ଭତ୍ତା ଟଙ୍କାରେ ପଥଚାରୀଙ୍କୁ ବାଣ୍ଟୁଛନ୍ତି ଦହି ପଣା
ନିମାପଡ଼ା,(ସନ୍ତୋଷ କୁମାର ଦାଶ): ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ବିଭିନ୍ନ ସ୍ବେଛାସେବୀ ସଂଗଠନ ଓ ଦାତା ମାନଙ୍କ ପକ୍ଷରୁ ବିଭିନ୍ନ ସ୍ଥାନ ରେ ଜଳ ଛତ୍ର ଖୋଲାଯାଇ ତୃଷାର୍ତ୍ତ ମାନଙ୍କୁ ଥଣ୍ଡା ପାଣି, ଦହି ପଣା ଟଙ୍କ ତୋରାଣି ପିଇବା ପାଇଁ ପ୍ରଦାନ କରା ଯାଉଛି। କିନ୍ତୁ କୌଣସି ସରକାରୀ ଅନୁଦାନ କିମ୍ବା ବେସରକାରୀ ଚାନ୍ଦା, ସାହାଯ୍ୟ, ସହଯୋଗ ନଥାଇ ନିଜ ଭତ୍ତା ଟଙ୍କାରୁ ଖର୍ଚ୍ଚ କରି ପ୍ରଚଣ୍ଡ ଖରାରେ ବସି ପଥଚାରୀ ଙ୍କୁ ଦହିପାଣି ବାଣ୍ଟି ଚାଲିଛନ୍ତି ୭୪ ବର୍ଷୀୟ ଦଣ୍ଡପାଣି ସାହୁ। ନିମାପଡ଼ା ଏନଏସି ୬ନଂ ୱାର୍ଡ଼ ଅମଲାପଡାର ବାସିନ୍ଦା ଦଣ୍ଡପାଣି ସାହୁ। ପରିଣତ ବୟସରେ ଅବସ୍ଥିତ। ଯୁବକ ଅବସ୍ଥା ରୁ ଆଜି ପର୍ଯ୍ୟନ୍ତ ସମାଜସେବା କୁ ସେ ବ୍ରତ ଭାବେ ଗ୍ରହଣ କରି ଆସିଛନ୍ତି। ବନ୍ୟା, ବାତ୍ୟା ଠାରୁ ଆରମ୍ଭ କରି ଘରପୋଡି, ସଡ଼କ ଦୁର୍ଘଟଣା, ମେଡ଼ିକାଲ ରେ ରୋଗୀ ସେବା ପର୍ଯ୍ୟନ୍ତ ସବୁଠି ଆଗେ ଦଣ୍ଡପାଣି ପହଞ୍ଚି ଯାଇଥାନ୍ତି। ମାନବ ସେବା ହିଁ ମାଧବ ସେବାକୁ ମୂଳମନ୍ତ୍ର କରିଛନ୍ତି ଦଣ୍ଡପାଣି। ଦୀର୍ଘଦିନ ହେଲା ପାଣି ସେ ସେବା କରି ଆସୁଛନ୍ତି। ଗ୍ରୀଷ୍ମଋତୁରେ ପ୍ରଚଣ୍ଡ ଖରାରେ ରାସ୍ତାକଡ ରେ ବସି ରାସ୍ତାରେ ଯାତାୟତ କରୁଥିବା ପଥଚାରୀ ମାନଙ୍କୁ ଦହିପାଣି ବାଣ୍ଟୁଛନ୍ତି। ବର୍ଷକର ଭତ୍ତା ଟଙ୍କାରୁ କିଛିକିଛି ସଞ୍ଚୟ କରି ଖରା ୪ମାସ ପ୍ରତିବର୍ଷ ସେ ପଥଚାରୀ ମାନଙ୍କୁ ଦହିପାଣି ବାଣ୍ଟିଥାନ୍ତି। ନିମାପଡ଼ାର ଅନେକ ଅନୁଷ୍ଠାନ ପକ୍ଷରୁ ଅନେକ ସ୍ଥାନ ରେ ଜଳଛତ୍ର ଖୋଲାଯାଇଛି ସତ।କିନ୍ତୁ ଦଣ୍ଡପାଣିଙ୍କ ଦହି ପାଣି ନିଆରା ଅଟେ । ଦହି, ଲେମ୍ବୁ, ପୁଦିନାପତ୍ର, କମଳାପତ୍ର ଓ ନିର୍ମାଲ୍ୟ ରେ ସେ ଦହିପଣା ପ୍ରସ୍ତୁତ କରିଥାନ୍ତି। ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଟଙ୍କ ତୋରାଣି ସଦୃଶ ତାଙ୍କ ଦହି ପଣା ର ସ୍ୱାଦ ଲାଗିଥାଏ। ପ୍ରଚଣ୍ଡ ଖରାରେ ରାସ୍ତାରେ ଯାଉଥିବା ଲୋକଙ୍କୁ ଡାକି ଦଣ୍ଡପାଣି ଦହିପାଣି ପିଆଇଥାନ୍ତି। ଦଣ୍ଡପାଣିଙ୍କ ଏତାଦୃଶ ସେବାକାର୍ଯ୍ୟ କୁ ସବୁ ମହଲରୁ ପ୍ରଶଂସା କରା ଯାଇଛି ।ମୋର କାଣିଚାଏ ସ୍ୱାର୍ଥ ନାହିଁ ଏଥିରେ। ପାଣିପିଇ ଲୋକେ ଖୁସି ହେଲେ ମତେ ଆତ୍ମସନ୍ତୋଷ ମିଳିଥାଏ ବୋଲି କୁହନ୍ତି ଦଣ୍ଡପାଣି।