ଭାରତରତ୍ନ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ପୂର୍ଣ୍ଣ୍ୟତିଥି ପାଳିତ

ବାଲେଶ୍ୱର, (ସରୋଜ ପଣ୍ଡା):ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠାତା ସଦସ୍ୟ ତଥା ଦେଶର ଦଶମ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ପୂର୍ଣ୍ଣ୍ୟତିଥି ସଦର ନିର୍ବାଚନମଣ୍ଡଳୀ ବିଜେପି କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି । ସ୍ଥାନୀୟ ଜେଲ ରୋଡ ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ସଦର ବିଧାୟକ ମାନସ କୁମାର ଦତ୍ତ ଯୋଗଦେଇ ସ୍ୱର୍ଗତଃ ବାଜପେୟୀଙ୍କ ଫୋଟଚିତ୍ରରେ ପୁଷ୍ପ ଅର୍ପଣ ପୂର୍ବକ ଭାବ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଜଣେ ରାଷ୍ଟ୍ର ନାୟକ ଭାବେ ବାଜପେୟୀଙ୍କ ବଳିଷ୍ଠ ନେତୃତ୍ୱ, ଶାନ୍ତି ପ୍ରତିଷ୍ଠା ପାଇଁ ରାଜନୀତି ଓ ଦୂରଦୃଷ୍ଟି ଆଜି ବି ଦେଶବାସୀଙ୍କୁ ପ୍ରେରଣା ଦେଉଛି ବୋଲି ଶ୍ରୀ ଦତ୍ତ ଏହି ଅବସରରେ କହିଥିଲେ । ରାଷ୍ଟ୍ରର ବିକାଶ ପାଇଁ ତାଙ୍କର ଅବଦାନ ଅତୁଳନୀୟ । ରାଷ୍ଟ୍ର ସର୍ବୋପରି ମୂଲ୍ୟବୋଧ ଭିତ୍ତିରେ ସେ ଦଳୀୟ ରାଜନୀତି ଓ ମତଭେଦରୁ ଉର୍ଦ୍ଧ୍ୱରେ ରହି ଜୀବନ ତମାମ ଦେଶସେବା କରିଥିଲେ । ତାଙ୍କ ରଚିତ ସାହିତ୍ୟ, ପ୍ରଭାବଶାଳୀ ବକ୍ତବ୍ୟ, ରାଷ୍ଟ୍ରନୀତି ଏବଂ ଜନସମ୍ପର୍କ ତାଙ୍କୁ ବିଶ୍ୱର ଅଦ୍ୱିତୀୟ ନେତା ଭାବେ ପରିଚୟ ଦେଇଛି ବୋଲି ବିଧାୟକ ଶ୍ରୀ ଦତ୍ତ ମତବ୍ୟକ୍ତ କରିଥିଲେ । ସ୍ୱର୍ଗତଃ ବାଜପେୟୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଷ୍ଟ୍ର ନିର୍ମାଣ କାର୍ଯ୍ୟରେ ସମର୍ପିତ ହେବାକୁ ଶ୍ରୀ ଦତ୍ତ ଆହ୍ୱାନ ଦେଇଥିଲେ । ସୂଚନା ଯୋଗ୍ୟ ଯେ, ୧୯୨୪ ମସିହା ଡିସେମ୍ବର ୨୫ ତାରିଖରେ ଗ୍ୱାଲିଅର ଠାରେ ଜନ୍ମଗ୍ରହଣ କରିଥିବା ସ୍ୱର୍ଗତଃ ବାଜପେୟୀ ୯୩ବର୍ଷ ବୟସରେ ଅଗଷ୍ଟ ମାସ ୧୬ ତାରିଖ ଦିନ ଦିଲ୍ଲୀ ସ୍ଥିତ ଏମସ ଠାରେ ଚିକିତ୍ସାଧିନ ଅବସ୍ଥାରେ ଇହଲୀଳା ସମ୍ବରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ରବିନାରାୟଣ ମହାପାତ୍ର, ଗୌରାଙ୍ଗ ଦାସ, ଗଙ୍ଗାଧର ରାଉତ, ସୀତାକାନ୍ତ ସ୍ୱାଇଁ, ଲୋକନାଥ ଭୂୟାଁ, ଅନନ୍ତ ନାୟକ, ସର୍ବେଶ୍ୱର ମହାନ୍ତି, ମଣ୍ଟୁ ବସନ୍ତିଆ ରଞ୍ଜନ ଦାସ ପ୍ରମୁଖ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ