ଭାରତୀୟ ଜୀବନ ବୀମା ଏଜେଣ୍ଟଙ୍କ ଧର୍ମଘଟ ଆନ୍ଦୋଳନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଭାରତୀୟ ଜୀବନ ବୀମା ଏଜେଣ୍ଟ ଫେଡେରସନ ତରଫରୁ ସର୍ବଭାରତୀୟ ସଂଗଠନର ଡାକରା କ୍ରମେ ଦେଶ ବ୍ୟାପୀ ଧର୍ମଘଟ ଆନ୍ଦୋଳନ ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ଆଜି ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଓ ଆର୍.ଉଦୟଗିରି ଜୀବନ ବୀମା ଶାଖା କାର୍ଯ୍ୟାଳୟରେ ମଧ୍ୟ ଧର୍ମଘଟ ଆନ୍ଦୋଳନର ପ୍ରଭାବ ଦେଖିବାକୁ ମିଳିଥିଲା । ଅଭକର୍ତ୍ତାମାନଙ୍କ ବିଭିନ୍ନ ଦାବି ପୂରଣ ନିମନ୍ତେ ସେପ୍ଟେମ୍ବର ୧ ତାରିଖରୁ ସର୍ବଭାରତୀୟ ସ୍ଥରରେ ୧୩ଲକ୍ଷ ଏଜେଣ୍ଟ ଧର୍ମଘଟ ଆନ୍ଦୋଳନ ଚଳାଇ ଆସିଛନ୍ତି । ସେପ୍ଟେମ୍ବର ୫ତାରିଖକୁ ଏଜେଣ୍ଟ ବିଶ୍ରାମ ଦିବସ ରୂପେ ପାଳନ କରି ଏଜେଣ୍ଟମାନେ କଳା ବ୍ୟାଜ ପରିଧାନ କରି ସମସ୍ତ କାର୍ଯ୍ୟକୁ ବର୍ଜନ କରିଥିବାର ଦେଖିବାକୁ ମିଳିଥିଲା । ଆଜି ଏଜେଣ୍ଟମାନେ କୌଣସି ନୂଆ ବ୍ୟବସାୟ ଦେବା କାର୍ଯ୍ୟକୁ ବନ୍ଦ କରିଛନ୍ତି । ଏଥି ସହ ଗ୍ରାହକ ସେବା ସମ୍ପୂର୍ଣ୍ଣ ବନ୍ଦ କରିଛନ୍ତି । ଏଜେଣ୍ଟମାନଙ୍କର ବିଭିନ୍ନ ଦାବୀ ଯଥା ପଲିସି ଧାରୀଙ୍କୁ ବୋନସ ବୃଦ୍ଦି, ଲୋନ ଓ ଫାଇନ ଉପରେ ସୁଧ କମାଇବା, ଏଜେଣ୍ଟ ୱେଲଫର ଫଣ୍ଡ ସୃଷ୍ଟି କରିବା, ଏଜେଣ୍ଟମାନଙ୍କୁ ପେନସନ୍ ସ୍କିମରେ ସାମିଲ କରିବା ଓ ସବୁ ଏଜେଣ୍ଟଙ୍କୁ ମେଡିକ୍ଲେଇମ ପ୍ରଦାନ ପ୍ରଭୃତି ନେଇ ପାରଳାଖେମୁଣ୍ଡି ଶାଖା କାର୍ଯ୍ୟାଳୟରେ ଏଜେଣ୍ଟମାନେ ଧାରଣାରେ ବସି ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ଦାବୀ ପୂରଣ ନିମନ୍ତେ ବିଭିନ୍ନ ସ୍ଲୋଗାନ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଶାଖା କାର୍ଯ୍ୟାଳୟ ପରିସରରେ ସଂଘର ସଭାପତି ପି. କ୍ରିଷ୍ଣା ରାଓଙ୍କ ସଭାପତିତ୍ୱରେ ସମ୍ପାଦକ ବିଘ୍ନରାଜ ପଣ୍ଡା, ଉପଦେଷ୍ଟା ଗଣେଶ ବିଶ୍ୱାଳ, ଏ.କୁସାରାଜୁ, କୁଞ୍ଜବିହାରୀ ବଡକୁମାର, ବି.ଇଶ୍ୱରରାଓ, ଅବଦ୍ୟ ବର୍ଦ୍ଧନ ପ୍ରମୁଖ ଉଦ୍ବୋଧନ ଦେଇ ମ୍ୟାନେଜମ୍ୟାଣ୍ଟର ଏଜେଣ୍ଟ ପ୍ରତି ଅବିଚାର ଓ ଅନ୍ୟାୟର ଦୃଢ ପ୍ରତିବାଦ ଜଣାଇଥିଲେ । ମ୍ୟାନେଜମ୍ୟାଣ୍ଟର ମନୋମୁଖୀ କାରବାରକୁ ଦୃଢହସ୍ତରେ ଦମନ କରାଯିବ ବୋଲି ବକ୍ତାମାନେ ଚେତାବନୀ ଦେଇଥିଲେ । ଭାରତର ୧୩ଲକ୍ଷ ଏଜେଣ୍ଟଙ୍କ ଜୀବିକା ଉପରେ ମ୍ୟାନେଜମ୍ୟାଣ୍ଟର କୁଠାର ଘାତକୁ ବରଦାସ୍ତ କରାଯିବ ନାହିଁ ବୋଲି ଦୃଢକ୍ତି ପ୍ରକାଶ ପାଇଥିଲା । ଆଜି ଏଲ୍ଆଇସି କାର୍ଯ୍ୟାଳୟ ସମ୍ମୁଖରେ ଦିନ ତମାମ ଧାରଣାରେ ବସି ରହି ବିକ୍ଷୋଭ କରିଥିଲେ । ଏହା ସହ କୌଣସି କାର୍ଯ୍ୟରେ ଯୋଗ ଦେଇ ନଥିଲେ । ଏହି ପ୍ରତିବାଦ ସଭାକୁ ରାମକୃଷ୍ଣ ସାହୁ, କେ.ଚିରଞ୍ଜିବିଲୁ, ଲବକୁମାର ସାହୁ, ଈଶ୍ୱର ମହାନ୍ତି, ଏସ୍.ଟି. ପାତ୍ର ପ୍ରମୁଖ ପରିଚାଳନା କରିଥିଲେ ।


