ବ୍ରହ୍ମପୁର ସାଂସଦଙ୍କ କୋଭିଡ୍ ମୁକାବିଲା ସମୀକ୍ଷା: କୋଭିଡ୍ ହସ୍ପିଟାଲ ପାଇଁ ୫୦ଲକ୍ଷ ମଞ୍ଜୁର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଗ୍ରସ୍ତରେ ଆସି କରୋନା ମୁକାବିଲାର ସମୀକ୍ଷା କରିଛନ୍ତି । ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକ ଅନ୍ତର୍ଗତ ରାଜ ସୀତାପୁର ଠାରେଥିବା କୋଭିଡ ହସ୍ପିଟାଲର ଉନ୍ନୟନ ପାଇଁ ସାଂସଦ ପାଣ୍ଠିରୁ ୫୦ଲକ୍ଷ ଟଙ୍କା ମଞ୍ଜୁର କରିଥିବା ପ୍ରକାଶ କରିଛନ୍ତି । ସେହିପରି ରାଜ୍ୟ ବିପର୍ଯ୍ୟୟ ପରିଚାଳନା କମିଟିର ସେ ଏକ ସଦସ୍ୟ ହୋଇଥିବାରୁ ଆଗାମୀ ଦିନରେ ରାଜ୍ୟସ୍ତରୀୟ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହେବ ସେ ସେଥିରେ ଯୋଗ ଦେଇ ଗଜପତି ଜିଲ୍ଲାର ବିଭିନ୍ନ ବିପର୍ଯ୍ୟୟ ପରିଚାଳନା ବିଷୟରେ ନିଜର ମତ ରଖିବେ । ଏଥି ପାଇଁ ଗଜପତି ଜିଲ୍ଲା ପ୍ରଶାସନ ଠାରୁ ଏଠାରେ ସଂଗଠିତ ବିଭିନ୍ନ ବିପର୍ଯୟ ସମସ୍ତ ତଥ୍ୟ ସଂଗ୍ରହ କରାଗଲା ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ମୁକାବିଲା ପାଇଁ ଯେଉଁ ଭଳି ପଦକ୍ଷେପ ନେଉଛନ୍ତି ତାକୁ ସେ ସ୍ୱାଗତ କରିବା ସହ ଗଜପତି ଜିଲ୍ଲା ପ୍ରଶାସନକୁ ମଧ୍ୟ କରୋନା ମୁକାବିଲାପାଇଁ ସାଧୁବାଦ ଜଣାଇଛନ୍ତି । ଆଗାମୀ ଦିନରେ ବିପର୍ଯ୍ୟୟ ମୁକାବିଲା ପାଇଁ ଗଜପତି ଜିଲ୍ଲାରେ ଆହୁରି ଅନେକ ପଦକ୍ଷେପ ସରକାରଙ୍କ ପକ୍ଷରୁ ନିଆଯିବ ବୋଲି ସେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅନୁପମ ସାହା, ଜିଲ୍ଲା ଆରକ୍ଷୀ ଅଧିକ୍ଷିକା ସାରା ଶର୍ମା, ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ, ଜିଲ୍ଲା ଯୁବ ସଭାପତି ଏସ୍.ଲିଙ୍ଗରାଜ, ଯୁବରାଣୀ କଲ୍ୟାଣୀ ଦେବୀ, ବରିଷ୍ଠ ନେତା ବସନ୍ତ ଦାସ, ରାମନାଥ ମିଶ୍ର, ଅନ୍ତର୍ଯ୍ୟାମୀ ଗମାଙ୍ଗ, ନଗର ସଭାପତି ସୂର୍ଯ୍ୟ ନାରାୟଣ ରାଜଗୁରୁ,ଜିଲ୍ଲା ମହିଳା କାର୍ଯ୍ୟକାରୀ ସଭା ନେତ୍ରୀ ସଂଜୁକ୍ତା ବେହେରା ପ୍ରମୁଖ ଯୋଗ ଦେଇଥିଲେ ।