ବ୍ରହ୍ମାସ୍ତ୍ର ପୂର୍ବରୁ ଆସିଥାନ୍ତା ରଣବୀର-ଆଲିଆଙ୍କ ଯୋଡ଼ି
ମୁମ୍ବାଇ : ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଫିଲ୍ମ ବ୍ରହ୍ମାସ୍ତ୍ରକୁ ନେଇ ବହୁ ଚର୍ଚ୍ଚା ଜୋର ଧରିଛି । ଏହି ଫିଲ୍ମ ଜରିଆରେ ଏହି ଦୁଇ ପ୍ରେମୀ ଯୁଗଳ ପ୍ରଥମ ଥର ପାଇଁ ବଡ଼ ପରଦାରେ ଏକାଠି ହେଉଛନ୍ତି । ଦୁହିଁଙ୍କୁ ଏକତ୍ର ଦେଖିବା ଲାଗି ତାଙ୍କ ଫାନ୍ ମଧ୍ୟ ବହୁ ଉତ୍ସୁକତାର ସହ ଅପେକ୍ଷା କରି ରହିଛନ୍ତି । କିନ୍ତୁ କ’ଣ ଆପଣ ଜାଣନ୍ତି ରଣବୀର ଏବଂ ଆଲିଆ ଦୁହେଁ ପ୍ରଥମ ଥର ଲାଗି ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମରେ କାମ କରିଥାନ୍ତେ । ହଁ ଏହି ଫିଲ୍ମ ଲାଗି ଦୁହିଁଙ୍କର ଫଟୋସୁଟ୍ ମଧ୍ୟ ହୋଇସାରିଥିଲା । ରିପୋର୍ଟ ମୁତାବକ, ରଣବୀର ବହୁଦିନ ତଳେ ମିଡ଼ିଆକୁ ଦେଇଥିବା ଏକ ଇଣ୍ଟର୍ଭ୍ୟୁରେ ଆଲିଆଙ୍କ ସହ ନିଜର ପ୍ରଥମ ଫିଲ୍ମ ବିଷୟରେ ସୂଚନା ଦେଇଥିଲେ । ରଣବୀର କହିଥିଲେ ଯେ, ଆଲିଆଙ୍କ ସହ ତାଙ୍କର ପ୍ରଥମ ଫିଲ୍ମ ପୂର୍ବରୁ ଡିସାଇଡ୍ ହୋଇସାରିଥିଲା । ଏହି ଫିଲ୍ମଟି ଥିଲା ଡାଇରେକ୍ଟର ସଞ୍ଜୟ ଲୀଲା ଭସାଲୀରଙ୍କ ଫିଲ୍ମ ‘ବାଲିକା ବଧୂ’ । ସେତେବେଳେ ରଣବୀରଙ୍କୁ ୨୦ ବର୍ଷ ଏବଂ ଆଲିଆଙ୍କୁ ୧୨ ବର୍ଷ ହୋଇଥିଲା । ସୂଚନା ମିଳିଛି ଯେ, ସଞ୍ଜୟ ଉଭୟଙ୍କୁ ନେଇ ପୁଣି ଥରେ ‘ବାଲିକା ବଧୂ’ ନିର୍ମାଣ କରିବାକୁ ଚିନ୍ତା କରୁଛନ୍ତି । ଅୟାନ୍ ମୁଖାର୍ଜୀଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ରଣବୀର ଆଲିଆଙ୍କ ବ୍ୟତୀତ ଅମିତାଭ ବଚ୍ଚନ, ଡିମ୍ପଲ କପାଡିଆ, ମୌନୀ ରୟ, ସାଉଥ୍ ସୁପର୍ଷ୍ଟାର ନାଗାର୍ଜୁନ ମୁଖ୍ୟ ଭୂମିକାରେ ଦେଖାଦେବେ । ସୂଚନା ଥାଉ ଯେ, ଫିଲ୍ମର ସୁଟିଂ ଜୋର୍ସୋର୍ରେ ମନାଲିରେ ଚାଲିଛି ।