ବ୍ୟାପକ ନିଶାକାରବାର କାରଣରୁ ଅବାଧ ନିର୍ବାଚନରେ ଅନ୍ତରାୟର ଆଶଙ୍କା : ସିଭିଲ୍ ସୋସାଇଟି
ବାଲେଶ୍ୱର, (ସରୋଜ ପଣ୍ଡା) :ସିଭିଲ୍ ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଥାନଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗତ କିଛିଦିନଧରି ବିଭିନ୍ନ ଗଣମାଧ୍ୟମରେ ବାଲେଶ୍ୱର ଜିଲ୍ଲାରେ ମଦର ବନ୍ୟା ହେଉଥିବାର ସଂବାଦ ସଂପର୍କରେ ସଂପାଦକ ମନୋଜ ନାୟକ ଉପସ୍ଥିତମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବାଲେଶ୍ୱର ଜିଲ୍ଲା ବିଷାକ୍ତ ଡ୍ରଗ୍ସର ଭୂସ୍ୱର୍ଗ ପାଲଟିଥିବାବେଳେ ବର୍ତ୍ତମାନ ଚୋରାମଦର ବ୍ୟାପକ କାରବାର ଚଳିତ ସାଧାରଣ ନିର୍ବାଚନକୁ ଗଭୀର ପ୍ରଭାବିତ କରିବ ବୋଲି ନାୟକ ପ୍ରକାଶ କରିଥିଲେ । ଏହି ନିଶା କାରବାର ଜିଲ୍ଲାରେ ବ୍ୟାପକ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବ ବୋଲି ବହୁ ବକ୍ତା ଆଶଙ୍କା ପ୍ରକାଶ କରିଥିଲେ । ଜିଲ୍ଲାରେ ୫୨ଟି ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନ ଥିବାବେଳେ ପ୍ରାୟ ଦେଢ଼ହଜାର ଚୋରାମଦ ଦୋକାନର କାରବାର ସକ୍ରିୟ ରହିଛି । ଏ ସମ୍ବାଦ ଗଣମାଧ୍ୟମରେ ପ୍ରକାଶିତ ହେଲେ ମଧ୍ୟ ଜିଲ୍ଲା ଅବକାରୀ ବିଭାଗ ଓ ପ୍ରଶାସନର ନିରବତା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି । ଗଣମାଧ୍ୟମର ପ୍ରକାଶିତ ତଥ୍ୟ ଅନୁଯାୟୀ ଜିଲ୍ଲା ଅବକାରୀ ଅଧୀକ୍ଷକ ମଦଦୋକାନୀମାନଙ୍କ ଠାରୁ ୧୫ କୋଟି ଟଙ୍କା ନିର୍ବାଚନ ପାଣ୍ଠି ସଂଗ୍ରହ ପାଇଁ ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି । ଦେଶ ଓ ରାଜ୍ୟରେ ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ନିର୍ବାଚନ କମିଶନର ବିଜ୍ଞପ୍ତି ପ୍ରକାଶ କରିଛନ୍ତି । କିନ୍ତୁ ଏହା ବାଲେଶ୍ୱର ଜିଲ୍ଲାରେ ପ୍ରଭାବଶୂନ୍ୟ ବୋଲି ବହୁ ସଦସ୍ୟ ମତପ୍ରକାଶ କରିଥିଲେ । ତେଣୁ ତୁରନ୍ତ ଚୋରା ନିଶା ବ୍ୟବସାୟୀ ଓ ଅସାଧୁ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କ ଜରିଆରେ ନିର୍ବାଚନ କମିଶନରଙ୍କୁ ଲିଖିତଭାବେ ଅବଗତ କରିବାକୁ ସର୍ବସମ୍ମତ ନିଷ୍ପତ୍ତି ନିଆଯାଇଛି । ଏହି ଜରୁରୀ ବୈଠକରେ ଗୌରାଙ୍ଗ ପାଣିଗ୍ରାହୀ, ସୀତାରାମ ପ୍ରଧାନ, ଶରତ ଚନ୍ଦ୍ର ଦଳାଇ, ଖଗେନ୍ଦ୍ର ସାହୁ, ସଂଜୀବ କୁମାର ପତି, ଶ୍ୟାମସୁନ୍ଦର ଜେନା ଓ ଲକ୍ଷ୍ମୀନାରାୟଣ ଘୋଷ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପୂର୍ଣ୍ଣଚନ୍ଦ୍ର ପାତ୍ର ଉପସ୍ଥିତମାନଙ୍କୁ ଧନ୍ୟବାଦ ଦେଇଥିଲେ ।


