ଭାଗବତପୁର ପଂଚାୟତର ଅଗ୍ନି ବିପନ୍ନ ପରିବାରକୁ ସହାୟତା
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ପଂଚାୟତର ଶ୍ୟାମସୁନ୍ଦରପୁର(କିଜାଙ୍ଗପଡା)ଗ୍ରାମର ବୀରବର ରାଉତଙ୍କ ପୁଅ ପଦ୍ମ ଚରଣ ରାଉତଙ୍କ ଘର ଉପରେ ଘଡଘଡି ପଡି ତାଙ୍କର ୨ବଖରା ଘର ସଂପୂର୍ଣ୍ଣ ପୋଡିଯାଇଥିଲା । ଏଥିସହିତ ସେହି ଘରଭିତରେ ଥିବା ସମସ୍ତ ଆସବାବପତ୍ର ମଧ୍ୟ ପୋଡି ପାଉଁଶ ହୋଇଯାଇଥିଲା । ଏସମ୍ପର୍କରେ ଖବର ପାଇ କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ସେଠାରେ ପହଁଚି ସେହି ବିପନ୍ନ ପରିବାରକୁ ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ବିଧାୟକ ଶଶୀଭୂଷଣ ବେହେରା ଜିଲ୍ଲାପାଳ ଓ କେନ୍ଦ୍ରାପଡା ତହସିଲଦାରଙ୍କୁ ଏସମ୍ପର୍କରେ ଜଣାଇବା ପରେ ତହସିଲ ପକ୍ଷରୁ ଜରିପାଲ ଓ ୫ହଜାର ଟଙ୍କାର ଆର୍ଥିକ ସହାୟତା ସେହି ପରିବାରକୁ ପ୍ରଦାନ କରାଯାଇଛି । ବ୍ଲକ ଅଧ୍ୟକ୍ଷ ଶ୍ରୀ ଧଳଙ୍କ ପରାମର୍ଶ କ୍ରମେ ସ୍ଥାନୀୟ ସରପଂଚ ଧରଣୀଧର ଦାସ ସେହି ବିପନ୍ନ ପରିବାରକୁ ଚାଉଳ,ଚୁଡା,ବିସ୍କୁଟ ଓ ଲୁଗା ପ୍ରଭୃତି ଯୋଗାଇ ଦେବାର ବ୍ୟବସ୍ଥା କରିଥିବା ବେଳେ ୱାର୍ଡ ସଭ୍ୟ ପ୍ରଦୀପ କୁମାର ରାଉତ ସେହି ପରିବାରକୁ ରନ୍ଧା ଖାଦ୍ୟ ଯୋଗାଇ ଦେଇଛନ୍ତି । ଅଧ୍ୟକ୍ଷ ଶ୍ରୀ ଧଳଙ୍କ ସହିତ ଭାଗବତପୁର ସମିତିସଭ୍ୟ ଧିରେନ୍ଦ୍ର କୁମାର ସ୍ୱାଇଁ, ସମାଜସେବୀ ପ୍ରମୋଦ କୁମାର ପ୍ରଧାନ, ଭରତପୁର ସମିତିସଭ୍ୟ ହେମନ୍ତ କୁମାର ବିଶ୍ୱାଳ ପ୍ରମୁଖ ସେଠାରେ ଉପସ୍ଥିତ ଥିଲେ । ପରବର୍ତ୍ତି ସମୟରେ ବିପନ୍ନ ପରିବାରକୁ ଗୃହ ନିର୍ମାଣ ପାଇଁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ଅଧ୍ୟକ୍ଷ ଶ୍ରୀ ଧଳ ପ୍ରତିଶୃତି ଦେଇଛନ୍ତି ।


