ଭାରତୀୟ ବିକାଶ ପରିଷଦ ପକ୍ଷରୁ ଆଲୋଚନା ଚକ୍ର ଅନୁଷ୍ଠିତ
ବ୍ରହ୍ମପୁର (ୱାଇଏନ୍ଏସ୍): ଭାରତୀୟ ବିକାଶ ପରିଷଦ ତରଫରୁ ଶ୍ରମିକ ଦିବସ ଅବସରରେ ସ୍ଥାନୀୟ ହିଲପାଟଣାସ୍ଥିତ ଶ୍ରୀକ୍ଷେତ୍ର ପରିସରରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା ଏଥିରେ ଅନୁଷ୍ଠାନର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ପୌରହିତରେ ବିଭିନ୍ନ ପ୍ରସ୍ତାବ ଗୃହିତ କରାଯାଇଛି । ବରିଷ୍ଠ ଆଇନଜୀବୀ ଲଳିତ ମୋହନ ପାଢ଼ୀ, ସଂପାଦକ ରମେଶ ଚନ୍ଦ୍ର ସାହୁ, ଗୁରୁଚରଣ ପାତ୍ର, କିଶୋର ଚନ୍ଦ୍ର ପାତ୍ର, ସୂର୍ଯ୍ୟନାରାୟଣ ବେହେରା, ସଂଯୁକ୍ତା ମହାପାତ୍ର ପ୍ରମୁଖ ଏହି ଆଲୋଚନା ସଭାରେ ଅଂଶ ଗ୍ରହଣ କରିଥିଲେ । ଓଡ଼ିଶାର ଲକ୍ଷ ଲକ୍ଷ ଶ୍ରମଜୀବୀ ଦାଦନ ଖଟିବାକୁ ଯାଇ ବିଭିନ୍ନ ରାଜ୍ୟକୁ ଯାଇ କାର୍ଯ୍ୟ କରିବା ଅବସରରେ କରୋନା ମହାମାରୀର ଶିକାର ହୋଇ ଆର୍ଥିକ ଅନଟନ ଓ ଭୋକ ଉପାସରେ ମାନସିକ ଚାପରେ ଭିଟାମାଣିକୁ ଫେରିବା ପାଇଁ ତ୍ରାହି ତ୍ରାହି ଡାକୁଛନ୍ତି ସେମାନଙ୍କୁ ସେମାନଙ୍କ ଅଂଚଳକୁ ଯଥାଶୀଘ୍ର ଫେରାଇ ଆଣିବାକୁ ଏହି ବୈଠକରେ ଦାବି ହେବା ସହ ସୁରତରେ ଲକ୍ଷ ଲକ୍ଷ ଲୁଗା ଓ ସୂତା କଳ ଶ୍ରମିକଙ୍କ ପାଇଁ ଗଞ୍ଜାମରେ ବନ୍ଦ ହୋଇ ରହିଥିବା ବିଭିନ୍ନ ଲୁଗା ଓ ସୂତା କଳ ଏବଂ ଏନ୍ଆର୍ଜିଏସ୍କୁ ସରକାର କାର୍ଯ୍ୟକାରୀ କରି ସେମାନଙ୍କୁ କାମ ଯୋଗାଇବା ପାଇଁ ମଧ୍ୟ ଦାବି ହୋଇଛି । ଗଞ୍ଜାମ ଜିଲ୍ଲା ତଥା ସମଗ୍ର ଓଡ଼ିଶାର ରେଜିଷ୍ଟ୍ରିଭୁକ୍ତ ଓ ଅଣ ସଂଘଠିତ ଶ୍ରମଜୀବୀମାନଙ୍କୁ ଅଗ୍ରାଧିକାର ମଧ୍ୟରେ ସେମାନଙ୍କୁ ଥଇଥାନ ଓ ସହାୟତା ପ୍ରାଦାନ ପାଇ ସରକାର ପଦକ୍ଷେପ ନିଅନ୍ତୁ । କରୋନା ମହାମାରୀର ତାଣ୍ଡବଲିଳାରେ କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତ କର୍ମଚାରୀଙ୍କୁ ଯେଉଁ ବିନା କାର୍ଯ୍ୟରେ ମାସିକ ବେତନ ପ୍ରାଦାନ କରାଯାଉଛି । ସେହିଭଳି ପ୍ରାଇଭେଟ୍ ତଥା ବିଭିନ୍ନ ଶିଳ୍ପାନୁଷ୍ଠାନ ବନ୍ଦ ଯୋଗୁଁ ଶ୍ରମିକମାନେ ଆଜି ସେମାନଙ୍କ ଦରମା ପାଇ ପାରୁନାହାଁନ୍ତି ସେମାନଙ୍କୁ ସରକାର ରାଜ କୋଷରୁ ଅର୍ଥ ସହାୟତା କରାଯାଉ ବୋଲି ଦାବି ହୋଇଥିଲା । ସଂଗଠିତ ଏବଂ ଅଣସଂଘଠିତ ଶ୍ରମିକ ମାନଙ୍କୁ ସରକାରଙ୍କ ତରଫରୁ ଯେଉଁ ଯେଉଁ ଅର୍ଥ ସହାୟତା ଯୋଗାଯିବ ତାହା ନଗଦ ଆକାରରେ ଜମା ନକରି ବ୍ୟାଙ୍କ୍ ଖାତାରେ ଜମା କରାଯାଉ ଯାହାଫଳରେ ବାଟମାରଣା ନୀତିକୁ ସରକାର ରୋକିପାରିବେ । ଏହି ଭଳି କେତେକ ପ୍ରସ୍ତାବକୁ ଉପରୋକ୍ତ ବୈଠକରେ ଗୃହିତ କରାଯାଇଛି ।