ଭାରତୀୟ ବିକାଶ ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା
ଛତ୍ରପୁର,(ଦେବଦତ୍ତ ମହାରଣା) : ଭାରତୀୟ ବିକାଶ ପରିଷଦ ପକ୍ଷରୁ ବ୍ରହ୍ମପୁର, ଛତ୍ରପୁୁର ଓ ବାଲୁଗାଁ ଷ୍ଟେସନରେ ରେଳ ରହଣି ସହ ବ୍ରହ୍ମପୁର ଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଏକ ଦୈନିକ ସ୍ୱତନ୍ତ୍ର ଟ୍ରେନ୍ ପୁନଃ ଚାଲୁକରିବା ପାଇଁ ଦାବି ନେଇ ସୋମବାର ଛତ୍ରପୁର ସ୍ଥିତ ଗଂଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ପ୍ରତିବାସ ସଭା ଅନୁଷ୍ଠିତ ହୋଇଥିଲା । ଯଦି ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଟ୍ରେନ୍ ଚାଲୁ କରା ନଯାଏ ତେବେ ରାଜରାସ୍ତାକୁ ଓହ୍ଲାଇବା ସହ ଆଇନର ଆଶ୍ରୟ ନେବା ପାଇଁ ବାଧ୍ୟ ହେବୁ ବୋଲି ଭାରତୀୟ ବିକାଶ ପରିଷଦ ରାଜ୍ୟ ସଭାପତି ସୁରେନ୍ଦ୍ର କୁମାର ପାଣିଗ୍ରାହୀ ଚେତାବନୀ ଦେଇଛନ୍ତି । ଏହି ସଂକ୍ରାନ୍ତରେ ଓଡିଶା ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ଗଂଜାମ ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁଙ୍କ ଜରିଆରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଏହି ଦାବୀ ପତ୍ରରେ ଦର୍ଶାଯାଇଛି ଟ୍ରେନ୍ ରହଣି ଓ ଯାତାୟତ ବନ୍ଦ ଫଳରେ ଗଂଜାମ ଜିଲ୍ଲାକୁ ଆସୁଥିବା ହଜାର ହଜାର ଯାତ୍ରୀ ଭୁବନେଶ୍ୱର ଠାରେ ବାଧ୍ୟ ହୋଇ ଓହ୍ଲାଇ ସହସ୍ରାଦ୍ଧିକ ଟଙ୍କା ଖର୍ଚ୍ଚ କରି ବ୍ରହ୍ମପୁରକୁ ଆସୁଛନ୍ତି । ଏଥିଦ୍ୱାରା ଯାତ୍ରୀମାନେ ଆର୍ଥିକ, ମାନସିକ ଓ ଶାରୀରିକ ନିର୍ଯ୍ୟାତନାର ଶିକାର ହଉଛନ୍ତି । ପ୍ରକାଶ ଥାଉକି ଯେ, ଜିଲ୍ଲା ଓ ରାଜ୍ୟ ପ୍ରଶାସନଙ୍କୁ ସଂପୂର୍ଣ୍ଣ ଭାବେ ଜଣାଅଛି ଯେ ଗଞ୍ଜାମ ଜିଲ୍ଲାର ପ୍ରାୟ ଶତକଡା ୫୦ ପ୍ରତିଶତ ଭାଗ ତେଲୁଗୁ ସଂପ୍ରଦାୟ ଲୋକଙ୍କ ପରିବାର ବର୍ଗ, ବନ୍ଧୁବାନ୍ଧବ, ପ୍ରିୟଜନ ପଡୋଶୀ ଆନ୍ଧ୍ରପ୍ରଦେଶରେ ଅବସ୍ଥିତ । ଏହାଛଡା ଦୈନିକ ଜିଲ୍ଲାର ଶହସ୍ରାଧିକ ବ୍ୟକ୍ତି ସ୍ୱାସ୍ଥ୍ୟଗତ କାରଣରୁ ବିଶାଖପାଟଣା, ହାଇଦ୍ରାବାଦ ଓ ବାଙ୍ଗାଲୋର ପ୍ରତିଦିନ ଯାତାୟତ କରନ୍ତି । ଆହୁରି ମଧ୍ୟ ହଜାର ହଜାର ବ୍ୟକ୍ତି ବ୍ୟବସାୟିକ ଓ ବୃତ୍ତିଗତ କାରଣରୁ ଭୁବନେଶ୍ୱର, କଲୋକତା ଓ ପଡୋଶୀ ଆନ୍ଧ୍ରକୁ ପ୍ରତିଦିନକୁ ଯାତାୟତ କରନ୍ତି । ଭବିଷ୍ୟତରେ ଏଥିପାଇଁ ଯଦି କୌଣସି ଧନ ଜୀବନ ହାନୀ ହୁଏ ତେବେ ସରକାର ଓ ଜିଲ୍ଲା ପ୍ରଶାସନ ଦାୟୀ ରହିବେ ବୋଲି ଭାରତୀୟ ବିକାଶ ପରିଷଦ ପକ୍ଷରୁ ଅଭିଯୋଗ କରାଯାଇଛି ।ଏହି ପ୍ରତିବାଦ ସଭା ଏବଂ ଦାବୀ ପତ୍ର ପ୍ରଦାନ ବେଳେ ଭାରତୀୟ ବିକାଶ ପରିଷଦର ରାଜ୍ୟ ଉପସଭାପତି ସୁକାନ୍ତ ପଣ୍ଡା, ସଂପାଦକ ରାଜେନ୍ଦ୍ର ଦଳ ବେହେରା, ଗଞ୍ଜାମ ଜିଲ୍ଲା ଉପସଭାପତି ଅନୀଲ ଚୌଧୂରୀ, ବ୍ରହ୍ମପୁର ଟାଉନ୍ ଉପସଭାପତି ଇଂ ରାଜେନ୍ଦ୍ର ପ୍ରସାଦ, ମାନଓ ପାତ୍ର, ମନୋଜ ବିଷୋୟୀ, ରବୀ ନାୟକ ଓ ଋଷିକୂଲ୍ୟା ରୟତ ମହାସଭାର ସଂପାଦକ ସିମାଞ୍ଚଳ ନାହାକ ପ୍ରମୁଖ ଉପସ୍ଥିତ ଥିଲେ ।