ବ୍ଲକ ସ୍ତରୀୟ ପଂଚାୟତିରାଜ ଦିବସ ସମାରୋହ
କେନ୍ଦ୍ରାପଡା : ପଂଚାୟତସମିତି ଆନୁକୁଲ୍ୟରେ ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ଗୁରୁବାର ପୂର୍ବାହ୍ନରେ ବ୍ଲକ ସ୍ତରୀୟ ପଂଚାୟତିରାଜ ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ବରିଷ୍ଠ ଶିକ୍ଷାବୀତ ଭଜକୃଷ୍ଣ ରାଉତ ମୁଖ୍ୟ ଅତିଥି ଓ ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ଡଃ.ବାସୁଦେବ ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଭଳି ଯୋଗଜନ୍ମା ପୁରୁଷ ଓଡିଶାରେ ଜନ୍ମ ନେଇ ଆମ ରାଜ୍ୟର ବିକାଶକୁ ସମୃଦ୍ଧ କରିଛନ୍ତି । ତାଙ୍କଭଳି ଦୁଃସାହସିକ, ବୀର, ଯୋଦ୍ଧା, ସ୍ୱାଭିମାନି ଓ ଉଚ୍ଚାକାଙ୍ଖି ନେତା ଓଡିଶାର ସାଧାରଣ ଜନତାଙ୍କ ପାଇଁ ସର୍ବଦା ଚିନ୍ତା କରୁଥିବା ଜନନାୟକ ଆମ ରାଜ୍ୟର ନାମକୁ ସ୍ୱନାକ୍ଷରରେ ଲିପିବଦ୍ଧ କରିଯାଇଛନ୍ତି । କେବଳ ସାରା ଦେଶରେ ନୁହେଁ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ସେ ବୀରତ୍ୱ ପ୍ରଦର୍ଶନ କରି ଇଣ୍ଡୋନେସିଆରୁ ସୁକର୍ଣ୍ଣଙ୍କୁ ଉଦ୍ଧାର କରିଥିବା ଭଳି ସୁନାମ ରହିଛି ବୋଲି ମତବ୍ୟକ୍ତ କରିଥିଲେ । ବ୍ଲକ ଅଧ୍ୟକ୍ଷ ଶ୍ରୀ ଧଳ କହିଥରଲେ ଯେ ଆଜି ତାଙ୍କ ଜନ୍ମଦିବସ ଅବସରରେ ସେହି ମହାନ ବ୍ୟକ୍ତିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହୋଇ ସାଧାରଣ ଜନତାଙ୍କ ସେବାକୁ ପ୍ରାଧାନ୍ୟ ଦେବାକୁ ଉପସ୍ଥିତ ଜନପ୍ରତିନିଧି ଓ ସରକାରୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଉଦ୍ୟାନ,ଖେଳପଡିଆ,ପାଠାଗାର ସମେତ ବନିକରଣ କାର୍ଯ୍ୟକରି ଲୋକମାନଙ୍କୁ କାମଦେବା ସହିତ ଗ୍ରାମାଚଂଳକୁ ସହରାଚଂଳ ଭଳି ସୁବିଧାସୁଯୋଗ ଯୋଗାଇ ଦିଆଯିବ । ଏଥିସହିତ ଆମ ଅଚଂଳଟି ଜଳକ୍ଳିଷ୍ଟ ଅଚଂଳ ଭାବେ ଚିହ୍ନଟ ହୋଇଥିବାରୁ ସେଥିପ୍ରତି ଆମକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରିବାକୁ ପଡିବା ସହ ଆମ ଅଚଂଳକୁ ପଲିଥିନ ଏବଂ ପ୍ଲାଷ୍ଟିକମୁକ୍ତ କରି ଏକ ସ୍ୱଛ, ସୁନ୍ଦର ଓ ସବୁଜ ପରିବେଶ ଗଢିତୋଳିବାକୁ ପଡିବ ବୋଲି ଅଧ୍ୟକ୍ଷ ଶ୍ରୀ ଧଳ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଆସନ୍ତା ଶନିବାର ପୂର୍ବାହ୍ନ ୯ଟା ସମୟରେ ବ୍ଲକର ବିଜୁ ପଟ୍ଟନାୟକ ସମ୍ମୀଳନୀ କକ୍ଷରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହେବ ବୋଲି ଅଧ୍ୟକ୍ଷ ସୂଚନା ଦେଇଥିଲେ । ବ୍ଲକ ବିଡିଓ ସୁଧିର କୁମାର ସିଂ, ସହକାରୀ ଯନ୍ତ୍ରୀ ପରମାନନ୍ଦ ନାୟକ ଓ ଆକୁଳି ଚରଣ ସାହୁ, ଗ୍ରାମପଂଚାୟତ ସଂପ୍ରସାରଣ ଅଧିକାରୀ ଅନିରୁଦ୍ଧ ରାଉଳ ପ୍ରମୁଖ ମଂଚାସୀନ ଥିଲେ । ଶେଷରେ ବ୍ଲକ ଉପାଧ୍ୟକ୍ଷା ସ୍ନେହଲତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସରପଂଚ ପୀତବାସ ବେହେରା, ସମିତିସଭ୍ୟ ପ୍ରସନ୍ନ କୁମାର ରାଉତ, ହେମନ୍ତ ବିଶ୍ୱାଳ, ସନ୍ତୋଷ ବେହେରା, ମନୋଜ ଦାସ, କାଂଚନ ଲେଙ୍କା, ମମତା ମଳିକ, ଯୁବନେତା ପ୍ରମୋଦ ପ୍ରଧାନ, ଦୈତାରୀ ଜେନା, ଶରତ ସାମଲ, ତ୍ରୈଲୋକ୍ୟ ମହାନ୍ତି, ଗୋଲଖ ମଳିକଙ୍କ ସମେତ ସମିତିସଭ୍ୟ/ସଭ୍ୟା, ବୁଦ୍ଧିଜୀବି ଓ ବ୍ଲକ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।