ଭଣ୍ଡରିପୋଖରୀ ନିର୍ବାଚନ ମଣ୍ଡଳୀରେ ତ୍ରିମୁଖୀ ଲଢେଇ: ବିଜେଡି ଓ ବିଜେପିର ଗୋଷ୍ଠୀ କନ୍ଦଳରେ କଂଗ୍ରେସ ଫାଇଦା ନେଇ ପାରିବ ତ?
ବନ୍ତ,୨୭/୪(ହରି ନାରାୟଣ ମହାନ୍ତି) : ଭଦ୍ରକ ଜିଲ୍ଲାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ର । ଏହି ନିର୍ବାଚନ ମଣ୍ଡଳୀଟି ବନ୍ତ ଓ ଭଣ୍ଡାରିପୋଖରୀ ବ୍ଲକର ୪୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ନିର୍ବାଚନ ମଣ୍ଡଳୀରେ ମୋଟ ୨ ଲକ୍ଷ ୨୨ ହଜାର ଭୋଟର ଥିବା ବେଳେ ସେଥିମଧ୍ୟରୁ ୧ ଲକ୍ଷ ୧୫ ହଜାର ପୁରୁଷ ଓ ୧ ଲକ୍ଷ ୭ ହଜାର ମହିଳା ଭୋଟର ଅଛନ୍ତି । ଏହି ନିର୍ବାଚନ କ୍ଷେତ୍ରରେ କୌଣସି ଦଳର ନେତା ଲଗାତର ୨ ଥର ଜିତି ଥିବାର ନଜିର ନଥିବା ବେଳେ ଗତ ୨୦୧୪ ମସିହାରେ ବିଚକ୍ଷଣ ରାଜନେତା ତଥା ବିଜେଡିର ବରିଷ୍ଠ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଉକ୍ତ ରେକର୍ଡକୁ ଭାଂଗି ଲଗାତର ୨ୟ ଥର ଜିତିବାର ଇତିହାସ ସୃଷ୍ଟି କରିଥିଲେ । କାରଣ ୨୦୧୪ ମସିହାରେ କଂଗ୍ରେସ ଦଳର ଗୋଷ୍ଠୀ କନ୍ଦଳ ତୀବ୍ରତର ଥିଲା । ସେହି ସୁଯୋଗର ଫାଇଦା ପ୍ରଫୁଲ୍ଲ ବାବୁ ହାତେଇ ନେଇଥିଲେ । ୨୦୧୯ ସାଧାରଣ ନିର୍ବାଚନ କିନ୍ତୁ ଏକ ସ୍ୱତନ୍ତ୍ର ନିର୍ବାଚନ ହେବାକୁ ଯାଉଛି । ଚଳିତ ନିର୍ବାଚନରେ ତୃଣମୂଳ ସ୍ତରରେ ବିଜେଡି କର୍ମୀ ଓ ପଞ୍ଚାୟତ ନେତା ଦଳ ଛାଡିଥିବା ବେଳେ ଖୋଦ୍ ସ୍ଥାନୀୟ ସାଂସଦ ଅର୍ଜ୍ଜୁନ ଚରଣ ସେଠୀ ଦଳରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଛନ୍ତି । ତାଙ୍କ ପୁତ୍ର ଅଭିମନ୍ୟୁ ସେଠୀ ବିଜେପିରୁ ଭଦ୍ରକ ଲୋକସଭା ପ୍ରାର୍ଥୀ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଅନେକ ଅସନ୍ତୁଷ୍ଟ ବିଜେଡି କର୍ମୀ ନିରବ ରହିଥିବାର ଦେଖିବାକୁ ମିଳୁଛି । ଫଳରେ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ପାଇଁ ଲଢେଇ ଏକ ସମ୍ମାନର ପ୍ରଶ୍ନ ଭାବରେ ଦେଖାଦେଇଛି । ତାଙ୍କ ପାଇଁ ତାଙ୍କର ଦୁଇ ପୁତ୍ରଙ୍କ ସମେତ ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ର, ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକ ନିର୍ବାଚନ ସଭାମାନ କରିଛନ୍ତି । ପୂର୍ବତନ ବିଧାୟକ ରଥ ଦାସ ମଧ୍ୟ ପୂର୍ଣ୍ଣ ସହଯୋଗ କରୁଥିବାର ଦେଖାଯାଉଛି । ବିଜେପି ଦଳର ଜିଲା ସଭାପତି ବଦ୍ରୀ ନାରାୟଣ ଧଳ ଦଳ ପକ୍ଷରୁ ୨ୟ ଥର ପାଇଁ ଏଠାରୁ ଲଢୁଛନ୍ତି । ପୂର୍ବରୁ ୨୦୦୯ ମସିହାରେ ଶ୍ରୀ ଧଳ କଂଗ୍ରେସ ଟିକେଟରେ ଲଢେଇ କରି ପରାସ୍ତ ହୋଇଥିଲେ । ପରେ ୨୦୧୪ ମସିହାରେ ଦଳରୁ ଟିକେଟ ନପାଇବା ଆଶଙ୍କାରେ ଦଳ ଛାଡି ବିଜେପିରୁ ପ୍ରାର୍ଥୀ ହୋଇଥିଲେ । ୨୦୧୪ ସାଧାରଣ ନିର୍ବାଚନରେ ସେ ବିଜେପିରୁ ପ୍ରାର୍ଥୀ ହୋଇ ୨୮ ହଜାର ଭୋଟ ହାତେଇ ଥିବା ବେଳେ କଂଗ୍ରେସର ସୁବ୍ରତ ଦାସ ୩୭ ହଜାରରୁ ଅଧିକ ଭୋଟ ପାଇଥିଲେ । ସେହିପରି ବିଜେଡିରୁ ପ୍ରଫୁଲ୍ଲ ସାମଲ ୭୦ ହଜାର ଭୋଟ ପାଇଥିଲେ । ଚଳିତ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିର ଗୋଟିଏ ଗୋଷ୍ଠୀ ବଦ୍ରୀ ଧଳଙ୍କୁ ବିରୋଧ କରି ଆସୁଥିବାର ଲକ୍ଷ୍ୟ କରାଯାଇଛି । ତାଙ୍କୁ ବିରୋଧ କରି ସାମ୍ବାଦିକ ପତଞ୍ଜଳୀ କରଶର୍ମା ପ୍ରାର୍ଥୀ ହୋଇଛନ୍ତି । ଉଭୟ ବିଜେଡି ଓ ବିଜେପିର ଗୋଷ୍ଠୀ କନ୍ଦଳରେ କଂଗ୍ରେସ କେତେ ଫାଇଦା ନେଇ ପାରିବ ତାହା ତାଙ୍କ ରଣକୌଶଳ ଉପରେ ନିର୍ଭର କରୁଛି । ଚଳିତ ନିର୍ବାଚନରେ ଏଠାରୁ ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରାର୍ଥୀ ହୋଇଛନ୍ତି । ସେ କଂଗ୍ରେସ ଦଳରେ ଥିବା ଗୋଷ୍ଠୀ କନ୍ଦଳକୁ ସମାଧାନ କରିବାରେ ସକ୍ଷମ ହୋଇଥିବାର ଜଣାଯାଇଛି । ପ୍ରାୟ ସବୁ ପଞ୍ଚାୟତରେ କଂଗ୍ରେସ କର୍ମୀ ମାନେ ଉତ୍ସାହର ସହିତ କାର୍ଯ୍ୟ କରୁଥିବାର ଦେଖିବାକୁ ମିଳିଛି । ଏଠାରୁ ଶ୍ରୀ ପଟ୍ଟନାୟକ ପ୍ରାର୍ଥୀ ହେବା ପରେ ଅନ୍ୟ ଦଳରୁ ବହୁ କର୍ମୀ ତାଙ୍କ ଦଳରେ ଯୋଗ ଦେଇଥିବାର ଜଣାଯାଇଛି । ବିଜେଡିର ଅଶାୟୀ ପ୍ରାର୍ଥୀ ଉଦୟ ନାରାୟଣ ନନ୍ଦ, ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ସରପଞ୍ଚ ଆନନ୍ଦ ଚନ୍ଦ୍ର ଓଝା ପରି ବହୁ ଅସନ୍ତୁଷ୍ଟ କର୍ମୀମାନେ କଂଗ୍ରେସ ଦଳ ପାଇଁ କାର୍ଯ୍ୟ କରୁଥିବାର ଦେଖିବାକୁ ମିଳିଛି । ଏପରିପେକ୍ଷୀରେ ନିରଞ୍ଜନ ପଟ୍ଟନାୟକ କଂଗ୍ରେସକୁ ଭୋଟ ଦେବାକୁ ଭୋଟର ମାନଙ୍କୁ ନିବେଦନ କରିଛନ୍ତି । ଆଗାମୀ ସାଧାରଣ ନିର୍ବାଚନରେ ଭୋଟର କାହାକୁ ବିଧାୟକ ଭାବରେ ପରଖିବେ ତାହା ସୋମବାର ମତଦାନ ପରେ ଜଣାପଡିବ । ଚଳିତ ନର୍ବାଚନରେ ୧୦ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିଲେ ମଧ୍ୟ ମୁଖ୍ୟତଃ କଂଗ୍ରେସ, ବିଜେଡି ଓ ବିଜେପି ଦଳର ପ୍ରାର୍ଥୀଙ୍କ ମଧ୍ୟରେ ଲଢେଇ ହେଉଥିବାର ଦେଖିବାକୁ ମିଳିଛି । ବିଶେଷ କରି ଚଳିତ ନିର୍ବାଚନରେ କଂଗ୍ରେସ ଦଳର ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଓ ବିଜେଡି ଦଳର ପ୍ରାର୍ଥୀ ପ୍ରଫୁଲ୍ଲ ସାମଲ ମଧ୍ୟରେ କଡା ମୁକାବିଲା ହେବ ବୋଲି ସାଧାରଣ ଭୋଟର ମାନେ କହୁଛନ୍ତି । ଆଉ ଗୋଟିଏ ଦିନ ଭୋଟ ଥିବା ବେଳେ କଂଗ୍ରେସର ପ୍ରାର୍ଥୀ ନିରଞ୍ଜନଙ୍କ ସପକ୍ଷରେ ସମର୍ଥନ ଯାଉଥିବାର ଲକ୍ଷ୍ୟ କରାଯାଉଛି ।