ଭଗ୍ନ ଅବସ୍ଥାରେ ପଟାପୋଲ-ଧାମନଗର ରାସ୍ତା
ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ଗ୍ରାମାଞ୍ଚଳରେ ଯାତାୟତ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ଆରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଏବେ ଦିଗହରା ହୋଇଥିବା ଜଣାପଡ଼ିଛି । ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ଅଞ୍ଚଳରେ ଯୋଜନା ଅନୁଯାୟୀ ପ୍ରାୟ ୬୦ ଗୋଟି ରାସ୍ତା ନିର୍ମାଣ ହୋଇଥିବା ବେଳେ ସେଗୁଡ଼ିକ ଏବେ ଯାତାୟତ ଅନୁପୋଯୋଗୀ ହୋଇପଡ଼ିଛି । ଯଦିଓ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ରକ୍ଷଣା ବେକ୍ଷଣ ବାବଦରେ କିଛି ରାସ୍ତାକୁ ମରାମତି କରାଯାଇଛି ଏବେବି ଅନେକ ରାସ୍ତା ଲୋକମାନଙ୍କ ପାଇଁ ଯାତାୟତରେ ବିପଦପୂର୍ଣ୍ଣ ହୋଇଛି । ସୂଚନା ଅନୁଯାୟୀ ପାଳଦା ମଣିନାଥପୁର ପୂର୍ତ୍ତ ବିଭାଗ ରାସ୍ତାର ପଟାପୋଲ ବଜାର ଠାରୁ ଧାମନଗରକୁ ଯାଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କଟିର କଂକ୍ରିଟ ଏବେ ଅନେକ ସ୍ଥାନରେ ଫାଟି ଆଁ କରିଥିବା ବେଳେ ସେଥିରେ ପଥଚାରୀ ମାନେ ଯିବାକୁ ସୁରକ୍ଷିତ ମଣୁନାହାଁନ୍ତି । ଉକ୍ତ ରାସ୍ତାଦେଇ ୪/୫ ଗୋଟି ପଞ୍ଚାୟତର ଲୋକ ଦୈନନ୍ଦିନ କାମ ପାଇଁ ଧାମନଗର ବଜାରକୁ ଯାଉଥିବା ବେଳେ ଅପରପଟୁ ମଧ୍ୟ ବେପାର ବଣିଜ ପାଇଁ ଲୋକମାନେ ଭଣ୍ଡାରିପୋଖରୀ ଅଞ୍ଚଚଳକୁ ଆସିଥାନ୍ତି । ଏହାଛଡ଼ା ସ୍କୁଲ କଲେଜ ଛାତ୍ରଛାତ୍ରୀ ମାନେ ଦୈନନ୍ଦିନ ରାସ୍ତାରେ ଯାତାୟତ କରୁଥିବା ବେଳେ ଅଞ୍ଚଳ ବାହାରୁ ଆସୁଥିବା ଯାତ୍ରୀ ମାନେ ଅପେକ୍ଷାକୃତ କମ୍ ବାଟ ହେଉଥିବାରୁ ଏହି ରାସ୍ତା ଦେଇ ପ୍ରସିଦ୍ଧ ଶୈବ ପିଠ ଆରଡ଼ିକୁ ମଧ୍ୟ ଯାଇଥାନ୍ତି । ଆଗକୁ ଶ୍ରାବଣ ମାସ ଆସୁଥିବାରୁ ଅଧିକାଂଶ କାଉଡ଼ିଆ ଭକ୍ତ ମାନେ ମଧ୍ୟ ଏହିବାଟ ଦେଇ ଆରଡ଼ି ଯିବେ ବୋଲି ଜଣାପଡ଼ିଛି । ରାସ୍ତାର ଜରାଜୀର୍ଣ୍ଣ ଅବସ୍ଥା ସଂପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଉପ ନିର୍ବାହୀ ଯନ୍ତ୍ରୀଙ୍କୁ ପଚାରିବାରୁ ଯେଉଁଠି କଂକ୍ରିଟ ଫାଟିଛି ତାକୁ ଦେଖି ଅସ୍ଥାୟୀ ମରାମତି କରାଯିବ । ଏଠାରେ ସୂଚୀତ ୧ ମାସ ପୂର୍ବରୁ ସ୍ଥାନୀୟ ଅଂଚଳର ଜଣେ ଠିକାଦାରକୁ ଲଗାଯାଇ ଉକ୍ତ ରାସ୍ତାର ମରାମତି କାର୍ଯ୍ୟ ହୋଇଥିବା ବେଳେ ପରେ ରାସ୍ତାରେ କିପରି ଏଭଳି ବିରାଟ ଫାଟ ସୃଷ୍ଟି ହେଲା ସେନେଇ ଲୋକଙ୍କ ମନରେ ସନ୍ଦେହ ଜାତ ହୋଇଛି ।