୧୮୧୭ ମସିହାର ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧିନତା ସଂଗ୍ରାମ ଦାବି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ୧୮୧୭ ମସିହାର ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଦାବି ଓ ଖୋର୍ଦ୍ଧାର ବରୁଣେଇଠାରେ ପାଇକ ସ୍ମୃତସ୍ତମ୍ଭ ପାଇଁ ରାଷ୍ଟ୍ରପତି ଶିଳାନ୍ୟାସ କରିଥିବା ସ୍ଥାନକୁ ବିନା ମୂଲ୍ୟରେ ପ୍ରଦାନ ଦାବିରେ ଓଡ଼ିଶା ବୀର ମହାସଂଘ ପକ୍ଷରୁ ଆଜି ଖୋର୍ଦ୍ଧର୍ାର ବରୁଣେଇ ଠାରୁ ପ୍ରାୟ ୩୦୦୦ରୁ ଉର୍ଦ୍ଧ୍ୱ ପାଇକ ଆଖଡ଼ା ଦଳ, ଦଳେଇ, ଦଳବେହେରା, ପାଇକ ସର୍ଦ୍ଦାର, ଐତିହାସିକ ଓ ସାମରିକ ପରମ୍ପରାର ଗବେଷକ ମା’ ବରୁଣେଇଙ୍କୁ ପୂଜାର୍ଚ୍ଚନା କରି ଏକ ବିଶାଳ ଶୋଭାଯାତ୍ରାରେ ଖୋର୍ଦ୍ଧାଗଡ଼ରୁ ବୀର ମାଟି ସଂଗ୍ରହ କରି ପଞ୍ଚପାଇକ ମହାରଥୀଙ୍କୁ ପୁଷ୍ପମାଲ୍ୟ ପ୍ରଦାନ କରିବା ପରେ ଖୋର୍ଦ୍ଧା ସହର ପରିକ୍ରମା କରିଥିଲେ । ଏହା ପରେ ଏହି ପାଇକବାହିନୀ ଓ ଓଡ଼ିଶାର କୋଣ ଅନୁକୋଣରୁ ଆସିଥିବା ୫୦୦୦ ପାଇକବାହିନୀ ଭୁବନେଶ୍ୱରସ୍ଥିତ ମାଷ୍ଟର କ୍ୟାଣ୍ଟିନଛକରୁ ଯୁଦ୍ଧ ବାଦ୍ୟର ତାଳେ ତାଳେ ପାଇକ ଆଖଡ଼ା ପ୍ରଦର୍ଶନ କରି ଦାବି ପୂରଣ ପାଇଁ ସ୍ଲୋଗାନ ଦେଇ ବିରାଟ ଶୋଭାଯାତ୍ରାରେ ରାମ ମନ୍ଦିର ଛକ ଦେଇ ଏକାମ୍ର ହାଟ ପର୍ଯ୍ୟନ୍ତ ଆସିଥିଲେ । ସେଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ବୀର ମହାସଂଘର ସଭାପତି ଡଃ ପ୍ରକାଶ ଶ୍ରୀଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରି ବୀର ମହାସଂଘର ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ କହିଥିଲେ ଆମର ନ୍ୟାର୍ଯ୍ୟଦାବି ପୂରଣ ପାଇଁ ଆଜି ଆଉ ଏକ ପାଇକ ସଂଗ୍ରାମର ବିଗୁଲ୍ ବାଜିଲା । ଯଦି ପାଇକ ବିଦ୍ରୋହକୁ କେନ୍ଦ୍ର ସରକାର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ପ୍ରଦାନ ନ କରନ୍ତି, ଏହାପରେ ଦିଲ୍ଳୀ ଯାଇ ପାଇକ ବାହିନୀ ସେଠାରେ ବିପ୍ଲବ କରିବା ସହିତ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ସଂସ୍କୃତିମନ୍ତ୍ରୀ ଆଦିଙ୍କୁ ଦାବିପତ୍ର ପ୍ରଦାନ କରିବେ । ଯେପର୍ଯ୍ୟନ୍ତ ଦାବି ହାସଲ ନ ହୋଇଛି, ସେପର୍ଯ୍ୟନ୍ତ ସଂଗ୍ରାମ ଚାଲୁ ରହିବ ବୋଲି ଡଃ ଶ୍ରୀଚନ୍ଦନ କହିଥିଲେ । ସେହିପରି ରାଜ୍ୟ ମୁଖ୍ୟମନ୍ତ୍ରୀ, ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଖୋର୍ଦ୍ଧାର ବରୁଣେଇଠାରେ ଶିଳାନ୍ୟାସ କରିଥିବା ସ୍ଥାନକୁ ପାଇକ ସ୍ମୃତିସ୍ତମ୍ଭ ନିର୍ମାଣ ପାଇଁ ଯଥାଶୀଘ୍ର ଜାଗା ଯୋଗାଇ ନଦେଲେ ବିପ୍ଲବର ବହ୍ନି ଅନୁରୂପ ଭାବେ ଚାଲୁ ରହିବ ବୋଲି ସେ ଚେତାବନୀ ଦେଇଥିଲେ । ଏହି ସଭାରେ ଜଟଣୀର ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ, ଚିଲିକାର ପୂର୍ବତନ ବିଧାୟକ ଡା ଦେବେନ୍ଦ୍ର ମାନସିଂ, କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ନରେନ୍ଦ୍ର ପୃଷ୍ଟି, ଅନ୍ୟତମ ସମାଜସେବୀ ଗଣେଶ ସାମନ୍ତରାୟ, ବିଶିଷ୍ଟ ଐତିହାସିକ ତଥା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ ରେଜିଷ୍ଟର ଡଃ ନାରାୟଣ ରାଓ, ଗବେଷକ ଡଃ ଗୋପାଳ କୃଷ୍ଣ ଦାସ, ବିଶିଷ୍ଟ ବିଜେପି ନେତା ଅବନୀ ଜେନା, ନିଖିଳ ଓଡ଼ିଶା ପାଇକ ମହାସଂଘର ସଭାପତି ଡଃ ଅଶୋକ ପାଲଟାସିଂହ, ପାଇକ ସର୍ଦ୍ଦାର କେଦାର ଦାସ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରି କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଉଭୟ ଦୁଇଟିଯାକ ଦାବି ପୂରଣ ନକଲେ ବିପ୍ଲବ ଅନୁରୂପ ଭାବରେ ଚାଲୁ ରହିବ ବୋଲି ଚେତାବନୀ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ