ବ୍ରହ୍ମପୁର ବାଳ ସୁଧାର ଗୃହର ୧୪ ଅନ୍ତେବାସୀ କୋରନା ପଜିଟିଭ

ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ):ଗଞ୍ଜାମ ଜିଲ୍ଲାରେ କରୋନାକୁ ନେଇ ଲୋକେ ଭୟଭୀତ ହୋଇ ରହିଛନ୍ତି। ରବିବାର ପୁଣି ବ୍ରହ୍ମପୁର ବାଳ ସୁଧାର ଗୃହର ୧୪ ଅନ୍ତେବାସୀ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ବ୍ରହ୍ମପୁର ମହାନଗର ନିଗମ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର ଟୁଇଟ୍‌ ମାଧ୍ୟମରେ ସୂଚନା ଦେଇଛନ୍ତି। ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ୫୦ ଅନ୍ତେବାସୀ ପଜିଟିଭ ଚିହ୍ନଟ ହୋଇଥିଲେ। ପୁଣି ୧୪ ଆକ୍ରାନ୍ତ ହେବା ପରେ ବର୍ତ୍ତମାନ ପଜିଟିଭ୍‌ଙ୍କ ସଂଖ୍ୟା ୬୪ରେ ପହଞ୍ଚିଛି। ଏହା ଜଣାପଡିବା ପରେ କେତେଜଣ କର୍ମଚାରୀଙ୍କ ନମୁନା ମଧ୍ୟ ସଂଗ୍ରହ କରାଯାଇଛି। ସେମାନଙ୍କ ରିପୋର୍ଟ ଆସି ନ ଥିବା ସୂଚନା ମିଳିଛି। ସୁଧାର ଗୃହରୁ ଗତ ୧ ତାରିଖରେ ୪୫ ଅନ୍ତେବାସୀ ପଜିଟିଭ ଚିହ୍ନଟ ହୋଇଥିଲେ। ଜଣଙ୍କୁ ଥଣ୍ଡା, ଜ୍ୱର ହେବାରୁ ସେଠାରେ ଥିବା ୭୫ ନାବାଳକଙ୍କ ସ୍ବାବ୍‌ ନମୁନା ପରୀକ୍ଷା କରାଯାଇଥିଲା। ସେଥିରୁ ପ୍ରଥମ ପର୍ଯ୍ୟାୟରେ ୪୫ ଓ ଦ୍ୱିତୀୟ ପର୍ଯ୍ୟାୟରେ ୫ ପଜିଟିଭ ଚିହ୍ନଟ ହୋଇଥିଲେ। ସୁଧାର ଗୃହରେ ତାଙ୍କୁ ସଙ୍ଗରୋଧରେ ରଖାଯାଇ ଚିକିତ୍ସା କରାଯାଇଥିଲା। ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଡାକ୍ତରୀ ଦଳ ସୁଧାର ଗୃହକୁ ଯାଇ ନାବାଳକଙ୍କ ଚିକିତ୍ସା କରିଥିଲେ। ଗତ କିଛିଦିନ ତଳେ ପୁଣି କେତେଜଣ ନାବାଳକଙ୍କୁ ଥଣ୍ଡା, ଜ୍ୱର ହେବାରୁ ୫୩ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିଲା। ରବିବାର ୧୪ ନାବାଳକ ଆକ୍ରାନ୍ତ ହୋଇଥିବା ସୂଚନା ଦିଆଯାଇଛି। ସେମାନଙ୍କୁ ମଧ୍ୟ ସୁଧାର ଗୃହରେ ଚିକିତ୍ସା କରାଯିବ ବୋଲି ଜଣାପଡିଛି। ବାଳସୁଧାର ଗୃହ ଅଧୀକ୍ଷକ ପି. କେ. ହର କୁହନ୍ତି ଗତ ୧୩ ତାରିଖରେ ୫୩ ଅନ୍ତେବାସୀ ଓ ୧୬କର୍ମଚାରୀଙ୍କ ସ୍ବାବ୍‌ ସଂଗ୍ରହ କରାଯାଇଥିଲା। ଏଯାବତ ସେ ସମ୍ପର୍କରେ ଆମ ନିକଟକୁ କୌଣସି ସୂଚନା ଆସିନାହିଁ। ପୂର୍ବରୁ ଆକ୍ରାନ୍ତ ଅନ୍ତେବାସୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଛି। ପୂର୍ବରୁ ଜଣେ ଷ୍ଟାଫ ତାଙ୍କ ମା ଙ୍କ ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ଯାଇଥିବା ବେଳେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ପରେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ସେ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ