ଭରଚୁଆଲ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଏକଲବ୍ୟ ଆବାସିକ ବିଦ୍ୟାଳୟ ଉଦଘାଟିତ
କୋରାପୁଟ,(ୱା ଏନ ଏସ):କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକର ପାଡୁଆ ଠାରେ ବହୁ ପ୍ରତିକ୍ଷୀତ ଏକଲବ୍ୟ ଆବାସିକ ବିଦ୍ୟାଳୟ ଉଦଘାଟିତ ହୋଇଯାଇଛି l ବିହାରର ଜାମୁଇ ଜିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ବିଭିନ୍ନ ରାଜ୍ୟ ଓ ଜିଲ୍ଲାର ଏକଲବ୍ୟ ଆବାସିକ ବିଦ୍ୟାଳୟ ଉଦଘାଟନ କରିଥିଲେ। ତେବେ ଏହି କାର୍ଯ୍ୟକ୍ରମରେ ପଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡାମ ନିମନ୍ତ୍ରିତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ କୋରାପୁଟ ଅତରିକ୍ତ ଜିଲ୍ଲାପାଳ ଆଲୋମଣୀ ସେଠୀ, ଉପ ଜିଲ୍ଲାପାଳ ବେଣୁଧର ଶବର, ନନ୍ଦପୁର ବିଡ଼ିଓ ଦୁର୍ଗା ପ୍ରସାଦ ଦୋରା, ଜିଲ୍ଲା ମଙ୍ଗଳ ଅଧିକାରୀ ସୁନୀଲ କୁମାର ତାଣ୍ଡିଙ୍କ ସମେତ ପାଡ଼ୁଆ ଅଞ୍ଚଳର ବହୁମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।ଦୁର୍ଗମ ଅଂଚଳ ନନ୍ଦପୁର ବ୍ଲକ ପାଡୁଆ ଠାରେ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ଏକଲବ୍ୟ ବିଦ୍ୟାଳୟ ନୂତନ ଆଶାର ଆଲୋକ ଆଣିବ ବୋଲି ବିଧାୟକ ଶ୍ରୀ କାଡାମ କହିଛନ୍ତି।ଏହି କାର୍ଯ୍ୟକ୍ରମରେ ନନ୍ଦପୁର ଏସଡିପିଓ ସମ୍ବିତ କୁମାର ମାଝୀ , ପ୍ରୋବେସନାରୀ ଥାନା ଅଧିକାରୀ ପାଣ୍ଡଵ ଶବର, ନନ୍ଦପୁର ସାଂସଦ ପ୍ରତିନିଧି ଗୋପାଳ ମାଟାମ, ଯୁବ ନେତା ରାମକୃଷ୍ଣ ପାଡାଲ, କାମେଶ କାମୁଡି, ସଂଜୀବ ଖରାଙ୍କ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମକୁ ନନ୍ଦପୁର ବ୍ଲକ ଡବ୍ଲୁଇଓ ସୁବ୍ରତ କୁମାର ପରିଡା ପରିଚାଳନା କରିଥିଲେ ।ଏହି କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଉଦଘାଟନ ଫଳକରେ ସ୍ଥାନୀୟ ବିଧାୟକଙ୍କ ନାଁ ନ ଥିବା ଦେଖି କଂଗ୍ରେସ କର୍ମୀମାନେ ପାଟିତୁଣ୍ଡ କରି ତୁରନ୍ତ ଫଳକକୁ ବାହାରକୁ ନେଇ ଯିବାକୁ ଦାବି କରିଥିଲେ।ଉକ୍ତ ଫଳକରେ କଂଗ୍ରେସ ସାଂସଦଙ୍କ ନାମ ରହିଥିଲା ।କିନ୍ତୁ ଜଣେ ଜନଜାତି ନେତା ,ବିଧାୟକ ,କଂଗ୍ରେସ ବିଧାୟକ ଦଳ ନେତାଙ୍କ ନାମ ନ ରହିବା ଦୁଃଖ ଓ କ୍ଷୋଭର ବିଷୟ ଅଟେ ବୋଲି କାମେଶ କାମୁଡି କହିଛନ୍ତି । ସାଂସଦଙ୍କ ନାମ ରହିଛି ଖୁସି ଲାଗିଲା କିନ୍ତୁ ମୋ ନାମ କାହିଁକି ରହିଲା ନାହିଁ ତାହା ମୁଁ ଜାଣି ପାରୁ ନାହିଁ ବୋଲି ବିଧାୟକ ଶ୍ରୀ କାଡାମ କହିଛନ୍ତି । କଂଗ୍ରେସ ଲୋକ ବୋଲି ରାଜ୍ୟ ତଥା କେନ୍ଦ୍ର ସରକାର ଅଣଦେଖା କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।