ଭାଇଚାରାର ସନ୍ଦେଶ ପହଞ୍ଚାଇବା ଲାଗି ଦୌଡ଼ୁଛନ୍ତି ସୁଫିଆ
ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ସମାଜରେ ଭାଇଚାରା ଓ ଉତ୍ତମ ସନ୍ଦେଶ ପହଞ୍ଚାଇବା ଲାଗି କାମ କରିଥାନ୍ତି। ସେହିପରି ଅଜମେରର ଅଲ୍ଟ୍ରା ରନ୍ର ସୁଫିଆ ଖାନ ଭାରତର ୨୨ଟି ସହରରେ ଭାଇଚାରା, ଏକତା, ଶାନ୍ତି ଓ ସମାନତା ସନ୍ଦେଶ ପହଞ୍ଚାଇବା ଲାଗି ଦୌଡ଼ିବା ସହିତ ଏକ ରେକର୍ଡ ନିଜ ନାମରେ କରିଛନ୍ତି। ଏବେ ସେ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ସାମିଲ୍ ହୋଇସାରିଛନ୍ତି।
୩୩ ବର୍ଷୀୟା ସୁଫିଆ ୮୭ ଦିନରେ ୪୦୩୫ କିମି ଦୌଡ଼ି ୨୨ଟି ସହର ଯାତ୍ରା କରିଥିଲେ। କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଯାତ୍ରା କରିଥିବା ଏହି ଯାତ୍ରା ସମୟରେ ଭାଇଚାର ସନ୍ଦେଶ ମଧ୍ୟ ଦେଇଛନ୍ତି। ସୁଫିଆଙ୍କ ଏହି ମିଶନ ୧୦୦ ଦିନରେ ପୂରା କରିବାକୁ ଚାହୁଁଥିଲେ। କିନ୍ତୁ ଏହି ଯାତ୍ରା ସେ ୮୭ ଦିନରେ ପୂରା କରିପାରିଛନ୍ତି। ସୁଫିଆ ଯେତେବେଳେ ନିଜ ‘ମିଶନ୍ ରନ୍ ଫର୍ ହୋପ୍’ ପାଇଁ ଦୌଡ଼ିଥିଲେ, ଲୋକେ ତାଙ୍କୁ ସ୍ବାଗତ କରିବାରେ ଲାଗିଥିଲେ। ସେ ପ୍ରତ୍ୟେକ ଦିନ ପାଖାପାଖି ୫୦ କିମି ଦୌଡ଼ୁଥିଲେ। ସୁଫିଆ ନିଜ ଏୟାରଲାଇନ୍ସର ଚାକିରି ଛାଡ଼ିଥିଲେ, ଯାହାଫଳରେ ସେ ନିଜ ରନିଂ ଉପରେ ଧ୍ୟାନ ଦେଇପାରିବେ। ୧୬ ବର୍ଷ ବୟସରେ ସୁଫିଆଙ୍କ ବାପାଙ୍କ ମୃତ୍ୟୁ ହୋଇଯାଇଥିଲା। ତେଣୁ ତାଙ୍କ ମା’ ତିନି ଭାଇଭଉଣୀଙ୍କୁ ପାଳିଥିଲେ। ଆକାଶ ଛୁଇଁବାର ନିଶାରେ ସେ ହେଆରହୋଷ୍ଟେସ୍ ଭାବେ ଚାକିରି କରିଥିଲେ। ଏହାପରେ ୧୦ ବର୍ଷ ଯାଏ ଦିଲ୍ଲୀରେ ଆଭିଏସନ୍ ଇଣ୍ଡଷ୍ଟ୍ରୀରେ ଡ୍ୟୁଟୀ ଅଫିସର ଭାବେ ଚାକିରି କରିଥିଲେ। ଚାକିରି କରିବା ସମୟରେ ସୁଫିଆ ସ୍ବାସ୍ଥ୍ୟ ପାଇଁ ସମୟ ଦେଇପାରୁ ନ ଥିଲେ। ତେଣୁ ସେ ରନିଂ କରିବା ଆରମ୍ଭ କରିଥିଲେ। ପ୍ରଥମେ ପ୍ରଥମେ ସ୍ବାସ୍ଥ୍ୟ ପାଇଁ ସେ ଦୌଡ଼ିବା ଆରମ୍ଭ କରିଥିଲେ ମଧ୍ୟ ଧିରେ ଧିରେ ଏହା ତାଙ୍କ ପାସନ୍ ପାଲଟି ଯାଇଥିଲା। ସୁଫିଆ ଗ୍ରେଟ୍ ଇଣ୍ଡିଆନ୍ ଗୋଲ୍ଡେନ୍ ଟ୍ରାଏଙ୍ଗଲର ୭୨୦ କିମି ଦୂର ୧୬ ଦିନରେ ପୂରା କରିଥିବା ପ୍ରଥମ ମହିଳା ଅଲ୍ଟ୍ରା ରନର ହୋଇଥିଲେ। ଏହାପରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ତାଙ୍କ ନାମ ସାମିଲ୍ ହୋଇଥିଲା। ଚାକିରି ଛାଡ଼ିବା ନିଷ୍ପତ୍ତିରେ ତାଙ୍କ ପରିବାର ଲୋକ ମଧ୍ୟ ତାଙ୍କ ସାଥ୍ ଦେଇଥିଲେ। ସୁଫିଆ ଦିଲ୍ଲୀରେ ଘର ନିକଟରେ ଥିବା ଏକ ପାର୍କରେ ଟ୍ରେନିଂ ନେଉଥିଲେ। ରନିଂ ସମୟରେ ସେ ଅନ୍ୟ କିଛି ଡାଏଟ୍ ନେଉ ନ ଥିଲେ। ସେ କେବଳ ରନିଂ ସମୟରେ ଖାଦ୍ୟରେ କାର୍ବୋହାଇଡ୍ରେଟ୍ ଓ ପ୍ରୋଟିନ୍ ମାତ୍ରା ବଢ଼ାଇ ଦେଇଥିଲେ।