ଭାରତର ସ୍ୱାଧୀନତା ସଂଗ୍ରାମରେ ନାରୀମାନଙ୍କ ଭୂମିକା
“ନାରୀ ଶକ୍ତି ଏକ ପ୍ରଚଣ୍ଡ ଶକ୍ତି । ତାକୁ ଉପେକ୍ଷା କରାଯାଇ ନପାରେ ।”
“ଯେତେଦିନ ପର୍ଯ୍ୟନ୍ତ ମାତୃଶକ୍ତି ରାଷ୍ଟ୍ରୀୟ ସଂଗ୍ରାମରେ ଯୋଗ ନଦେଇଛି,
ସେତେ ଦିନ ପର୍ଯ୍ୟନ୍ତ ଏ ଦେଶ ସ୍ୱତନ୍ତ୍ର ହୋଇନାହିଁ ।” – ନେତାଜୀ
ସେହି ନାରୀମାନଙ୍କର ଭାରତର ମୁକ୍ତି ସଂଗ୍ରାମରେ ଭୂମିକା ଏବେ ବିଚାର୍ଯ୍ୟ :
ଭାରତର ସ୍ୱାଧୀନତା ସଂଗ୍ରାମର କାହାଣୀ ୧୮୫୭ ମସିହାର ସିପାହୀ ବିଦ୍ରୋହଠାରୁ ଆରମ୍ଭ ହୋଇ ଶେଷହୁଏ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ । ଏ ସଂଗ୍ରାମରେ କେତେ ବଳିପଡ଼ିଲେ, କେତେ ନିଖୋଜ ହେଲେ, କେତେ ନିର୍ଯାତିତ ହେଲେ ଏବଂ କେତେ କାରାବରଣ କଲେ, ତା’ର ସଠିକ୍ ହିସାବ ପାଇଁ ଇତିହାସ ନୀରବ । ଆଉ ଯେଉଁମାନଙ୍କୁ ଆମେ ଏହାର ଅଗ୍ରଦୂତ ବୋଲି ଧରିନେଉଛୁ, ସେମାନେ ଆଖି ଦୃଶିଆ ଭାବେ ଏମିତି କିଛି ଲୋକ : ଯେମିତି ଗାନ୍ଧି, ଗୋପବନ୍ଧୁ ଏବଂ ନେହୁରୁ ଇତ୍ୟାଦି ଅଥଚ ସେଇମାନଙ୍କ ଭିତରେ ଅନେକ ନାରୀ ଚରିତ୍ର ଅଛନ୍ତି, ଯେଉଁମାନଙ୍କୁ ଆମେ ଅଘୋଷିତ ଚରିତ୍ର ଭାବି ଭୁଲିଯିବାକୁ ବସିଛୁ; ହୁଏତ ସେମାନେ ପ୍ରାତଃ ସ୍ମରଣୀୟ ।
ଭାରତୀୟ ମୁକ୍ତି ସଂଗ୍ରାମରେ ପ୍ରଥମରୁ ହିଁ ନାରୀମାନେ ପ୍ରଚଣ୍ଡ ଶକ୍ତି ଭାବରେ ଉଭା ହୋଇଛନ୍ତି । ତତ୍କାଳୀନ ଭାରତୀୟମାନଙ୍କ ହୃଦୟରେ ଅନ୍ଧକାର ଦୂରୀଭୂତ ପାଇଁ ସଳିତା ଜଳିଲାପରି ଏମାନେ ଜଳିଛନ୍ତି ଏବଂ ଜଳାଇଛନ୍ତି ଜାତୀୟତାର ବହ୍ନି; ଧରାଇଛନ୍ତି ସ୍ୱାଧୀନତାର ମଶାଲ ।
୧୮୫୭ ମସିହାରେ ସିପାହୀ ବିଦ୍ରୋହ ଆରମ୍ଭ ହୁଏ ସିପାହୀ ମଙ୍ଗଳ ପାଣ୍ଡେଙ୍କୁ କେନ୍ଦ୍ରକରି । ଏମିତି ଭାବିଲେ ତ ଏହା ତାଙ୍କର ବ୍ୟକ୍ତିଗତ ବ୍ୟାପାର ଥିଲା । ମାତ୍ର ଜାତୀୟ ସ୍ତରରେ ଏହାକୁ ସ୍ୱାଧୀନତା ସଂଗ୍ରାମର ରୂପଦେବା ଏବଂ ଏଥିରେ ଝାସଦେବା ନିମନ୍ତେ ଆଗରୁ କ୍ଷେତ୍ର ପ୍ରସ୍ତୁତ ସରିଥିଲା । ସିପାହୀ ବିଦ୍ରୋହ କେବଳ ଇନ୍ଧନ ଯୋଗାଇଲା । ଏହି କାରଣରୁ ରାଜରାଜୁଡ଼ାମାନେ ଏବଂ ସର୍ବସାଧାରଣ ଲୋକ ଏ ଯୁଦ୍ଧରେ ଅବତୀର୍ଣ୍ଣ ହୋଇଗଲେ । ଅବଶ୍ୟ ଏଥିନିମନ୍ତେ ସାମରିକ, ରାଜନୈତିକ, ସାମାଜିକ, ନୈତିକ ଏବଂ ଅନ୍ୟାନ୍ୟ କାରଣମାନ ଅଛି । ଏହି ରାଜ ରାଜୁଡ଼ା ଓ ସାଧାରଣଙ୍କ ମଧ୍ୟରେ ଆମେ ପ୍ରଥମରୁ ଦେଖୁ ଝାନସୀ ରାଣୀ ଲକ୍ଷ୍ମୀବାଈ ଏବଂ ତାଙ୍କ ସହଚରୀ ଝାଲକାରୀ, ରାଣୀ ଅକଲିବାଈ ଲୋଧା, ଅଯୋଧ୍ୟାର ବେଗମ୍ ହଜରତ୍ ମହଲ ଏବଂ ସେମାନଙ୍କର ଅନେକ ଅନାମଧେୟା ଅନୁଗତ ଏବଂ ଅନୁଚର । ଏମାନେ ଦେଶର ମୁକ୍ତିପାଇଁ ସେମାନଙ୍କ ଜୀବନକୁ ତିଳତିଳକରି ଜାଳି ଉତ୍ସର୍ଗ କଲେ । ରାଣୀ ଲକ୍ଷ୍ମୀବାଈ ଯିଏକି ନିଜେ ସୈନ୍ୟଚାଳନାର ଦାୟିତ୍ୱ ନେଇଥିଲେ ଏବଂ ତାଙ୍କ ଅନୁଗତ ଝାଲକାରୀର ଦେଶପ୍ରୀତିର ପଟାନ୍ତର ନାହିଁ ।
ନେତାଜୀ ସୁବାଷ ବୋଷଙ୍କ ନେତୃତ୍ୱରେ ବହିଜର୍ଗତରୁ ଯେଉଁ ‘ଦିଲ୍ଲୀଚଲୋ’ର ଡାକରା ଦିଆଯାଇଥିଲା, ସେଥିରେ ମଧ୍ୟ ଜଣେ ନାରୀ ନେତ୍ରୀଥିଲେ ଯାହାଙ୍କୁ କ୍ୱଚିତ୍ ଲୋକ ଜାଣନ୍ତି । ସେ ହେଉଛନ୍ତି ମାଡ଼ାମ ଭିକାଜୀ କାମା । ୧୮୬୧ମସିହାରେ ବମ୍ବେରେ ତାଙ୍କର ଜନ୍ମ । ତାଙ୍କର ସ୍ଲୋଗାନ ଥିଲା – ଆମେ ଭାରତୀୟ, ଭାରତବର୍ଷ ଭାରତୀୟମାନଙ୍କର । ଏଥିରେ କାହାକୁ ରାଜୁତି କରିବାକୁ ଆମେ ଦେବୁ ନାହିଁ ।
ଏବେ ବିଚାରନ୍ତୁ ସରୋଜିନୀ ନାଇଡ଼ୁଙ୍କ କଥା ଯିଏକି ଭାରତୀୟ ବୁଲୁବୁଲ୍ ଭାବରେ ଖ୍ୟାତା । ସେ ଥିଲେ ଜଣେ ଅସାଧାରଣ କବି, ବାଗ୍ମୀ, ନେତ୍ରୀ ଏବଂ ତେଜସ୍ୱିନୀ ସ୍ୱାଧୀନତା ସଂଗ୍ରାମୀ । ସେ ୧୯୧୪ରେ ଗାନ୍ଧିଙ୍କ ସଂସ୍ପର୍ଶରେ ଆସିଥିଲେ । ଭାରତୀୟ ଜାତୀୟ କଂଗ୍ରେସରେ କିଛି ଦିନପାଇଁ ସଭାପତିତ୍ୱ କରିଥିଲେ ଏବଂ ୧୯୩୦ରେ ଗାନ୍ଧିଜୀଙ୍କ ଲବଣ ସତ୍ୟାଗ୍ରହ ଯୋଗୁଁ ଜେଲ୍ ଯିବାରୁ ସେ ତା’ର ନେତୃତ୍ୱ ନେଇଥିଲେ । ସେ ସ୍ୱାଧୀନତାର ସୂର୍ଯ୍ୟ ଦେଖି ୧୯୪୯ମାର୍ଚ୍ଚ ୨ରେ ଇହଧାମ ପରିତ୍ୟାଗ କଲେ । ତାଙ୍କ ଅବଦାନ ପାଇଁ ଆମେ ଋଣୀ ।
ଅନ୍ତହୀନ ସ୍ୱାଧୀନତା ସଂଗ୍ରାମର କାହାଣୀର ଅଧିକାରିଣୀ ହେଉଛନ୍ତି ଅରୁଣା ଆସିଫ ଅଲ୍ଲୀ ଯିଏକି ନିଜପାଇଁ ନିଜେ ଏକ ଇତିହାସ । ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି କମଳା ନେହେରୁ, ମହାଦେବୀ ବର୍ମା, ସୁଭଦ୍ରା କୁମାରୀ ଚୌହାନ, ବିଜୟଲକ୍ଷ୍ମୀ ପଣ୍ଡିତ, ଇନ୍ଦିରା ଗାନ୍ଧି, କସ୍ତୁରବା ଗାନ୍ଧି, ଗୁଜୁରାଟର ନୀଳାବତୀ ଜେଠୀ, ମହାରାଷ୍ଟ୍ରର ଗଙ୍ଗୁବାଇ, ବଙ୍ଗର ଜୌର୍ତିମୟୀ ଗାଙ୍ଗୁଲି, ମାତଙ୍ଗିନୀ ହାଜରା, ମହାରାଷ୍ଟ୍ରର ମୁର୍ଦୁଳା ସାରାଭାଇ, ବିହାରର ଅକଲି ଦେବୀ, ଜାନକୀ ମିଶ୍ର, ଭୂମେଶ୍ୱରୀ ଫୁକନାନୀ, ଆସାମର ପୁଷ୍ପଲତା ଦାସ ଯିଏକି ‘ଶାନ୍ତି ବାହିନୀ’ ଓ ‘ମୃତ୍ୟୁ ବାହିନୀ’ ନାମରେ ଦୁଇଟି ଦଳ ଇଂରେଜଙ୍କ ବିରୁଦ୍ଧରେ କରିଥିଲେ; ନେତାଜୀଙ୍କର ଝାନସୀ ରେଜିମେଣ୍ଟର କ୍ୟାପଟେନ୍ ଥିଲେ ଲକ୍ଷ୍ମୀ ସ୍ୱାମୀନାଥନ୍ ଓରଫ୍ ଲକ୍ଷ୍ମୀ ସେହେଗଲ । ସେ ଅଗଷ୍ଟ ୯ତାରିଖ ୧୯୪୭ରେ ମୁମ୍ବାଇର ଅଗଷ୍ଠ କ୍ରାନ୍ତି ମଇଦାନରେ ଉଷା ମେହେଟ୍ଟାଙ୍କ ସହ ତ୍ରିରଙ୍ଗା ଉଡ଼ାଇଥିଲେ ।
୧୯୨୧ ମସିହା ମାର୍ଚ୍ଚ ୨୧ତାରିଖରେ ଗାନ୍ଧିଜୀ ଓଡ଼ିଶା ଆସିଥିଲେ । ସେତେବେଳେ ଓଡ଼ିଶାର ସଂଗ୍ରାମୀ ନାରୀ ନେତ୍ରୀମାନେ ତାଙ୍କ ଭାଷଣରେ ଉଦ୍ବୁଦ୍ଧ ହୋଇ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରୁ ରମାଦେବୀ ଅନ୍ୟତମ । ସ୍ୱାଧୀନତା ପାଇଁ ସେ ଏକ ଉତ୍ସର୍ଗୀକୃତ ଆତ୍ମା । ସେ କହୁଥିଲେ – ଲଢ଼, ଦେଶ ପାଇଁ ଜେଲ ଯିବାକୁ ହେବ, ସ୍ୱଦେଶୀ ଜିନିଷ ପିନ୍ଧିବାକୁ ହେବ, ଫାଶୀ ପାଇବାକୁ ହେବ । ମୁଁ ତାହାହିଁ କରିବି ।
ଫାଶୀ ନପାଆନ୍ତୁ ପଛେ, ତା’ ଠୁ ଅଧିକ କରିଛନ୍ତି ସିଏ । (୧୮୧୯-୧୮୯୫)
ସେହିପରି ଉକ୍ରଳ ଭାରତୀ କୁନ୍ତଳା କୁମାରୀ ସାବତ (୧୯୦୦-୧୯୫୮) । ସେ ତାଙ୍କ କବିତା ‘ଆହ୍ୱାନ’ ମାଧ୍ୟମରେ ସ୍ୱାଧୀନତା ସଂଗ୍ରାମ ପାଇଁ ଶୁଣାଇଥିଲେ ଅମର୍ଷୀବାଣୀ ।
ହେ ପୁରୁଷ ଯଦି ତୁମେ ନଉଠ ଏଥର ଆମେ ରଣବେଳେ ହେବୁ ଅଗ୍ରସର
ଆମେ ନାରୀଗଣ କୋଣରୁ ବାହାରି ଧରିବୁ ଅସହଯୋଗ ତରବାରୀ
ଯାଉ ପଛେ ପ୍ରାଣ ଥାଉ ଦେଶ ମାନ, ରଖି ଜାଣୁ ଆମେ ସ୍ୱଧର୍ମ ସମ୍ମାନ ।ା
ଅନ୍ୟତମା ମାଳତୀ ଚୌଧୁରୀ ଯାହାଙ୍କ ଅବଦାନ ନ କହିବା ଭଲ । ସ୍ୱାଧୀନତା ସଂଗ୍ରାମର ଅନୁଭୂତିରେ ସେ ସ୍ୱୟଂ ସଂପୂର୍ଣ୍ଣ ।
ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି ସରଳା ଦେବୀ, ଯିଏକି ଜଣେ ବିପ୍ଲବିନୀ ବହ୍ନି କନ୍ୟା ଏବଂ ଦାମ୍ଭୀକା ସ୍ୱାଧୀନତା ସଂଗ୍ରାମୀ । ଶୈଳବାଳା ଦେବୀ, ରେବା ରାୟ, କିଶୋରୀ ମଣି ଦେବୀ, ହେମବତୀ ଦେବୀ, ରସମଣୀ ଦେବୀ, ଜଗତସିଂହପୁରର ଶ୍ରୀମତୀ ନିଶାମଣୀ ଦେବୀ ଯିଏକି ଗାନ୍ଧିଙ୍କର ଖଟିଖିଆ ଓ କାଟିପିନ୍ଧା ଆହ୍ୱାନରେ ପ୍ରଭାବିତ ହୋଇ ସୂତାକାଟି ଲୁଗାବୁଣି ପିନ୍ଧିବାକୁ ପ୍ରବର୍ତ୍ତାଉଥିଲେ । ବାଲେଶ୍ୱର ଜିଲ୍ଲାର ଗୋଦାବରୀ ଦେବୀ ସ୍ୱାଧିନାତା ସଂଗ୍ରାମରେ ଯୋଗଦେଇ ଗାନ୍ଧିଙ୍କୁ ଓଡ଼ିଆ ଶିଖାଇବାରେ ସାହାଯ୍ୟ କରିଥିଲେ । ସେମିତି ପଶ୍ଚିମ ଓଡ଼ିଶାରେ ମା’ ପାର୍ବତୀ ଗିରି ଏବଂ ପ୍ରଭାବତୀ ଦେବୀଙ୍କ ଅବଦାନ କମ୍ ନୁହେଁ । ଏତଦ୍ ବ୍ୟତୀତ ସ୍ୱାଧିନତା ସଂଗ୍ରାମ ନେତ୍ରୀ ନନ୍ଦିନୀ ଶତପଥି, କୋକିଳା ଦେବୀ, ପାରଳାଖେମୁଣ୍ଡିର ରାଣୀ ପାଟ୍ଟ ମହାଦେଈ ଏବଂ ହରାମଣୀ ଦେବୀ, ଅର୍ଣ୍ଣପୂର୍ଣ୍ଣା ଦେବୀ ଇତ୍ୟାଦିଙ୍କ ନାମ ଉଲ୍ଲେଖନୀୟ ।
ଉପରୋକ୍ତ ବ୍ୟକ୍ତିଙ୍କ ବ୍ୟତୀତ କେଇଜଣ ମହିୟସୀ ବିଦେଶିନୀ ଏମାଟିକୁ ନିଜର କରି ଭାରତୀୟ ମୁକ୍ତି ସଂଗ୍ରାମରେ ଯୋଗ ଦେଇଥିଲେ ।
ଏହି ମାନଙ୍କ ମଧ୍ୟରେ ଆନି ବେଶନ୍ତା ଜଣେ ଇଂରେଜ ମହିଳା । ଜନ୍ମ ଅକ୍ଟୋବର, ୧,୧୮୪୭ । ସେ ୧୮୯୩ ମସିହାରେ ଭାରତକୁ ଆସି ଏ ମାଟିକୁ ନିଜର କଲେ । ୧୯୧୪ ମସିହାରେ ସେ ଭାରତୀୟ ମୁକ୍ତି ସଂଗ୍ରାମରେ ସକ୍ରିୟ ଅଂଶ ଗ୍ରହଣ କଲେ ଏବଂ ତାଙ୍କର ନିଉ ଇଣ୍ଡିଆ ନାମକ ପତ୍ର ମାଧ୍ୟମରେ ଭାରତୀୟମାନଙ୍କ ହୃଦୟରେ ଦେଶାତ୍ମବୋଧ ସୃଷ୍ଟିକଲେ । ୧୯୧୬ରେ ହୋମରୁଲ୍ ବା ସ୍ୱଦେଶୀ ଆନ୍ଦୋଳନରେ ଇଂରେଜ ହୋଇବି, ସେହିମାନଙ୍କ ବିରୁଦ୍ଧରେ ଯୁଦ୍ଧ ଆରମ୍ଭ କଲେ । ୧୯୧୭ ଭାରତୀୟ ଜାତୀୟ କଂଗ୍ରେସର କଲିକତା ଅଧିବେଶନରେ ସେ ସଭାପତିତ୍ୱ କରିଥିଲେ । ଭାରତୀୟମାନଙ୍କ ଦୁଃଖଦୁର୍ଦ୍ଦଶା ପ୍ରତି ତାଙ୍କର ଦରଦୀ ହୃଦୟ ସଦାବେଳେ କାନ୍ଦି ଉଠୁଥିଲା । ଆମର ଦୁର୍ଭାଗ୍ୟ, ୧୯୩୩ ମସିହାରେ ସେ ଆମଠୁ ଦୂରେଇ ଚିରନିଦ୍ରା ଗଲେ । ସେ ବି ନମସ୍ୟା ।
ସେହିପରି ଭଉଣୀ ନିବେଦିତା, ସେବା ଓ ଶ୍ରଦ୍ଧାର ପ୍ରତୀକ । ସେ ବି ଏ ମାଟିକୁ ନିଜର କଲେ ଯଦିଓ ଜନ୍ମ ଆୟରଲ୍ୟାଣ୍ଡରେ ୧୮୬୭ରେ । ବିବେକାନନ୍ଦଙ୍କର ପ୍ରଭାବରେ ସେ ଭାରତ ଭୂମିରେ ପଦାର୍ପଣ କଲେ ୧୮୯୭ ମସିହାରେ । ତାଙ୍କର ପ୍ରକୃତ ନାମ ମାର୍ଗାରେଟ୍ ନୋବେଲ । ‘ନିବେଦିତା’ ହେଉଛି ବିବେକାନନ୍ଦଙ୍କ ପ୍ରଦତ୍ତ ନାମ । ବିବେକାନନ୍ଦଙ୍କ ଅନ୍ତେ ସେ ଭାରତୀୟ ରାଜନୀତିରେ ପ୍ରବେଶ କଲେ (୧୯୦୨-୧୯୦୪) । ସେ ଆମ ପାଇଁ ଲେଡ଼ି ଉଇଥି ଲ୍ୟାମ୍ପ କହିଲେ ଅତ୍ୟୁକ୍ତି ହେବ ନାହିଁ ।


