ଭଣ୍ଡାରିପୋଖରୀ ପୁଲିସକୁ ବଡ ସଫଳତା; ଅଶ୍ଳୀଳ ଭିଡିଓ ଭାଇରାଲ ଅଭିଯୋଗରେ ଦୁଇ ଗିରଫ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା):ସାଇବର କ୍ରାଇମ ଦିଗରେ ଏବେ ଭଣ୍ଡାରିପୋଖରୀ ପୁଲିସକୁ ଏକ ବଡ ସଫଳତା ମିଳିଥିବା ଜଣାପଡିଛି । ମିଳିଥିବା ସୂଚନା ମୁତାବକ ଥାନା ଅଧିନ ମାଳଦା ଅଞ୍ଚଳରେ ଜଣେ ନାବାଳିକାର ଅଶ୍ଳୀଳ ଫଟୋ ଓ ଭିଡିଓକୁ ଭାଇରାଲ କରାଯାଇଥିଲା । ନାବାଳିକାଟି ଯେଉଁ ସମୟରେ ସ୍କୁଲ ଯାଉଥିଲା କିଛି ଯୁବକ କୌଣସି ମତେ ଝିଅର ଫୋନ ନଂ ହସ୍ତଗତ କରିଥିଲେ । କରୋନା ପାଇଁ ସ୍କୁଲ ବନ୍ଦ ହୋଇଯିବା ପରେ ନାବାଳିକା ଜଣକ ମୋବାଇଲରେ ପାଠପଢୁଥିଲେ । ଠିକ ଏହି ସମୟରେ ଯୁବକମାନେ କୌଶଳ କରି ନାବାଳିକା ସହିତ କଥାବାର୍ତ୍ତା କରି ତାର ଅଶ୍ଳୀଳ ଫଟୋ ଓ ଭିଡିଓ ନିଜ ମୋବାଲକୁ ଆଣିଥିଲେ । ଏହାପରେ ଉଶୃଙ୍ଖଳିତ ଯୁବକ ଉକ୍ତ ଫଟୋକୁ ମୋବାଇଲରୁ ମୋବାଇଲକୁ ସ୍ଥାନାନ୍ତରିତ କରି ଚାଲିଥିଲେ । କଥା ପ୍ରଘଟ ହେବା ପରେ ନାବାଳିକାଙ୍କ ପରିବାର ଲୋକ ଏନେଇ ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ । ଅଭିଯୋଗ ମୁତାବକ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ନେତୃତ୍ୱରେ ପୁଲିସ ଅଞ୍ଚଳରେ ଚଢାଉ କରି ୭ରୁ ଅଧିକ ମୋବାଇଲ ଜବତ କରିଥିବାବେଳେ ଭିଡିଓ ସ୍ଥାନାନ୍ତର କରିଥିବା ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଆଉ କେଉଁମାନେ ଏଥିରେ ସଂପୃକ୍ତ ଅଛନ୍ତି ସେନେଇ ପୁଲିସ ଖୋଳତାଡ କରୁଥିବାବେଳେ ଅଶ୍ଳୀଳ ଭିଡିଓ କେଉଁଭଳି ଭାବେ ସ୍ଥାନାନ୍ତରିତ ନହେବ ସେଥିପ୍ରତି ତୀକ୍ଷ୍ଣ ନଜର ରଖିଛି । ଏଠାରେ ସୂଚିତ କରୋନା ମହାମାରୀ ଆସିବା ପରେ ଏବେ ସମସ୍ତ ଛାତ୍ରଛାତ୍ରୀ ଆଣ୍ଡ୍ରରଏଡ ମୋବାଇଲ ଜରିଆରେ ଶିକ୍ଷା ଗ୍ରହଣ କରୁଥିବାବେଳେ ଏହାର କୁ ବ୍ୟବହାର ମଧ୍ୟ ବଢିବାରେ ଲାଗିଛି । ତେଣୁ ଏସବୁ ଦୃଷ୍ଟିରୁ ଅଭିଭାବକ ମାନେ ଏହା ଉପରେ ତୀକ୍ଷ୍ଣ ଦୃଷ୍ଟି ଦେବା ମଧ୍ୟ ଜରୁରୀ ହୋଇପଡିଛି ।


