ଭକ୍ତ ଅସନ୍ତୁଷ୍ଟ, ପ୍ରଶାସନ ନିରବ ରଥକାଠକୁ ଅସମ୍ମାନ: କାଠ ଉପରେ ବେପାର

ପୁରୀ (ଯୁଗାଦ୍ଦ ନୁଜ୍ୟ) : କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳାକ୍ଷେତ୍ର ଶ୍ରୀକ୍ଷେତ୍ରରେ ୧୨ ମାସରେ ୧୩ ପର୍ବ ପାଳନ କରାଯାଇଥାଏ । ସେଥିମଧ୍ୟରୁ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ବା ଘୋଷଯାତ୍ରା ଅନ୍ୟତମ । ଚଳିତବର୍ଷ ଜୁଳାଇ ୪ରେ ଅନୁଷ୍ଠିତ ହେବ ରଥଯାତ୍ରା । ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ନୟାଗଡ଼ ଜଙ୍ଗଲରୁ କାଠ ଆସି ସରସ୍ୱତୀ ପୂଜା ଦିନ ଅନୁକୂଳ କରାଯାଇଛି । ଆସନ୍ତା ଅକ୍ଷୟ ତୃତୀୟାରେ ରଥ ନିର୍ମାଣର ଶୁଭାରମ୍ଭ କରାଯିବ । ତେଣୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ଶ୍ରୀଜିଉଙ୍କ ତିନି ରଥ ନିର୍ମାଣ ପାଇଁ କାଠ ରଖାଯାଇଛି । ହେଲେ ସ୍ଥାନୀୟ ବ୍ୟବସାୟୀ କାଠକୁ ତାଙ୍କ ବ୍ୟବସାୟ କାର୍ଯ୍ୟରେ ଲଗାଇଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଭକ୍ତଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି । ଏନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ଅବଗତ କରାଯାଇଥିଲେ ବି କୌଣସି ପଦକ୍ଷେପ ନିଆଯାଉନାହିଁ । ରଥ କାଠକୁ ଭକ୍ତ ମୁଣ୍ଡିଆ ମାରୁଥିବାବେଳେ ବ୍ୟବସାୟୀ ନିଜ ସ୍ୱାର୍ଥ ପାଇଁ ସେମାନେ ସେହି କାଠ ଉପରେ ବସି ଓ ଗୋଡ଼ ରଖିବା ସହିତ ବ୍ୟବସାୟ ସାମଗ୍ରୀ ରଖି ବ୍ୟବସାୟ କରୁଛନ୍ତି । ଫଳରେ ମହାପ୍ରଭୁଙ୍କ ପ୍ରତି ଏହା ଏକ ବଡ଼ ଅସମ୍ମାନ । ଏ ନେଇ ଅଭିଯୋଗ କରିବା ପରେ କିଛି କଟକଣା ନହେବା ଆହୁରି କଷ୍ଟଦାୟକ ବୋଲି କହିଛନ୍ତି ଜଣେ ଭକ୍ତ ସୁକାନ୍ତ କୁମାର ମାଳ । ସେ କହିଛନ୍ତି ପ୍ରଶାସନିକ ଅବହେଳା ଯୋଗୁଁ ଏପରି ପରସ୍ଥିତି ସୃଷ୍ଟି ହେଉଛି । ମହାପ୍ରଭୁଙ୍କ ରଥ କାଠ ଏଠାକୁ ଆସିଲା ପରେ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଥିଲେ ଏପରି ହୋଇନଥାନ୍ତା । ସେହି ରଥକୁ ସ୍ପର୍ଶ କରି ମଣିଷ କୋଟି ପୁଣ୍ୟ ଲାଭ କରିଥାଏ । ଏପରିକି ରଥଯାତ୍ରା ପରେ ସେହି ରଥ ଚକ ଓ ଅନ୍ୟାନ୍ୟ ଅଂଶକୁ ମଧ୍ୟ ଭକ୍ତମାନେ କିଣିନେଇ ପୂଜାର୍ଚ୍ଚନା କରୁଛନ୍ତି । ସରସ୍ୱତୀ ପୂଜାରେ ରଥକାଠ ଅନୁକୂଳ ବିଧି ସରିବା ପରେ ସେହି କାଠ ଉପରେ ବ୍ୟବସାୟ କରିବା ଓ ତା ଉପରେ ବସିବା ଏକ ଅସମ୍ମାନ ଘଟଣା ବୋଲି କହିଛନ୍ତି ଭକ୍ତ । ସେହିପରି ଅନ୍ୟ ଜଣେ ପର୍ଯ୍ୟଟକ ତପନ ଘୋଷ କୁହନ୍ତି ଶ୍ରୀଜିଉଙ୍କ ରଥକାଠ ନିର୍ମାଣ ପାଇଁ କାଠ ଅନୁକୂଳ ହୋଇଛି ଏବଂ କାଠ ଶ୍ରୀକ୍ଷେତ୍ରରେ ପହଞ୍ଚିସାରିଛି । ଏହି ଖବର ଗଣମାଧ୍ୟମରେ ପ୍ରଚାର ହେଲା ପରେ ମହାପ୍ରଭୁଙ୍କ ରଥକାଠ କିପରି ଆସୁଛି ତାହାକୁ ବିଶ୍ୱକର୍ମା ମହାରଣା ତାଙ୍କ ନିହଣ ମୁନରେ କିପରି ଜୀବନ୍ତ କରୁଛନ୍ତି ତାହା ଦେଖିବାପାଇଁ ଦୁଇ ଦିନ ହେଲା ଆସି ମହାପ୍ରଭୁଙ୍କୁ ଦର୍ଶନ କରି ରଥକାଠ ନିକଟକୁ ଯାଇଥିଲୁ । ସେହି କାଠ ନିକଟରେ କେହି ନାହାନ୍ତି କି କିଛି ସୁରକ୍ଷା ବ୍ୟବସ୍ଥା ନାହିଁ । ତାହା ବଡ଼ଦାଣ୍ଡରେ ରହିଛି ଏବଂ ତାହା ଉପରେ ବ୍ୟବସାୟୀ ବସି ବ୍ୟବସାୟ କରିବା ସହିତ ଗୋଡ ମଧ୍ୟ ରଖିଛନ୍ତି । ଦୃଶ୍ୟ ଦେଖି ମନକୁ ବହୁତ କଷ୍ଟ ଲାଗିଲା । ସେହି କାଠକୁ ମୁଣ୍ଡରେ ମାରି ଫେରିଲୁ । ଏହା ଉପରେ ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ