‘ବୟନିକା’ ନାଁରେ ୨କୋଟି ଠକେଇ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ରାଜ୍ୟ ସରକାରଙ୍କ ହସ୍ତତନ୍ତ ବିଭାଗ ଅଧୀନ ‘ବୟନିକା ସଂସ୍ଥା ନାମରେ ଦୁଇଶହରୁ ଅଧିକ ଆଦିବାସୀଙ୍କ ମହିଳାଙ୍କଠୁ ୨ କୋଟିରୁ ଅଧିକ ଟଙ୍କା ଠକେଇ ହୋଇଥିବା ଭଳି ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି । ଠକେଇର ଶିକାର ମହିଳା ମାନେ ବାଲିଗୁଡ଼ା ଥାନାର ଦ୍ବାରସ୍ଥ ହୋଇଛନ୍ତି। ପଣସପୋଡ଼ିର ମୁକ୍ତା ଓ ନୂଆସାହିର କିଛି ମହିଳା ଥାନାଧିକାରୀଙ୍କୁ ଫେରାଦ୍ ହେବା ପରେ ଖୋଳତାଡ଼ ଆରମ୍ଭ ହୋଇଛି।ପ୍ରକାଶ ଯେ, କିଛିମାସ ତଳେ ଜଣେ ବ୍ୟକ୍ତି ନିଜକୁ ‘ବୟନିକାର ଅଧିକାରୀ ବୋଲି ପରିଚୟ ଦେଇ ଏଠାରେ ଏକ ଅଫିସ୍ ଖୋଲିଥିଲେ। ଜଣେ ମହିଳାଙ୍କୁ ଏଠାରେ ନିୟୋଜିତ କରାଯାଇଥିଲା । ଗତ ଅଗଷ୍ଟ ମାସରେ ଏହି ସଂସ୍ଥା ପକ୍ଷରୁ ଏକ ବୈଠକ ଡକାଯାଇଥିବା ବେଳେ ଏଥିରେ ବାଲିଗୁଡ଼ାରୁ ବହୁ ସଂଖ୍ୟାରେ ମହିଳା ଯୋଗ ଦେଇଥିଲେ । ‘ବୟନିକା’ ର ବିଭିନ୍ନ ଭିଡ଼ିଓ ଦେଖାଇ କିଭଳି ‌ଭଲ ରୋଜଗାର କରାଯାଇପାରିବ ଏଥିପାଇଁ ସଂସ୍ଥା ପକ୍ଷରୁ ମହିଳାଙ୍କୁ ପ୍ରଲୋଭିତ କରାଯାଇଥିଲା। ସୂତା ବଣ୍ଡଲ୍ ପ୍ରସ୍ତୁତ କଲେ କିସ୍ତି ଅନୁସାରେ ଟଙ୍କା ମିଳିବ ବୋଲି କୁହାଗଲା । ଫଳରେ ଅନେକ ମହିଳା ନିଜର ମୂଳ ରୋଜଗାର ଛାଡ଼ି ଟଙ୍କା ପାଇବା ଆଶାରେ ଏହି ସଂସ୍ଥାକୁ ସୂତା କାଟି ଦେଉଥିଲେ। କିନ୍ତୁ ପ୍ରଥମ କିସ୍ତିରେ କିଛି ଟଙ୍କା ମିଳିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଟଙ୍କା ମିଳି ନଥିଲା। ଏହି ସଂସ୍ଥା ସହ ୨୨୫ଟି ଗ୍ରୁପ୍‌ର ୨୫୦୦ ମହିଳା ସାମିଲ ହୋଇଥିଲେ । ପରେ ସମସ୍ତ ଗ୍ରୁପ୍‌ଠୁ ରେଜିଷ୍ଟ୍ରେସନ୍ ବାବଦରେ ୧୧ହଜାର ଟଙ୍କା ‌ଲେଖାଏଁ ଆଦାୟ ହୋଇଥିଲା । ଏହାସହ ସୂତା ବଣ୍ଡଲ୍ ସଂଗ୍ରହ କରାଯାଇଥିଲା । ସଂସ୍ଥା ସହ ଆଉ ୫ଟି ଗ୍ରୁପ୍‌କୁ ଯୋଡ଼ିଲେ ଆକର୍ଷଣୀୟ ପୁରସ୍କାର ସ୍ବରୂପ ସ୍କୁଟି ମିଳିବ ବୋଲି କୁହାଯାଇଥିଲା । ଏଭଳି ଭାବେ ଉକ୍ତ ଠକ ସଂସ୍ଥା ନିଜ କଳାସାମ୍ରାଜ୍ୟକୁ ବିସ୍ତାର କରିଥିଲା। ସେପଟେ ଟଙ୍କା ପାଇବା ଆଶାରେ ମହିଳା ଗ୍ରୁପ୍ ମାନେ ଅନ୍ୟ ନୂ୍ଆ ଗ୍ରୁପ୍‌କୁ ଏହି ସଂସ୍ଥା ସହ ଯୋଡ଼ିଥିଲେ । ନାମ ବି ପଞ୍ଜୀକରଣ କରିଥିଲେ । କିନ୍ତୁ କିଛି ଦିନ ପରେ ସଂସ୍ଥାର ଗତିବିଧି ଉପରେ ସନ୍ଦେହ ହେବାରୁ ସେମାନେ ବାଲିଗୁଡ଼ାରେ ଥିବା ମୁଖ୍ୟ ପରିଚାଳକଙ୍କ ସହ କଥା ହୋଇଥିଲେ । ମୁଖ୍ୟ କାର୍ଯ୍ୟାଳୟ (ହେଡକ୍ବାର୍ଟର) ଦେଖିବେ ବୋଲି ତାଙ୍କ ଉପରେ ଚାପ ପକାଇଥିଲେ । ସଂସ୍ଥାର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱରରେ ଅଛି ବୋଲି କହି ୨ଟି ବସ୍‌ରେ କିଛି ମହିଳାଙ୍କୁ ନିଆଯାଉଥିଲା । ସେଠାରେ ପହଞ୍ଚି ହେଡଅଫିସ୍ ପୁରୀରେ ଅଛି ବୋଲି କହି ସେଠାକୁ ପୁଣି ଅଣାଯାଇଥିଲା । ପୁରୀର ଦୁଇଟି ଲଜ୍‌ରେ ଉକ୍ତ ମହିଳାମାନଙ୍କୁ ରଖାଯାଇଥିଲା । ଏହାପରଠୁ ଉକ୍ତ ସଂସ୍ଥାର ମୁଖ୍ୟଙ୍କ ଦେଖା ମିଳୁନି। ଏହାସହ ଫୋନ୍ ଯୋଗେ ଯୋଗାଯୋଗ ହୋଇପାରୁନି । ଫଳରେ ଠକାମିର ଶିକାର ହୋଇଥିବା କିଛି ମହିଳା ବର୍ତ୍ତମାନ ବାଲିଗୁଡ଼ା ଥାନାର ଦ୍ୱାରସ୍ଥ ହୋଇଛନ୍ତି। କିନ୍ତୁ ଏସଂକ୍ରାନ୍ତରେ କୌଣସି ମାମଲା ରୁଜୁ ହୋଇନଥିବା ବାଲିଗୁଡ଼ା ଥାନାଧିକାରୀ ବାବା ଶଙ୍କର ସରାଫ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ