ଭରତପୁର ପଂଚାୟତରେ ସ୍ୱାଧୀନତା ଦିବସ ଉପଲକ୍ଷେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ
କେନ୍ଦ୍ରାପଡା : ଭରତପୁର ପଂଚାୟତରେ ୭୩ତମ ସ୍ୱାଧୀନତା ଦିବସ ଅବସରରେ ଗୁରୁବାର ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସରପଂଚ ଜୀନତପ୍ରିୟଦର୍ଶିନୀ ରାଉତ ଜାତୀୟ ପତାକା ଉତ୍ତୋଳନକରି ସମବେତ ଗ୍ରାମପଂଚାୟତବାସୀଙ୍କୁ ଦେଶପ୍ରେମରେ ଉଦବୁଧ ହେବାକୁ ଆହ୍ୱାନ ଦେଇଥିଲେ । ପରେ ପଂଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ସ୍ୱତନ୍ତ୍ର ଗ୍ରାମସଭାରେ ଅଧ୍ୟକ୍ଷତା କରି ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଉପସ୍ଥିତ ପଂଚାୟତବାସୀଙ୍କୁ ଅବଗତ କରାଇଥିଲେ । ଏହି ଅବସରରେ ପଂଚାୟତର ବରିଷ୍ଠ ନାଗରିକମାନଙ୍କୁ ସମ୍ମାନୀତ କରାଯିବା ସହିତ ଚଳିତବର୍ଷର ଶ୍ରେଷ୍ଠ ବୟୋଜ୍ୟେଷ୍ଠ ବ୍ୟକ୍ତିତ୍ୱ ତଥା ସମାଜସେବୀ ଜଗନ୍ନାଥପୁର ଗ୍ରାମର ରାଜକିଶୋର ମହାନ୍ତିଙ୍କୁ ସରପଂଚ ଶ୍ରୀମତୀ ରାଉତ ପୁଷ୍ପଗୁଛ,ଉତ୍ତରୀୟ ଓ ମାନପତ୍ର ପ୍ରଦାନକରି ସମ୍ବର୍ଦ୍ଧିତ କରିଥିଲେ । ଗ୍ରାମସଭାରେ ଯୋଗଦେଇଥିବା ପଂଚାୟତବାସୀ ଓ ୱାର୍ଡସଭ୍ୟ/ସଭ୍ୟାମାନଙ୍କ ଠାରୁ ନୂତନ ପ୍ରକଳ୍ପ ଗୁଡିକ ଗ୍ରହଣ କରାଯିବା ସହିତ କଠିନ ବର୍ଜ୍ୟବସ୍ତୁର ପରିଚାଳନା, ଜଳ ସଂରକ୍ଷଣ ଓ ବୃକ୍ଷରୋପଣ ସମ୍ପର୍କରେ ଆଲୋଚନା କରାଯାଇଥିଲା । ରାକ୍ଷୀ ପୂର୍ଣ୍ଣମା ଅବସରରେ କଲ୍ୟାଣି ମହାସଙ୍ଘର ସଭ୍ୟାମାନଙ୍କ ଦ୍ୱାରା ରକ୍ଷାବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶେଷରେ ପଂଚାୟତ ନିର୍ବାହୀ ଅଧିକାରୀ ଯଦୁମଣୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।