ବୋଲେର-ଅଟୋ ଧକ୍କାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା, ୨ ଆହତ
ଯୋଡା, (ସମୀର କୁମାର ଦାସ):ଯୋଡା ସହରର କମାରଯୋଡା-ବିଚାକୁଣ୍ଡି ରାସ୍ତା କଡରେ ଥିବା ଏକ ଠିକାସଂସ୍ଥା କାର୍ଯ୍ୟାଳୟ ସମ୍ମୁଖରେ ବୋଲେର ଓ ଅଟୋ ଧକ୍କାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ଘଟି ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଥିବା ଖବର ହସ୍ତଗତ ହୋଇଛି । ଘଟଣାସ୍ଥଳରୁ ଜଣାପଡିଛି ଯେ, ସୋମବାର ପୂର୍ବାହ୍ନ ୧୦.୩୦ ମିନିଟ୍ ସମୟରେ କମାରଯୋଡା-ବିଚାକୁଣ୍ଡି ରାସ୍ତା କଡରେ ଡିପି ସିଂ ନାମକ ଠିକାସଂସ୍ଥା ର କାର୍ଯ୍ୟାଳୟରୁ ଏକ ବୋଲେର ନଂ-ଓଡି ୦୫ ଜେ ୫୫୮୬ ପଛେଇ ବାହାରୁଥିବା ବେଳେ ଏହି ରାସ୍ତାଦେଇ ଅତିକ୍ରମ କରୁଥିବା ଅଟୋ ନଂ-ଓଡି ୦୯ ଜି ୬୪୬୨ କୁ ଧକ୍କା ଦେଇଥିଲା । ଫଳରେ ବୋଲେର ଡ୍ରାଇଭର ଓ ଅଟୋ ଡ୍ରାଇଭର ମଧ୍ୟରେ ବଚସା ହୋଇଥିଲା । ଅଟୋ ଡ୍ରାଇଭର ସେଠାରୁ ଫେରିଆସି ତାଙ୍କର ୪ ଜଣ ସହଯୋଗୀଙ୍କୁ ନେଇ ଠିକାସଂସ୍ଥା କାର୍ଯ୍ୟାଳୟରେ ପହଁଚି ଲୁହାରୋଡ ସାହାଯ୍ୟରେ ସେଠାରେ ଥିବା ୩ ଜଣ କର୍ମଚାରୀଙ୍କୁ ଅତର୍କିତଭାବେ ମାଡ ମାରିଥିଲେ । ସେମାନଙ୍କ ମଧ୍ୟରୁ ଦିବ୍ୟାସ ସିଂ(୩୦) ଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ରବି କିରଣ ସିଂ ଓ ଜଣେ ସୁରକ୍ଷା କର୍ମୀ ଗୁରୁତର ଆହତ ହୋଇଥିଲେ । ମୃତ ଦିବ୍ୟାସ ସିଂ ଙ୍କ ଘର ଉତରପ୍ରଦେଶ ରାଜ୍ୟର ଜନପୁର ଜିଲା କୋଟଲ ଥାନା ଅଂଚଳରେ ଏବଂ ସେ ଯୋଡାରେ ରହି ଠିକାସଂସ୍ଥାରେ କାର୍ଯ୍ୟ କରୁଥିବା ପୋଲିସ ସୂଚନା ଦେଇଛି । ଏ ସମ୍ପର୍କରେ ଠିକାସଂସ୍ଥା କାର୍ଯ୍ୟାଳୟ ପକ୍ଷରୁ ଯୋଡା ପୋଲିସ୍ ପାଖରେ ଅଭିଯୋଗ ହେବାପରେ ବଡବିଲ ଏସ୍ଡିପିଓ ହିମାଂଶୁ ବେହେରା ଓ ଯୋଡା ଥାନା ଆଇଆଇସି ରାଇସେନ ମୁର୍ମୁ ସଦଳବଳେ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିବା ସହିତ ଗୁରୁତର ଆହତଙ୍କୁ ଡାକ୍ତରଖାନାରେ ଭର୍ତି କରାଇଥିଲା । ଯୋଡା ଥାନାରେ ଏ ନେଇ ଏକ ହତ୍ୟା ମାମଲା ନଂ-୩୦/୨୦୨୧ ରୁଜୁ କରି ୪ ଅଭିଯୁକ୍ତଙ୍କୁ ଅଟକ ରଖିଥିବା ଯୋଡା ଥାନା ଆଇଆଇସି ମୁର୍ମୁ ସୂଚନା ଦେଇଛନ୍ତି ।