ଭତ୍ତାବୃଦ୍ଧି ଆନ୍ଦୋଳନକୁ ସବୁଆଡ଼ୁ ମିଳୁଛି ସମର୍ଥନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଦାବି, ଅଧିକାର, ସାମ୍ବିଧାନିକ ବିଧି କିଛି ବୁଝନ୍ତିନାହିଁ ସେମାନେ । ସେମାନେ ବୁଝନ୍ତି ଜୀବନସାରା ପ୍ରତିକୂଳ ଅବସ୍ଥାରେ ଚାଷ କରିବା ଓ ମଜୁରୀ ଲାଗିବା । ମଜୁରୀ ଲାଗି ଚାଷ କରି କରି ବୁଢା ହେବା ପରେ ନିଜର ଭାଗ୍ୟକୁ ଆଦରି ମୁହଁମାଡ଼ି ପଡ଼ିରହିବା । ଯୌଥ ପରିବାର ଭାଙ୍ଗିଗଲା ପରେ ଏବେ ବାପମାଆଙ୍କୁ ପାଖରେ ରଖିବାକୁ ସମସ୍ତେ ବଡ଼ ବୋଝ ଭାବୁଛନ୍ତି । କେହି ଭାବୁନାହାଁନ୍ତି ବୁଢା ବୟସରେ ବାପମାଆଙ୍କୁ ରଖି ଦାୟିତ୍ୱ ନିଭାଇବାକୁ । ଆମ ସଭ୍ୟ ସମାଜରେ ପାଠପଢା ଲୋକଙ୍କୁ କୁହାଯାଉଛି ସନିୟର ସିଟିଜେନ । ଆମେ ଗାଁ ଲୋକେ କହୁଛୁ ବୁଢାବୁଢୀ । ବାପମାଆଙ୍କ ପାଖରେ ନ ରଖିବାର କାରଣ ଆଜିକାଲିର ବଜାର ଦର ଦେହ ପା’ ଖରାପ ହେଲେ ଘରୋଇ ମେଡ଼ିକାଲ ଖର୍ଚ୍ଚର ଚାପ ଏସବୁ ପାରିବାରିକ ସମ୍ପର୍କକୁ ଦୁର୍ବଳ କରୁଛି । ଏହି ସମୟରେ ଆମ ଗଣତାନ୍ତ୍ରିକ ଜନମଙ୍ଗଳ ରାଷ୍ଟ୍ର ଏହି ଚାଷୀମୂଲିଆ, ବିକଳାଙ୍ଗ, ବିଧବା ଲୋକଙ୍କ ପାଇଁ ଯେଉଁ ୫୦୦ଟଙ୍କାର ସହାୟତା ଘୋଷଣା କରିଛି ତାହା ସମୁଦ୍ରକୁ ଶଙ୍ଖେ ପରି । ଏହି ୫୦୦ଟଙ୍କା ଅଭାବୀ ଭତ୍ତା ବି ପରିବାରରେ ଝଗଡ଼ା ଲଗାଇଛି । ଭତ୍ତା ପଇସା ବୁଢାବୁଢୀ ଯେଉଁ ପୁଅକୁ ନଦେଲେ, ତାର ମୁହଁ ଏଡ଼େ । ଭତ୍ତା ପଇସା ନଦେଲେ ଖାଇବା ବନ୍ଦ । ଗ୍ରାମାଞ୍ଚଳରେ ଯେଉଁମାନେ ବିଜେଡି ଭୋଟର ମୂଳ ସମ୍ବଳ, ସେମାନଙ୍କ ଭିତରେ ଏତେ ସାମାଜିକ ଅସନ୍ତୁଳନ, ଦାରିଦ୍ର‌୍ୟର କଷାଘାତାକୁ ବୁଝିପାରୁ ନାହଁନ୍ତି ସରକାର । ସରକାରୀ ଚାକିରୀରେ ଥିବା ଭାଗେ କର୍ମଚାରୀ ଓ ପେନସନଭୋଗୀଙ୍କୁ ସରକାର ସୁନାଥାଳିରେ ଟଙ୍କା ପରଷିବା ଭଳି ଦରମା ଓ ପେନସନ ଦେଉଥିବା ବେଳେ ଏହି ବୁଢାବୁଢୀ ଓ ମଉସା ମାଉସୀ ମାନଙ୍କର ପେଟ ଚାଖଣ୍ଡକ ପ୍ରତି ଆଖି ବୁଜି ଦେଇଛନ୍ତି । ଆମେ ଭତ୍ତା ମାନେ ବୁଝୁ ଭରଣପୋଷଣ ଖର୍ଚ୍ଚ । ଜଣେ ସର୍ବନିମ୍ନ ଦିନକୁ ଯଦି ଦୁଇବେଳା ଖାଦ୍ୟ ଓ ଗୋଟିଏ ଥର ଜଳଖିଆ ଖାଏ ଓ ବର୍ଷକୁ ଦୁଇହଳ ଗାମୁଛା ପିନ୍ଧେ, ତେବେ ସର୍ବନିମ୍ନ ୧୫୦୦ରୁ ୨୦୦୦ ଖର୍ଚ୍ଚ ହେବ । ଏହି ଆଧାରକୁ ବିଚାର କରି ଭାରତବର୍ଷର ପାଖାପାଖି ୮ଟି ରାଜ୍ୟର ବିଧବା ଭତ୍ତା ପରିମାଣ ୨୦୦୦ ଟଙ୍କା ଥିଲାବେଳେ ଅନ୍ୟ ରାଜ୍ୟରେ ୧୨୦୦ରୁ ୧୫୦୦ ଟଙ୍କା । ଆସନ୍ତା ଜାନୁୟାରୀ ପହିଲାରୁ ଆନ୍ଧ୍ର ସରକାର ଭତ୍ତା ପରିମାଣ ୨୫୦୦ ଟଙ୍କା କରିତେବେ । ଅଥଚ ଆମ ରାଜ୍ୟରେ ଖଣି, କ୍ରୋମ୍‌, କୋଇଲା, ବକ୍ସାଇଟ୍‌, ଜଙ୍ଗଲ ଓ ନଈବାଲି ସବୁଥିରୁ ରାଜସ୍ୱ ଆଦାୟ ହେଉଥିବା ବେଳେ ଆମ ରାଜ୍ୟର ବୁଢାବୁଢୀଙ୍କ ଭତ୍ତା ମିଳେ ମାତ୍ର ୫୦୦ ଟଙ୍କା । ଆମ ରାଜ୍ୟର ଭତ୍ତା ପରିମାଣ ଠାରୁ ଆନ୍ଧ୍ରର ଭତ୍ତା ୫ଗୁଣ ଅଧିକ । ରାଜତନ୍ତ୍ର, ଜମିଦାରୀ, ସାମନ୍ତବାଦ ଗଲାପରେ ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ରରେ ଏଭଳି ଅବିଚାର ଓ ବିଷମତାକୁ ଜାଣିଶୁଣି କରାଯାଉଛି । ମତ୍ସ୍ୟ ନ୍ୟାୟ ପରି ଯାହା ବଳ ଅଧିକା ସେ ଅଧିକା ଶୋଷିନେବା ପରି ସରକାରୀ ଚାକିରୀଆ, ଶିଳ୍ପପତି ଓ ରାଜନେତା ସମସ୍ତେ ସେମାନଙ୍କର ଭାଗ ନେଲା ପରେ ଏହି ବରିଷ୍ଠ ନାଗରିକମାନଙ୍କ କଥା ଏକରକମ ଭୁଲି ଯାଇଛନ୍ତି ସରକାର । ଏହି ଭିତ୍ତିଭୂମି ଉପରେ ନବନିର୍ମାଣ କୃଷକ ସଂଗଠନ ତରଫରୁ ଗତ ଏକମାସ ଧରି ନୀଳଗିରିରୁ ନିଆଳୀ, ବୌଦ୍ଧରୁ ବଡ଼ମ୍ବା, ବାଲେଶ୍ୱରରୁ ବାଲିକୁଦା ସବୁଆଡ଼େ ଅଭିଯାନ ଚାଲିଛି ଭତ୍ତା ସର୍ବନିମ୍ନ ୧୫୦୦ ଟଙ୍କା କର । ସବୁଠାରୁ ବଡ଼କଥା ହେଲା ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବା ବେଳେ ଆଉ ରାଜ୍ୟର ୫୮ ଲକ୍ଷ ବୁଢାବୁଢୀଙ୍କ ଭୋଟ ବିଜେଡ଼ି ହାତରେ ଥିବା ଦାବି କରୁଥିବା ବେଳେ ଏହି ଭୋଟରେ ଏକ ବଡ଼ ଧରଣର ଗୋଳମାଳ କରିବା ପାଇଁ ଲକ୍ଷ୍ୟ ରଖିଛି ନବନିର୍ମାଣ କୃଷକ ସଂଗଠନ । ରାକେଶ ଟିକ୍କାୟତ ୟୁପିରେ ଭୋଟ କି ଚୋଟ୍ ଡ଼ାକରା ଦେଲା ବେଳେ ଏଠାରେ ସଂଗଠନ ତରଫରୁ ସିଧା ଆହ୍ୱାନ ଦିଆଯାଇଛି ଯେ, ଯେଉଁ ସରକାରୀ କର୍ମଚାରୀଙ୍କୁ ସରକାର କୋଟି କୋଟି ଟଙ୍କା ଦରମା, ପେନସନ ଅଜାଡ଼ି ଦେଉଛନ୍ତି, ସେହିମାନଙ୍କୁ ସରକାର ଭୋଟ ମାଗନ୍ତୁ । ସହରୀ ଧଳାହାତୀ ଓ ତାଙ୍କ ପରିବାର ବିଜେଡ଼ିକୁ ଭୋଟ ଦିଅନ୍ତୁ । ଏବେ ସ୍ଲୋଗାନ, ଆମେ ଦୁଃଖି, ଆପଣଙ୍କ ପ୍ରାୟୋଜିତ ସ୍ଲୋଗାନରେ ଭଳିବୁ ନାହିଁ । ଗାଁର କଳାପିଠିଆ ଚାଷୀ, ମୂଲିଆ ବୁଢା ହେଲା ପରେ ଆଉ ଅତ୍ୟାଚାରୀ ସରକାରକୁ ବୋହିବାକୁ ବଳ ନାହିଁ । ମୁଁ ଖୁସି, ଆପଣମାନେ ଖୁସି ସ୍ଲୋଗାନ ଖୁବ୍ ହୋଇଗଲା । ଏବେ ଗାଁ ଗାଁରେ ଏକଥା ପ୍ରଚାର କରିବା ପାଇଁ ନିର୍ବାଚନର ବହୁ ପୂର୍ବରୁ ଛକମାନଙ୍କରେ ପ୍ରଚାରପତ୍ର ଓ ବ୍ୟାନର ଲାଗିଲାଣି । ସବୁ ଗାଁରେ ବୁଢାବୁଢୀମାନେ ସ୍ଥାନୀୟ ବିଧାୟକଙ୍କୁ ବାଟରେ ଅଟକାଇ ଓଡ଼ିଶା ସରକାର କଣ ପାଇଁ ଭତ୍ତାରେ ଏତେ ପାତର ଅନ୍ତର କରୁଛନ୍ତି ବୋଲି ପଚାରିବେ । ପ୍ରତି ଜିଲ୍ଲା ସଦର ମହକୁମା ଓ ବ୍ଲକରେ ସଂଗଠନ ତରଫରୁ ରାଲିର ଆୟୋଜନ କରାଯିବ ବୋଲି ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଏଥର ୫୮ଲକ୍ଷ ଭୋଟରେ ଗୋଳମାଳ ନିଶ୍ଚିତ । ନିର୍ବାଚନ ବହୁ ପୂର୍ବରୁ ପ୍ରତି ପରିବାରରେ ଡ଼ୋର ପୋଷ୍ଟର ଓ ବ୍ୟାନର ମରାଯାଇ ନବୀନଙ୍କ ଗରିବ ଓ କୃଷକ ବିରୋଧୀ ଭାବମୂର୍ତ୍ତି ନେଇ ପ୍ରଚାର କରାଯିବ ବୋଲି ଶ୍ରୀ ନନ୍ଦ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ