ବ୍ରହ୍ମପୁର ରିଙ୍ଗ୍ ରୋଡ୍ ସକାଶେ କାର୍ଯ୍ୟ ଶୁଭାରମ୍ଭ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) : ବ୍ରହ୍ମପୁର ସହରର ଚତୁଃପାର୍ଶ୍ୱରେ ରିଙ୍ଗ୍ ରୋଡ୍ ନିର୍ମାଣ ସକାଶେ ସହର ବାସୀଙ୍କର ଅନେକ ଦିନର ଦାବୀ ପୂରଣ ହେବାକୁ ଯାଉଛି । ଆଜି ପୂର୍ବାହ୍ନରେ କୁସୁମୀ ଠାରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଉପସ୍ଥିତ ରହି ଭୂମି ପୂଜନ କରି ଏହି କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଜଣାଇଥିଲେଯେ, ରିଙ୍ଗ ରୋଡ୍ ହେବା ଦ୍ବାରା ବ୍ରହ୍ମପୁର ସହରର ଟ୍ରାଫିକ୍ ସମସ୍ୟା ଅନେକାଂଶରେ ସୁଧାର ଆସିବ । ଲୋକଙ୍କ ଯାତାୟତ ଦିଗରେ ଦେଖାଯାଉଥିବା ସମସ୍ୟାର ସମାଧାନ ହୋଇ ପାରିବ । ଜାତୀୟ ରାଜପଥ ୧୬ ଠାରୁ ୫.୧୯କିଲୋମିଟର ନିମନ୍ତେ ଟେଣ୍ଡର ଡକାଯାଇ କାର୍ଯ୍ୟ ଆରମ୍ଭ ହୋଇଛି । ଯେଉଁଥିରେ ୨୦.୭୧ କୋଟି ଟଙ୍କା ବିନିଯୋଗ ହେବ । ମହୁଡା, କୁମାରପୁର,କୁସୁମୀ,ଗୋବିନ୍ଦପୁର-୧,ଗୋବିନ୍ଦପୁର-୨, ମନୋହରା, ମଦନ ମୋହନ ଗ୍ରାମ ଗୁଡିକ ଦେଇ ଏହି ରାସ୍ତା ନିର୍ମାଣ ହେବ । ଏହି ରିଙ୍ଗ୍ ରୋଡ୍ ରେ ୧୦୦୦ମିଟର ରେଲଓ୍ବେ ଫ୍ଲାଏ ଓଭର ବ୍ରିଜ୍ ନିର୍ମାଣ ହେବ । ଏହି ଭୂମିପୂଜନ ସମୟରେ ବ୍ରହ୍ମପୁର ଉପଜିଲ୍ଲାପାଳ ଓ୍ବ କୀର୍ତ୍ତି ଓ୍ବାସନ୍, କୁକୁଡା ଖଣ୍ଡି ତହସିଲଦାର୍ କଲ୍ୟାଣୀ ସଂଘମିତ୍ରା ଦେବୀ, ରାସ୍ତା ଓ କୋଠାବାଡି ବିଭାଗ ନଂ-୧ର ନିର୍ବାହୀ ଯନ୍ତ୍ରୀ ବଙ୍କିମ ଚନ୍ଦ୍ର ପଣ୍ଡା, ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟ ରଞ୍ଜନ ପରିଡା ପ୍ରମୁଖ ଅଧିକାରୀଗଣ ଉପସ୍ଥିତ ଥିଲେ ।