ବ୍ରାଉନ ସୁଗର୍ ଜବତ,ମୋନା ତରଫରୁ ପୋଲିସକୁ ଧନ୍ୟବାଦ
ବାଲେଶ୍ୱର , (ଯୁଗାବ୍ଦ ନ୍ୟୁଜ୍ ) : ବାଲେଶ୍ୱର ଜିଲ୍ଲାରେ ଦ୍ରୁତ ଗତିରେ ବଢି ଚାଲିଛି ଧଳାଜହର ବ୍ୟବସାୟ । ଫୁଲାଡି, ବାଲିଘାଟ ଗୁଜୁରୀବଜାର, ଅରଡ଼ବଜାର ଓ ରେଳୱେ ଲାଇନ୍ କଡ଼ରେ ଉକ୍ରଟ ନିଶା ଦ୍ରବ୍ୟର କାରବାର ଅତ୍ୟନ୍ତ ଉଦ୍ବେଗଜନକ ଭାବେ ବୃଦ୍ଧି ପାଇଛି । ଆମ ରାଜ୍ୟରେ ବାଲେଶ୍ୱର ନିଶା ବ୍ୟବସାୟୀଙ୍କ ‘ହବ’ ଭାବରେ ପରିଗଣିତ ହୋଇଛି । ଶିଶୁ ଓ ମହିଳାମାନଙ୍କୁ ଏହି କାରବାରରେ ବିନିଯୋଗ କରାଯାଉଛି । ସଂପ୍ରତି ପୋଲିସ ପକ୍ଷରୁ ପ୍ରାୟ ଦେଢ଼କୋଟି ଟଙ୍କାର ବ୍ରାଉନ ସୁଗାର ବାଲେଶ୍ୱର ସହରରୁ ଜବଦ୍ ହୋଇଥିବାରୁ ‘ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ’ ବାଲେଶ୍ୱର ଶାଖା ପକ୍ଷରୁ ପୋଲିସର କାର୍ଯ୍ୟାନୁଷ୍ଠାନକୁ ଧନ୍ୟବାଦ ଜ୍ଞାପନ କରାଯାଇଛି । ନିଶା ସମ୍ବନ୍ଧରେ ଥିବା ଆଇନ୍କୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରାଯାଉଛି । ଜନସାଧାରଣ ଓ ନିଶା ବିରୋଧି ସଂଗଠନମାନେ ଏଥିରେ ସକ୍ରିୟ ଭାବେ ସହଯୋଗ କରିବାକୁ ‘ମୋନା’ ପକ୍ଷରୁ ନିବେଦନ କରାଯାଉଛି । ନିଶା ସମାଜର ଯୁବବର୍ଗଙ୍କୁ ବିିପଥଗାମୀ କରାଉଛି । ନିଶାସକ୍ତମାନେ ସମାଜରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି । ବାଂଲାଦେଶୀ ଅନୁପ୍ରବେଶକାରୀମାନେ ପଶ୍ଚିମବଙ୍ଗରୁ ‘ଆମ୍ବଳିଅଠା ଓ ଲକ୍ଷ୍ମଣନାଥ ଚେକଗେଟ୍’ ଦେଇ ବାଲେଶ୍ୱରକୁ ତାଙ୍କର ବ୍ୟବସାୟ କେନ୍ଦ୍ରଭାବେ ବ୍ୟବହାର କରୁଥିବାରୁ ପୋଲିସ ଓ ଅବକାରୀ ବିଭାଗ ଏଥିପ୍ରତି ଅଧିକ ସତର୍କ ନରହିବାରୁ ନିଶା ସମ୍ରାଟମାନେ ଅନାୟସରେ ଏହି ବ୍ୟବସାୟ ଚଳାଉଛନ୍ତି । ତେଣୁ ଏଥିପ୍ରତି ସମସ୍ତେ ଦଳମତ ନିର୍ବିଶେଷରେ ଧ୍ୟାନଦେବା ଅତ୍ୟନ୍ତ ଜରୁରୀ ବୋଲି ମୋନା ବାଲେଶ୍ୱର ଶାଖା ତରଫରୁ ନିବେଦନ କରାଯାଇଛି ।