ଭାଜପା ତ୍ୟାଗ କରି ବିଜେଡିରେ ସାମିଲ ହେଲେ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ବର୍ତ୍ତମାନ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ବିଜେଡି ଦଳ ପ୍ରଚାର ପ୍ରସାର ସେତିକି ମାତ୍ରାରେ ବଢାଇ ଚାଲିଛି । ଆଉ ଲୋକେ ତଥା ଅନ୍ୟାନ୍ୟ ଦଳର ପ୍ରମୁଖ ନେତା କର୍ମୀମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଶୌଳୀ, ଲୋକାଭିମୁଖୀ ଯୋଜନା, ଆଦର୍ଶ ଆଦିରେ ଅନୁପ୍ରାଣିତ ହୋଇ ବିଜେଡି ଦଳ ଆଡେ ମୁହାଁଇବାରେ ଲାଗିଛନ୍ତି । ଆଜି ପାରଳାଖେମୁଣ୍ଡି ସହରର ରାମନଗର ଠାରେ ଥିବା ହାଇଟେକ୍ ପ୍ଲାଜା ପରିସରରେ ଥିବା ବିଜେଡି ନିର୍ବାଚନ କାର୍ଯ୍ୟଳୟ ଠାରେ ପୂର୍ବତନ ଜିଲ୍ଲା ଭାଜପା ସଭାପତି ତଥା ଭାଜପାର ଜଣେ ଟାଣୁଆ ନେତା ଜି.ଭେଙ୍କଟ ରାବଣା ଏବଂ ତାଙ୍କ ସମର୍ଥକ ତଥା ବିଭିନ୍ନ ମଣ୍ଡଳର ଯୁବନେତା ମ।।ନେ ବିଜେଡିରେ ଯୋଗଦେଇଛନ୍ତି । ଏହି ମିଶ୍ରଣ ପର୍ବରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଗଜପତି ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ, ହାଇଟେକ୍ ଗ୍ରୁପର ମୁଖ୍ୟ ଡ.ତିରୁପତି ପାଣିଗ୍ରାହୀ, ପାରଳାଖେମୁଣ୍ଡି ରାଜକୁମାରୀ କଲ୍ୟାଣୀ ଗଜପତି, ରାଜ୍ୟସ୍ତରୀୟ ବିଜେଡି ନେତା ତମ୍ବୁନାଥ ପଣ୍ଡା, ଅମିତ ମଲ୍ଲିକ ପ୍ରମୁଖଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ହୋଇଥିଲା । ଜି.ଭେଙ୍କଟ ରାବଣାଙ୍କୁ ଏହି ନେତାମାନେ ଦଳୀୟ ଉତ୍ତରୀୟ ଓ ଫୁଲତୋଡା ଦେଇ ବିଜେଡି ଦଳକୁ ସ୍ୱାଗତ କରି ସାମିଲ କରିଥିଲେ । ଭାଜପା ଛାଡି ବିଜେଡିରେ ଯୋଗ ଦେଇଥିବା ବରିଷ୍ଠନେତା ଜି.ରାବଣା ଏବଂ ତାଙ୍କ ଟିମ୍ ଯୋଗଦାନ ପରେ ଦଳ ଆହୁୁରି ମଜବୁତ ହୋଇଛି ବୋଲି ସାଂସଦ ଶ୍ରୀ ସ।ହୁ କହିଥିଲେ । ସେହିପରି ମଞ୍ଚାସୀନ ନେତାମାନେ ଏମାନଙ୍କୁ ସ୍ୱାଗତ ଜଣାଇବା ସହ ବର୍ତ୍ତମାନର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଏବଂ ଆଗାମୀ ପୌର ନିର୍ବାଚନରେ ବିଜେଡି ଦଳ ବିଶେଷ ଲାଭବାନ ହୋଇପାରିବ ବୋଲି କହିଥିଲେ । ସେହିପରି ଆଜି ବିଜେଡିରେ ସାମିଲ ହୋଇଥିବା ନେତା ଜି.ଭେଙ୍କଟ ରାବଣା ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ଲୋକ ଉନ୍ନତି ଅଞ୍ଚଳର ବିକାଶରେ ନିଜକୁ ସାମିଲ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ଓ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ଭାଜପା ଛାଡି ବିଜୁ ଜନତା ଦଳରେ ସାମିଲ ହୋଇଛି । ଏଥି ସହ ଶ୍ରୀ ରାବଣା ବର୍ତ୍ତମାନର ବିଜେପି ଦଳର ଜିଲ୍ଲାସ୍ତରୀୟ ନେତାଙ୍କୁ କଟୁ ସମାଲୋଚନା କରି କହିଥିଲେ ଏମାନେ କେବଳ ନିଜର ବ୍ୟକ୍ତିଗତ ସ୍ୱାର୍ଥ ହାସଲ କରି ଚାଲିଛନ୍ତି । ମୁଁ ଏଥି ପୂର୍ବରୁ ଭାଜପା ଗଜପତି ଜିଲ୍ଲା ସଭାପତି ଥିବା ବେଳେ ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ପଦ ବିଜେପି ହାସଲ କରିଥିବା ବେଳେ ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷା ପଦବୀକୁ ମଧ୍ୟ ବିଜେପି ଅକ୍ତିଆର କରିଥିଲା । ହେଲେ ମୋଭଳି ଜଣେ ସଫଳ କର୍ମୀଙ୍କୁ ବିଜେପି ଦଳର କେତେକ ସ୍ୱାର୍ଥନ୍ୱେଷୀ ନେତା ମୋତେ ଅଣଦେଖା କରିବା ସହ ସେମାନଙ୍କ ସ୍ୱ।ର୍ଥସାଧନ କରିଚାଲିଥିଲେ । ଏସବୁର ପ୍ରତିବାଦ କରି ମୁଁ ଭାଜପା ଦଳ ତ୍ୟାଗକରି ବିଜେଡିରେ ସାମିଲ ହୋଇଛି । ବିଜେଡି ଦଳର ଉନ୍ନତି, ଅଞ୍ଚଳବାସୀଙ୍କ ସେବା ମୋର ମୁଳଲକ୍ଷ୍ୟ ଏବଂ ଗଜପତି ଜିଲ୍ଲାରୁ ଭାଜପା ଓ କଂଗ୍ରେସର ମୂଳ ଉତ୍ପାଟନ ପାଇଁ ମୁଁ କାର୍ଯ୍ୟ କରିବି । ସେହିପରି ବିଜେଡିରେ ଯୋଗଦେଇଥିବା ଅନ୍ୟାନ୍ୟ ଭାଜପା ଯୁବ ନେତା ମଧ୍ୟରେ କାଶୀନଗର ବ୍ଲକର ମଣ୍ଡଳ ସଭାପତି ସରୋଜ ନାୟକ ଏବଂ ୧୫ରୁ ଉର୍ଦ୍ଧ ଯୁବନେତାମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୃଙ୍ଖଳିତ ସୁଶାସନ ଆଦିରେ ଅନୁପ୍ରାଣିତ ଏବଂ ଜି.ଭେଙ୍କଟରାବଣାଙ୍କ ଆହ୍ୱାନ କ୍ରମେ ଭାଜପା ଦଳ ପରିତ୍ୟାଗ କରିଛୁ ବୋଲି ନିଜ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଏମାନଙ୍କୁ ମଞ୍ଚାସୀନ ଅତିଥିମାନେ ବିଜେଡି ଦଳକୁ ସ୍ୱାଗତ କରିବା ସହ ଦଳୀୟ ଉତ୍ତରୀୟ ଓ ଫୁଲତୋଡା ଦେଇଥିଲେ ।


