ଭଗବାନ ଜେନା ସ୍ମୃତି ସ୍ମାରକୀ ବକ୍ତୃତା ମାଳା

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): ସମସ୍ତ ବିଚାର ଓ ମତବାଦର ନିସ୍କର୍ଷ ହେଉଛି ମାନବବାଦ । ଏହାକୁ ମୂଳ କରି ଦୃଢ ସଂକଳ୍ପର ସହିତ କାର୍ଯ୍ୟକଲେ ଆଜିର ଦୁଃସ୍ଥିତିରେ ପରିବର୍ତ୍ତନ ଆସି ଏକ ସୁସ୍ଥ ସମାଜ ଗଠନ କରାଯାଇପାରିବ ବୋଲି ଓଡିଶା ଶିକ୍ଷକ ଆନ୍ଦୋଳନର ଅନ୍ୟତମ ପୁରୋଧା ତଥା ଓଡିଆ ସାହିତ୍ୟରେ ପ୍ରଗତିଶୀଳ ସାହିତ୍ୟ ଧାରାର ବଳିଷ୍ଠ ବ୍ୟକ୍ତିତ୍ୱ ପ୍ରାଧ୍ୟାପକ ସୂର୍ଗତ ଭଗବାନ ଜେନାଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଅନୁଷ୍ଠିତ “ବର୍ତମାନ ସମୟର ବିକଳ୍ପ – ମାନବବାଦ” ଶୀର୍ଷକ ସ୍ମୃତି ସ୍ମାରକୀ ବକ୍ତୃତାମାଳାରେ ମୁଖ୍ୟବକ୍ତାରୂପେ ଯୋଗଦେଇ ଭାଷା ପ୍ରତିଷ୍ଠାନର ପୂର୍ବତନ ନିର୍ଦ୍ଦେଶକ ବିଶିଷ୍ଟ ଶିକ୍ଷାବିତ୍ ଓ ସାହିତ୍ୟିକ ଡଃ. କୈଳାସ ଚନ୍ଦ୍ର ଟିକାୟତରାୟ ମତ ପ୍ରକାଶ କରିଛନ୍ତି । ଶ୍ରୀ ବଳଦେବଜୀଉ କଳା ସଂସ୍କୃତି ପ୍ରତିଷ୍ଠାନ ପରିସରରେ ଅଧ୍ୟାପକ ଅଜୟ କୁମାର ସାମଲଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ ସ୍ମାରକୀ ବକ୍ତୃତାମାଳାରେ ମୁଖ୍ୟ ଅତିଥିରୂପେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଚତ୍ତରଂଜନ ଦାସ ଯୋଗଦେଇ ସ୍ୱର୍ଗତ ଜେନାଙ୍କୁ ଓଡିଶାରେ ବାମପନ୍ଥୀ ସାହିତ୍ୟ ଧାରାର ଉନ୍ନତ ମାନର ପୁରୋଧାରୂପେ ବର୍ଣ୍ଣନା କରିବା ସହ ଡଃ. ଟିକାୟତରାୟଙ୍କୁ ମାନପତ୍ର ଓ ପୁରସ୍କାର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ସ୍ୱର୍ଗତଃ ଜେନାଙ୍କ ସ୍ମୃତିରେ ଶ୍ରୀ ବଳଦେବଜୀଉ କଳା ସଂସ୍କୃତି ପ୍ରତିଷ୍ଠାନର ନୂତନ ସଭାଗୃହ “ବିକଳ୍ପ ବିଚାରମଂଚ” ନ୍ୟାୟାଧିଶ ଲଲାଟେନ୍ଦୁ ଜେନାଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା । ଅନୁଷ୍ଠାନର ସଂପାଦକ ମୋହନ ଚରଣ ଜେନା ବିବରଣୀ ପ୍ରଦାନ ଓ ଆଦିକନ୍ଦ ରାଉଳ ପ୍ରାରମ୍ଭିକ ବକ୍ତବ୍ୟ ଦେଇଥିବାବେଳେ ଶୈଳଜାଶଙ୍କର ସାମଲ ସ୍ୱାଗତ ଭାଷଣ ଓ ଡଃ. ବନମାଳୀ କର ଅତିଥି ପରିଚୟ ପ୍ରଦାନ କରିଥିଲେ । ସ୍ୱର୍ଗତ ଜେନାଙ୍କ ଜ୍ୟେଷ୍ଠ କନ୍ୟା ଅଧ୍ୟାପିକା ଜୟଶ୍ରୀ ଜେନା ଧନ୍ୟବାଦ ପ୍ରଦାନ କରିଥିଲେ । ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଉଦ୍‌ଘାଟନୀ ସଂଗୀତ ଓ ଉଦ୍‌ଯାପନୀ ନୃତ୍ୟ ପରିବେଷଣ କରାଯାଇଥିଲା । ସଂଗୀତଗୁରୁ କଳାକାର ପଣ୍ଡା, ଜୟଶ୍ରୀ ଦାସ, ପ୍ରଦୀପ ଦାସ, ରବିନ୍ଦ୍ର ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା, ବିଜୟ ନାୟକ, ତପନ କୁମାର ପତି, ଅଧିକାରୀ ପ୍ରଭାତ ଦାଶ, ରମଣୀରଞ୍ଜନ ରାଉତରାୟ, ମହେନ୍ଦ୍ର ପଟ୍ଟନାୟକ ପ୍ରମୁଖ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ