ବ୍ଳକସ୍ତରୀୟ ମୋ ଗେହ୍ଲା ଝିଅ ବାର୍ଷିକତ୍ସୋବ
ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ୍,) : ଗଞ୍ଜାମ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ହିଞ୍ଜିଳି ବ୍ଳକରେ ଶୁକ୍ରବାର ଗୋଷ୍ଠୀ ସ୍ତରୀୟ ମୋ ଗେହ୍ଲାଝିଅ ବାର୍ଷିକଉତ୍ସବ କାର୍ଯ୍ୟକ୍ରମ ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ହିଞ୍ଜିଳିକାଟୁ ସିଡ଼ିପିଓ ଶୁଭଶ୍ରୀ ପାତ୍ରଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ , ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟ ସ୍ତ୍ରୀ ଓ ପ୍ରସ୍ତୁତି ବୀଭାଗୀୟ ବିଶେଷଜ୍ଞ ଡ଼ାକ୍ତର ମାଧବ କୁମାର ସାହୁ, ଏବିଇଓ ବିଶ୍ୱନାଥ ମହାରଣା ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ । ସିଡ଼ିପିଓ ପାତ୍ର ବାର୍ଷିକ ବୀବରଣୀ ପାଠ କରିଥିଲେ । କାର୍ଯ୍ୟକ୍ରମରେ ୧୪ ଜଣ ମା’ ଓ ନବଜାତ ଶିଶୁ କନ୍ୟାଙ୍କୁ ବେବି କିଟ୍, ଫୁଲତୋଡ଼ା ଓ ଚାରା ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ଉକ୍ତ ସମସ୍ତ ଯୋଜନାର ଆଭିମୁଖ୍ୟ ଓ ସଫଳ ରୂପାୟନ ସଂକ୍ରାନ୍ତରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ସ୍ଥାନୀୟ ବ୍ଳକ ପୋଡ଼ିଙ୍ଗି ଅଙ୍ଗନୱାଡ଼ି କେନ୍ଦ୍ରର ପ୍ରାକ୍ ଶିକ୍ଷାର୍ଥୀ ଓ ସାରୁ ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ମାନେ ନୃତ୍ୟ ପରିବେଷଣ କରି ସଚେତନ କରିଥିଲେ । ପ୍ରକାଶ ଥାଉକି, ଗତ ୧୪ ଜାନୁୟାରୀ ୨୦୧୯ରୁ ଆରମ୍ଭ ହୋଇଥିବା ଉକ୍ତ କାର୍ଯ୍ୟକ୍ରମରେ ପୁଅ ଝିଅଙ୍କ ଅନୁପାତ ୧୦୦୦: ୮୭୨ ରହିଥିବା ବେଳେ ଚଳିତ ବର୍ଷ ଶେଷ ସୁଦ୍ଧା ଏହାର ଅନୁପାତ ୧୦୦୦ : ୯୩୯ ରହିଛି । ଚଳିତ ବର୍ଷ ପ୍ରାୟ ୩ଶହ ନବଜାତ ଶିଶୁ କନ୍ୟାଙ୍କୁ କାର୍ଯ୍ୟାଳୟ ପକ୍ଷରୁ ସମର୍ଦ୍ଧିତ କରାଯାଇଛି । କାର୍ଯ୍ୟକ୍ରମରେ ଅଙ୍ଗନୱାଡ଼ି ସୁପରଭାଇଜର ବନଜା ବେହେରା, ୱାଇ ଶୋଭା, ମଧୁମିକା ବେହେରା, ବାସନ୍ତି ଦେବି, ସୋନାଲି ବେହେରା, ମୁକ୍ତା ଦେବି, ଶାରଦା ଶତପଥୀ, ଉର୍ମିଳା ମହାପାତ୍ର, ରାଜଲକ୍ଷ୍ମୀ ପଣ୍ଡାଙ୍କ ସମେତ ଶତାଧିକ ଅଙ୍ଗନୱାଡ଼ି କର୍ମୀ ଓ ମା’ ଅଂଶଗ୍ରହଣ କରିଥିଲେ ।
ରିପୋର୍ଟ – ଶେଷଦେବ ସାହୁ