ଭାରତରେ ବାର୍ଷିକ ୨୭ ହଜାରରୁ ଊଦ୍ଧ୍ୱର୍ ପିଲା ବଧିରପଣର ଶିକାର
ଭାରତରେ ପ୍ରତ୍ୟେକ ବର୍ଷ ଜନ୍ମ ହେଉଥିବା ୨୭ ହଜାରରୁ ଊଦ୍ଧ୍ୱର୍ ପିଲା ବଧିରପଣର ଶିକାର ହେଉଛନ୍ତି । ଯାହା ଫଳରେ ସେମାନଙ୍କ ବିକାଶ ବାଧାପ୍ରାପ୍ତ ହେଉଛି । ମାତ୍ର ପ୍ରଥମରୁ ଏହା ଜଣାପଡିଗଲେ ଚିକିତ୍ସା କରିବା ସହଜ ହୋଇପାରନ୍ତା । ନୂଆଦିଲ୍ଲୀ ସ୍ଥିତ ଗଙ୍ଗାରାମ ହସ୍ପିଟାଲର କକ୍ଲିଅର ଇମ୍ପ୍ଲାଣ୍ଟ କନସଲଟାଣ୍ଟ ଡା.ସଲଭ ଶର୍ମା ୟୁନିଭର୍ସଲ ନ୍ୟୁବର୍ଣ୍ଣ ହିଅରିଂ ସ୍କ୍ରିନିଂ (ୟୁଏନଏସ୍ଏସ୍) ମାଧ୍ୟମରେ ନବଜାତ ଶିଶୁଙ୍କ ଶ୍ରବଣ ଶକ୍ତି ପରୀକ୍ଷା ସହଜରେ କରାଯାଇପାରିବ ବୋଲି କହିଛନ୍ତି । ଏଥିପାଇଁ ମା ବାପାଙ୍କୁ ସତର୍କ ରହିବାକୁ ପଡିବ ବୋଲି ସେ କହିଛନ୍ତି ।
ହସ୍ପିଟାଲ ଇଏନ୍ଟି ବିଭାଗରେ ବରିଷ୍ଠ ଡାକ୍ତର ଏ.କେ ଲୋହିରି କହିଛନ୍ତି ଯେ ମା’ବାପା କିମ୍ବା ପରିବାରର ଅନ୍ୟ କୌଣସି ସଦସ୍ୟ ପିଲାର ଶ୍ରବଣ ଶକ୍ତିକୁ ନେଇ ଉପୁଜୁଥିବା ସମସ୍ୟାକୁ ଅଣଦେଖା କରିବା ଉଚିତ ନୁହେଁ । କ୍ଲିଅର ଇମ୍ପ୍ଲାଣ୍ଟ ଜଣେ ବ୍ୟକ୍ତିକୁ ନିରବତାରୁ ଶବ୍ଦର ଦୁନିଆକୁ ନେଇ ଯାଇଥାଏ । ଏହା ଜୀବନକୁ ବଦଳାଇ ଦେବାଭଳି ମୁହୂର୍ତ୍ତ ଅଟେ । ଅନେକ ବିକଶିତ ଦେଶରେ ପ୍ରତ୍ୟେକ ନବଜାତ ଶିଶୁଙ୍କ ପାଇଁ ହିଅରିଂ ସ୍କ୍ରିନିଂ କରାଯାଉଛି । ଭାରତରେ ମଧ୍ୟ ୟୁଏନଏସଏସକୁ ବାଧ୍ୟତାମୂଳକ କରାଯିବା ଲାଗି ଯୋଜନା କରିବା ଉଚିତ ବୋଲି ଡା.ଶର୍ମା କହିଛନ୍ତି ।
ଡାକ୍ତରଙ୍କ କହିବାନୁସାରେ ବିଶ୍ୱରେ ପାଖାପାଖି ୩୬ କୋଟି ଲୋକ ଶୁଣିପାରୁନାହାନ୍ତି । ୨୦୧୧ ଜନଗଣନା ଅନୁଯାୟୀ ଭାରତରେ ୫୦ ଲକ୍ଷରୁ ଊଦ୍ଧ୍ୱର୍ ଜନସଂଖ୍ୟା ପାଖାପାଖି ୫ ପ୍ରତିଶତ ଲୋକଙ୍କ ନିକଟରେ ଶ୍ରବଣ ଶକ୍ତି ନାହିଁ । ଡା.ଶର୍ମା କହିଛନ୍ତି ଦେଶରେ ଶ୍ରବଣ ଶକ୍ତି ନଥିବା ଲୋକଙ୍କ ମଧ୍ୟରେ ଅଧିକାଂଶ ଯୁବପିଢ଼ି ଅଛନ୍ତି । ଏହା ସେମାନଙ୍କ ଶାରୀରିକ ଓ ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପକାଉଛି ବୋଲି ଡା.ଶର୍ମା କହିଛନ୍ତି ।