ନ ପ୍ରକାର ପ୍ରୋତ୍ସାହନ ୪ ବର୍ଷ ପର୍ଯ୍ୟନ୍ତ ଯୋଗାଇଦେବାକୁ ବ୍ୟବସ୍ଥା କରୁଛନ୍ତି ବୋଲି ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି । ଏହିସବୁ ପ୍ରୋତ୍ସାହନ ଯୋଗାଇଦେବା ପାଇଁ ସରକାର ଖୁବ୍ ଶୀଘ୍ର ଏକ ‘ବୈଦ୍ୟୁତିକ ଯାନ ପାଣ୍ଠି’ ସ୍ଥାପନ କରିବାକୁ ଯାଉଛନ୍ତି ।
ଦୁଇଚକିଆ ବୈଦ୍ୟୁତିକ ଯାନ କ୍ରୟ ପାଇଁ ଗାଡ଼ି ମୂଲ୍ୟର ୧୫ ପ୍ରତିଶତ ଏବଂ ସର୍ବୋଚ୍ଚ ୫୦୦୦ ଟଙ୍କା, ତିନିଚକିଆ ପାଇଁ ଗାଡ଼ି ମୂଲ୍ୟର ୧୫ ପ୍ରତିଶତ ଏବଂ ସର୍ବୋଚ୍ଚ ୧୦ ହଜାର ଟଙ୍କା ତଥା ଚାରିଚକିଆ ଯାନ ପାଇଁ ଗାଡ଼ି ମୂଲ୍ୟର ୧୫ ପ୍ରତିଶତ ଓ ସର୍ବୋଚ୍ଚ ୫୦ ହଜାର ଟଙ୍କାର ପ୍ରୋତ୍ସାହନ ପ୍ରଦାନ କରାଯିବ । ବସ୍ କ୍ରୟ ନିମନ୍ତେ ଗାଡ଼ି ମୂଲ୍ୟର ୧୦ ପ୍ରତିଶତ ଏବଂ ସର୍ବୋଚ୍ଚ ୪ ଲକ୍ଷ ଟଙ୍କା ପ୍ରୋତ୍ସାହନ ଯୋଗାଇଦେବାକୁ ଥିବାବେଳେ ମାଲବାହୀ ଯାନ ପାଇଁ ୩୦ ହଜାର ଟଙ୍କାର ପ୍ରୋତ୍ସାହନ ଦିଆଯିବ ।
ଯଦି କେହି ନିଜସ୍ୱ ବ୍ୟବହାର ପାଇଁ ବୈଦ୍ୟୁତିକ ଗାଡ଼ି କିଣିବାକୁ ଋଣ କରିବେ ତେବେ ଋଣ ଉପରେ ୫ ପ୍ରତିଶତ ସୁଧ ଛାଡ଼ କରାଯିବ । ନିର୍ଦ୍ଧାରିତ ସମୟ ମଧ୍ୟରେ ସବୁବର୍ଗର ବୈଦ୍ୟୁତିକ ଯାନର ପଂଜୀକରଣ ଓ ମୋଟର ଯାନ ଟିକସ ଦେୟ ମଧ୍ୟ ଛାଡ଼ କରାଯିବାର ବ୍ୟବସ୍ଥା କରାଯାଉଛି ।
ବୈଦ୍ୟୁତିକ ଯାନ ନିର୍ମାଣ କରୁଥିବା ସଂସ୍ଥାଗୁଡ଼ିକୁ ଶତପ୍ରତିଶତ ନିଟ୍ ଏସ୍‌ଜିଏସ୍‌ଟି ଛାଡ଼ କରାଯିବ ଏବଂ ଅଣୁ, ମଧ୍ୟମ ଓ କ୍ଷୁଦ୍ର ନୀତି-୨୦୧୬ ଅନୁସାରେ ସମସ୍ତ କ୍ଷୁଦ୍ର ଓ ଅଣୁ ବ୍ୟାଟେରୀ ଉଦ୍ୟୋଗମାନଙ୍କୁ ପ୍ରୋତ୍ସାହନ ମିଳିବ । ଏହି ଉଦ୍ୟୋଗୀମାନଙ୍କ ନିମନ୍ତେ ବ୍ୟାଟେରୀ ଉତ୍ପାଦନ ପାଇଁ ଷ୍ଟାର୍ଟଅପ୍ ପଲିସି ଅନୁଯାୟୀ ସମସ୍ତ ସୁବିଧା ଉପଲବ୍ଧ ହେବ । ସେହିପରି ବିଭିନ୍ନ ସହରଗୁଡ଼ିକରେ ବୈଦ୍ୟୁତିକ ଯାନଗୁଡ଼ିକ ପାଇଁ ରହିଥିବା ପାର୍କିଂ ଫିସ୍‌ରେ ରିହାତି ମିଳିବ । ବ୍ୟାଟେରୀ ଚାର୍ଜିଂ ଷ୍ଟେସନ୍‌ଗୁଡ଼ିକୁ ବିଦ୍ୟୁତ ଶୁଷ୍ଠ ନିମନ୍ତେ ମଧ୍ୟ ରିହାତି ଦିଆଯିବାର ବନ୍ଦୋବସ୍ତ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ