ଭଞ୍ଜନଗର ଠାରେ ଘୁମୁସର ମିଳିତ କଳାକାର ସଂଘ ପକ୍ଷରୁ ଶାନ୍ତିପୂର୍ଣ୍ଣ ପଦଯାତ୍ରା ଅନୁଷ୍ଠିତ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାରେ ଘୁମୁସର ମିଳିତ କଳାକାର ସଂଘ ପକ୍ଷରୁ ଶାନ୍ତିପୂର୍ଣ୍ଣ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରା ରେ ମଞ୍ଚ କଳାକାର,ଭଜନ,ମେଲୋଡି, ବ୍ୟାଣ୍ଡ୍ ପାର୍ଟି ଏବଂ ଲୋକନାଟକର ବହୁ କଳାକାର ଯୋଗ ଦେଇଥିଲେ । କୋରୋନା ଯୋଗୁଁ ଲକ୍ ଡାଉନ୍ ହେବାରୁ ୮ ମାସ ହେବ ସମସ୍ତ କାର୍ଯ୍ୟ ବନ୍ଦ ରହିଥିବା ବେଳେ ବର୍ତ୍ତମାନ ସବୁ କିଛି ସ୍ଵାଭାବିକ ହୋଇସାରିଛି । ବସ୍ ଯାତାୟାତ ସହିତ ଦୋକାନ ବଜାର ମଧ୍ୟ ସବୁ ଖୋଲି ସାରିଛି କିନ୍ତୁ କଳା କୁ ନେଇ ପେଟ ପୋଷୁଥିବା କଳାକାର ମାନେ ଆଜି ଅସହାୟ । କିଏ ଘର ବନ୍ଧା ପକେଇଛି ତ କିଏ ନିଜର ବାଦ୍ୟଯନ୍ତ୍ର ବିକ୍ରି କରି ସାରିଛି । ସମସ୍ତ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ କରିବାକୁ ଅନୁମତି, ନହେଲେ କଳାକାରଙ୍କୁ ବଞ୍ଚିବା ପାଇଁ ଆର୍ଥିକ ସହାୟତା ଦେବା ଦାବି ନେଇ ରାଜ ରାସ୍ତା କୁ ଓହ୍ଲାଇଛନ୍ତି | ଘୁମୁସର ମିଳିତ କଳାକାର ସଂଘର କଳାକାର ମାନେ । ସଂଘ ର ଆବାହକ ରବି ନାରାୟଣ ଦାଶଙ୍କ ନେତୃତ୍ୱରେ ସମସ୍ତ କଳାକାର ବାଉଶଲୁଣ୍ଡିର ନୃତ୍ୟାୟନ ସଙ୍ଗୀତ ଅନୁଷ୍ଠାନ ଠାରୁ ଭଞ୍ଜନଗର ସହର ର ମୁଖ୍ୟ ରାସ୍ତା ଦେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଥିଲେ । ସେଠାରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । କଳାକାରଙ୍କ ଦାବି ଜାନୁଆରୀ ମାସ ସୁଦ୍ଧା ଯଦି ବିଚାର ନ ନିଆଯାଏ ତାହେଲେ ସେମାନେ ଧାରଣାରେ ବସିବେ ବୋଲି କହିଛନ୍ତି |


