ବ୍ୟାଙ୍କ ପରାମର୍ଶଦାତା କମିଟି ବୈଠକ

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ଠାରେ ଗଞ୍ଜାମ ଜିଲ୍ଲା ବ୍ୟାଙ୍କ ସମୂହ ଅର୍ଥ ପରାମର୍ଶଦାତା କମିଟି ବୈଠକ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ଥିବା ବ୍ୟାଙ୍କ ଗୁଡିକ ଋଣ ଲକ୍ଷ୍ୟ ପୂରଣ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ । ଗଞ୍ଜାମ ଜିଲ୍ଲାର ବ୍ୟାଙ୍କ୍ ଗୁଡିକ ଭଲ ପ୍ରଦର୍ଶନ କରିଥିବା ବେଳେ ଜିଲ୍ଲାପାଳ ପ୍ରଶଂସା କରିଛନ୍ତି । ଆହୁରି କହିଛନ୍ତି ଯେ, ବ୍ୟାଙ୍କ୍ ଗୁଡିକର ସହଯୋଗରେ ଜିଲ୍ଲାର ଛୋଟ ଓ ମଧ୍ୟମ ଶିଳ୍ପ ପ୍ରତିଷ୍ଠାନ ଗୁଡିକ କିପରି କାର୍ଯ୍ୟକ୍ଷମ ହେବ ଏବଂ ଏଥିରେ ନିୟୋଜିତ ହୋଇ ବହୁ ଲୋକ ଉପକୃତ ହୋଇପାରିବେ ସେଥିପ୍ରତି ବ୍ୟାଙ୍କ୍ ଗୁଡିକ ପଦକ୍ଷେପ ନେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଜିଲ୍ଲାର ବିଭିନ୍ନ ବ୍ୟାଙ୍କ୍‌ର ମୋଟ ୪୨୪ ଟି ଶାଖା ଅଛି । ଜୁନ୍ ୨୦୨୨ ସୁଦ୍ଧା ସମସ୍ତ ଶାଖାରେ ୨୪ ହଜାର ୨୫ କୋଟି ଜମା ସଂଗ୍ରହ କରାଯାଇଥିବା ବେଳେ ୧୫ ହଜାର ୧୭୯ କୋଟି ଋଣ ପ୍ରଦାନ ହୋଇଛି । ଯାହାକି ଲକ୍ଷ୍ୟ ଧାର୍ଯ୍ୟର ୬୩ ପ୍ରତିଶତ ଋଣ ପ୍ରଦାନ କରାଯାଇଛି । ଚଳିତ ବର୍ଷ ଜୁନ୍ ସୁଦ୍ଧା ବ୍ୟାଙ୍କମାନଙ୍କ ଦ୍ୱାରା କୃଷି କ୍ଷେତ୍ରରେ ୨୫ ପ୍ରତିଶତ, ଛୋଟ ଓ ମଧ୍ୟମ ଶିଳ୍ପ କ୍ଷେତ୍ରରେ ୧୧ ପ୍ରତିଶତ, ଶିକ୍ଷା ଓ ଗୃହ ନିର୍ମାଣ କ୍ଷେତ୍ରରେ ୧୦ ପ୍ରତିଶତ ଏବଂ ଅଣ ପ୍ରାଥମିକତା କ୍ଷେତ୍ରରେ ୧୪୬ ପ୍ରତିଶତ ଋଣ ପ୍ରଦାନ କରାଯାଇଛି । ଚଳିତ ବର୍ଷ ଖରିଫ୍ ଋତୁରେ ମୋଟ ୬ ଲକ୍ଷ ୨ ହଜାର ୨୪ ଜଣ ଚାଷୀ କୃଷି ବୀମାରେ ଅନ୍ତର୍ଭୁକ୍ତ ହୋଇଥିବା ବେଳେ ୫୩ ହଜାର ୮୨୦ ହେକ୍ଟର୍ ଜମି ବୀମା ଭୁକ୍ତ ହୋଇଛି । ସରକାରଙ୍କ ପ୍ରଚଳିତ ବଳରାମ ଯୋଜନାରେ ଗଞ୍ଜାମ ଜିଲ୍ଲାର ୧୫ ହଜାର ୨୫୦ ଜଣ ଭାଗଚାଷୀ ବର୍ଗଙ୍କୁ ୧୨୮ କୋଟି ଟଙ୍କା ଋଣ ମଞ୍ଜୁର କରାଯାଇଛି । ଏହାସଙ୍ଗକୁ ୧୦୯୩୧ ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀକୁ ୨୭୫.୭୮ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଛି । ବୈଠକରେ ଏଲ୍‌ଡିଏମ୍ (ଗଞ୍ଜାମ) ଅଶୋକ କୁମାର ପଣ୍ଡା, ଜିଲ୍ଲାର ସମସ୍ତ ସହକାରୀ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସମେତ, ସରକାରୀ ଏବଂ ବେସରକାରୀ ବ୍ୟାଙ୍କର ଅଧିକାରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ