ଭଲ କାର୍ଯ୍ୟ କରିଥିବା କୋଭିଡ୍ ଯୋଦ୍ଧା ମାନଙ୍କୁ ସ୍ବାଧୀନତା ଦିବସ ଦିନ ସମ୍ବର୍ଦ୍ଧନା

ଛତ୍ରପୁର,(ଓ୍ବାଇଏନ୍ଏସ୍): ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ. ତହସିଲଦାର, କାର୍ଯ୍ୟ ନିର୍ବାହୀ ଅଧିକାରୀ, ଚିକିତ୍ସା ଅଧିକାରୀ ଓ ସ୍ବାସ୍ଥ୍ୟ ଅଧିକାରୀ ମାନଙ୍କ ସହ କୋଭିଡ୍ ପରିଚାଳନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।ସମସ୍ତ ଅଧିକାରୀ ମାନଙ୍କୁ ଟେଷ୍ଟିଂ ସଂଖ୍ୟା ବୃଦ୍ଧି କରିବା ନେଇ ଜିଲ୍ଲାପାଳ ଗୁରୁତ୍ବ ଆରୋପ କରିଥିଲେ । ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ହେଉଥିବା ହେତୁ ଲୋକଙ୍କ ଚଳପ୍ରଚଳକୁ ବାରଣ କରିବା ସକାଶେ ପ୍ରବେଶ ଓ ପ୍ରସ୍ଥାନ ଫାଟକ କୁ ଅଧିକ କଡାକଡି କରିବାପାଇଁ ଜଣାଇଥିଲେ । ଯେଉଁ ଅଞ୍ଚଳରେ ସଂକ୍ରମିକ ବ୍ୟକ୍ତି ଚିହ୍ନଟ ହେଉଛନ୍ତି ସେହି ଚିହ୍ନଟ ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ କରି ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯିବ । ଜୁମ୍ ଭିଡିଓ ମାଧ୍ୟମରେ ଗୃହରେ ଏକାନ୍ତ ଥିବା ସଂକ୍ରମିତ ବ୍ୟକ୍ତି, କୋଭିଡ୍ କେୟାର ସେଣ୍ଟରରେ ଚିକିତ୍ସିତ ହେଉଥିବା ସଂକ୍ରମିତ ବ୍ୟକ୍ତି ମାନଙ୍କ ସହ ଆଲୋଚନା କରି ସେମାନଙ୍କର ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝନ୍ତୁ । ଏତତ୍ ବ୍ୟତୀତ ସରପଞ୍ଚ ମାନଙ୍କ ସହିତ ମଧ୍ୟ ଜୁମ୍ ଭିଡିଓ ମାଧ୍ୟମରେ ଯୋଗାଯୋଗ କରିବାକୁ ପ୍ରବର୍ତ୍ତାଇଥିଲେ । ବହୁବାର ସତର୍କତା କରିବା ପରେ ମଧ୍ୟ ଦୋକାନ ଗୁଡିକ ପଞ୍ଚସୂତ୍ର ନିୟମ ପାଳନ କରୁ ନଥିବା ନଜରକୁ ଆସୁଛି । ଏଭଳି ଦୋକାନ ଖୋଲୁଥିବା ବ୍ୟବସାୟୀ ମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।
ବୈଠକରେ ୨୪ ଘଣ୍ଟିଆ ହେଲ୍ପ ଲାଇନ୍, ମେଡିକାଲ କିଟ୍ ପ୍ରଦାନ, ସହରାଞ୍ଚଳ କୋଭିଡ୍ ପରିଚାଳନା, ଯାନବାହାନ ଅସୁବିଧା, ଇତ୍ୟାଦି ବିଷୟ ସୁବିସ୍ତୃତ ଆଲୋଚନା ହୋଇଥିଲା । ଆଗାମୀ ଅଗଷ୍ଟ ୧୫ ତାରିଖ ଦିନ ସ୍ବାଧୀନତା ଦିବସ ପାଳନ ଅବସରରେ ସମସ୍ତ ବ୍ଳକ୍ ଗୁଡିକରେ ସୀମିତ ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ନିଜନିଜ ସ୍ତରରେ ଜାତୀୟ ପତାକା ଉତ୍ତୋଳନ କରିବେ । କୋଭିଡ୍ ପରିଚାଳନାଗତ କାର୍ଯ୍ୟରେ ଭଲକାର୍ଯ୍ୟ ସଂପାଦନା କରିଥିବା କୋଭିଡ୍ ଯୋଦ୍ଧା ମାନଙ୍କୁ ପ୍ରୋତ୍ସାହନ ସକାଶେ ସମ୍ମାନୀତ କରିବାପାଇଁ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଥିଲେ ।ଆଜିର ଭିଡିଓ କନଫରେନ୍ସିଂ ରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଂକର ସ୍ବାଇଁ, ସ୍ବତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ପାରୁଲ ପଟ୍ଟଓ୍ବାରୀ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ଦୁଇଜଣ ଆଇ.ଏ.ଏସ୍. ପ୍ରୋବେସନ୍, ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ, ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଉମାଶଙ୍କର ମିଶ୍ର, ଜାତୀୟ ଗ୍ରାମ୍ୟ ସ୍ବାସ୍ଥ୍ୟ ମିଶନ୍ ଜିଲ୍ଲା ସଂଯୋଜକ ଶ୍ୟାମ ସୁନ୍ଦର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ