ଭଉଣୀ ହେବ ତ ଏମିତି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଜଣେ ନୁହଁ କି ଦୁଇଜଣ ନୁହଁ, ଏକାବେଳେ ୪୦ ଭଉଣୀଙ୍କ ପାଇଁ ସାବିତ୍ରୀ ସଜ । ଆଜ୍ଞା, ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ । ସାବିତ୍ରୀ ବ୍ରତ ପାଳନର ପୂର୍ବଦିନ ରାଜଧାନୀ ଭୁବନେଶ୍ୱରର ଜନୈକା ଭଉଣୀ ୪୦ ଜଣ ଭଉଣୀଙ୍କ ପାଇଁ ସାବିତ୍ରୀ ସଜ ନେଇ ସେମାନଙ୍କ ଘରେ ପହଞ୍ôଚଛନ୍ତି । ଯାହାର ଚିତ୍ର ଏବେ ସାମ୍ନାକୁ ଆସିଛି । ବସ୍ତୁବାଦୀ ଦୁନିଆଁରେ ଏମିତି କିଛି ଭଲ ମଣିଷଙ୍କ ପାଇଁ ଏ ସଂସାର ଚାଲିଛି କହିଲେ ଆଦୌ ଭୁଲ୍ ହେବ ନାହିଁ । ଯଦିଓ ସେ ରକ୍ତ ସଂପର୍କରେ କାହାର ଭଉଣୀ ବି ନୁହଁନ୍ତି । ଜନ୍ମକଲା ମାଆ ପେଟର ଭାଇ ଭଉଣୀଙ୍କ ଠାରୁ ବି ସେ କମ୍ ନୁହଁନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ଯାଁଳା ସ୍ଥିତ ଲେପର୍ସି କଲୋନୀରେ । ୪୦ ଜଣ ଅଭାବୀ ଭଉଣୀ ମାନଙ୍କ ପାଇଁ ନୂଆ ଲୁଗା, ଶଙ୍ଖା, ସିନ୍ଦୂର, ଅଳିତା, ବ୍ରତ, ନଡିଆ, ଫଳମୂଳ ଇତ୍ୟାଦି ସାଥିରେ ନେଇ ଆସିଥିଲେ । ଏ ସଂପର୍କରେ ଅଜଣା ଭଉଣୀ ଜଣକ କୁହନ୍ତି ଆଜିକା ମହଙ୍ଗା ଯୁଗରେ ସବୁ ମହିଳାଙ୍କ ଭାଗ୍ୟରେ ନଥାଏ ସାବିତ୍ରୀ ବ୍ରତ ପାଳିବା । କାହା ପାଇଁ ଅର୍ଥ ବାଧକ ସାଜିଥାଏ ତ ଆଉ କାହାର ଭାଇଟିଏ ନଥାଏ । ଯଦ୍ୱାରା ବାପ ଘରୁ ସାବିତ୍ରୀ ସଜ ଆସି ପାରି ନଥାଏ । ଲେପର୍ସି କଲୋନୀର ଭଉଣୀ ମାନଙ୍କ ଜୀବନ ସଂଘର୍ଷ କଥା ଶୁଣି ମୁଁ ଏ ଦାୟିତ୍ୱଟିକୁ ଜୀବନ ଥିବା ଯାଏଁ ନିଷ୍ଠାର ସହ ପାଳନ କରିବି ବୋଲି ସେ କହିଥିଲେ । ସାବିତ୍ରୀ ସଜ ପାଇ ଲେପର୍ସି କଲୋନୀର ଭଉଣୀମାନେ ବେଶ ଖୁସି ଅନୁଭବ କରିଥିଲେ । ଆମ ଆୟୁଷ ତାଙ୍କୁ ଲାଗିଯାଉ ବୋଲି ଈଶ୍ୱରଙ୍କ ନିକଟରେ ଭଉଣୀ ସମୂହ ଆର୍ଶୀବାଦ କାମନା କରିଥିଲେ । ଏ ଗରିବ ଭଉଣୀମାନଙ୍କ ମୁହଁରେ ଟିକିଏ ହସ ଫୁଟାଇବା ପାଇଁ ଓ ତାଙ୍କ ଶଙ୍ଖା, ସିନ୍ଦୂରକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଏ ଯେଉଁ ଭଉଣୀ ଜଣକ ନିଷ୍ଠା ଓ ଦାୟିତ୍ୱର ସହ କର୍ତ୍ତବ୍ୟ ନିଭାଇଛନ୍ତି ତାହା ବାସ୍ତବିକ ବେଶ୍ ପ୍ରଶଂସନୀୟ ଓ ଆମ ସମାଜ ପାଇଁ ବଡ ଉଦାହରଣ । ଉକ୍ତ କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ସୁଶାନ୍ତ ସାହୁ, ତ୍ରିଲୋଚନ ବେଉରା, ସ୍ଥାନୀୟ ଯୁବ ସାମାଜିକ କର୍ମୀ ପ୍ରଦୀପ କୁମାର ନାୟକ, ପ୍ରଦୀପ ରଞ୍ଜନ ରାଉତ ପ୍ରମୁଖ ସହଯୋଗ କରିଥିଲେ ।