ବ୍ଲକ ସ୍ତରୀୟ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ନେଇ ପ୍ରସ୍ତୁତି
ବନ୍ତ(ଯୁଗାଦ୍ଧ ନ୍ୟୁଜ୍):ବନ୍ତ ବ୍ଲକ ଆଗରପଡାସ୍ଥିତ କୃଷ୍ଣ ଚରଣ ବିଦ୍ୟା ମନ୍ଦିର ପରିସରରେ ଆସନ୍ତା ଶନିବାର ୧୦ମ ପର୍ଯ୍ୟାୟ ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହେବା ନେଇ ବ୍ଲକ ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଡିଓଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ବିଡିଓ ରେବେକା ବିଲୁଙ୍ଗ ଅଧ୍ୟକ୍ଷତା କରିଥିଲେ । ଏଥିରେ ବ୍ଲକ ଶିକ୍ଷାଧିକାରୀ ବାସନ୍ତୀ କୁମାରୀ ମିଶ୍ର, ଜି.ପି.ଇ.ଓ ନିଶିକାନ୍ତ ଖୁଣ୍ଟିଆ, ଜଳ ପରିମଳ କନିଷ୍ଠ ଯନ୍ତ୍ରୀ ଭବାନୀ ଶଙ୍କର ବେହେରା, ସାମାଜିକ ସୁରକ୍ଷା ବିଭାଗ ଦାୟୀତ୍ୱରେ ଥିବା ଅଧିକାରୀ ଜମାଦାର ମୁଣ୍ଡା, ନିଶାକର ଖୁଣ୍ଟିଆ, ଅଶୋକ ସ୍ୱାଇଁ, ଜୟ ପ୍ରକାଶ ମହାପାତ୍ରଙ୍କ ସମେତ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଏହି ଶିବିରକୁ ଶାନ୍ତିଶୃଂଖଳାର ସହ ସମାପନ କରିବା ସହିତ ଭିନ୍ନକ୍ଷମ ମାନଙ୍କୁ ବିଭିନ୍ନ ସେବା ଯୋଗାଇ ଦେବା ଲକ୍ଷ୍ୟରେ ୭ଟି କାଉଁଣ୍ଟର କରାଯିବା ନେଇ ଆଲୋଚନା ହୋଇଥିଲା । ଉକ୍ତ କାଉଁଣ୍ଟର ଗୁଡିକର ଦାୟୀତ୍ୱ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଅଙ୍ଗନୱାଡି ସୁପରଭାଇଜର ଓ ଶିକ୍ଷକ ମାନଙ୍କୁ ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଥିଲା । ପରିବେଶର ସ୍ୱଚ୍ଛତା ପାଇଁ ପ୍ଲାଷ୍ଟିକ୍ ବ୍ୟବହାର କରାନଯିବାକୁ ଗୁରୁତ୍ୱ ଦିଆଯାଇଥିଲା । ଏହି ଶିବିରରେ ୧୨ଟି ପଞ୍ଚାୟତର ଭିନ୍ନକ୍ଷମ ମାନେ ଯୋଗ ଦେବାର ଜଣାଯାଇଛି ।