ଭାରତ-ଆମେରିକା ଦ୍ୱିପାକ୍ଷିକ ବ୍ୟବସାୟିକ ସମ୍ପର୍କକୁ ମଜବୁତ୍ କରିଛି ଉର୍ଜା କ୍ଷେତ୍ର – ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଭାରତ-ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟିକ ସମ୍ବନ୍ଧକୁ ମଜବୁତ୍ କରିବାରେ ଉର୍ଜା କ୍ଷେତ୍ର ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ସୋମବାର ନୂଆଦିଲ୍ଲୀ ଠାରେ ଆୟୋଜିତ ଭାରତ-ଆମେରିକା ରଣନୈତିକ ସହଯୋଗୀ ଫରୋମର ବାର୍ଷିକ ନେତୃତ୍ୱ ସମ୍ମିଳନୀରେ ଆମେରିକାର ରାଷ୍ଟ୍ରଦୂତଙ୍କ ସହ ସର୍ବଜନୀନ ଆଲୋଚନା କରିବା ସମୟରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆମେରିକାର ରାଷ୍ଟ୍ରଦୂତ ଟିମ୍ ରୋଏମର୍ଙ୍କ ସହ ସାକ୍ଷାତକାରରେ ଭାରତ ଓ ଆମେରିକା ମଧ୍ୟରେ ଋଣନୈତିକ ଉର୍ଜା ସହଯୋଗ କାରଣରୁ ଗତ ତିନି ବର୍ଷରେ ଅଭୁତପୂର୍ବ ପରିବର୍ତନ ସମ୍ପର୍କରେ ଆଲୋଚନା କରାଯାଇଛି । ସୁଚନାଯୋଗ୍ୟ, ଭାରତ ଓ ଆମେରିକା ମଧ୍ୟରେ ପାରସ୍ପରିକ ବାଣିଜ୍ୟିକ ବ୍ୟବସାୟ ୨୦୧୪ ପରେ କ୍ରମାଗତ ଭାବେ ବଢିଚାଲିଛି । ଏ ଦିଗରେ ଉର୍ଜା ପ୍ରମୁଖ ଭୂମିକା ଗ୍ରହଣ କରିଛି । ଭାରତ ଆମେରିକା ଠାରୁ ୨୦୧୮-୧୯ ଆର୍ଥିକ ବର୍ଷରେ ୩.୫୮ ବିଲିୟନ ଆମେରିକୀୟ ଡଲାରର ଅଶୋଧିତ ତୈଳ ଆମଦାନୀ କରିଛି । ଏହି ମର୍ମରେ ଭାରତ ଆମେରିକା ଠାରୁ ମୋଟ ୭.୨ ବିଲିୟନ ଆମେରିକାୟ ଡଲାରର ଏଲଏନଜି ସମେତ ପେଟ୍ରୋଲିୟମ ଉତ୍ପାଦ ଆମଦାନୀ କରିଛି । ଟିମ୍ ରୋଏମର୍ କହିଛନ୍ତି ଯେ , ବହୁତ କମ୍ ସମୟ ମଧ୍ୟରେ ଅଶୋଧିତ ତୈଳ ଉତ୍ପାଦନ କରିବା ଦିଗରେ ଆମେରିକା ପ୍ରମୁଖ ୧୦ ଦେଶ ତାଲିକା ରହିପାରିଛି । ଏଲଏନଜି ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଆମେରିକା ପ୍ରମୁଖ ଭୂମିକା ଗ୍ରହଣ କରିପାରିଛି । ଭାରତୀୟ କମ୍ପାନୀ ଗୁଡିକ ପ୍ରଥମରୁ ହିଁ ଆମେରିକାର ତୈଳ ଏବଂ ଗ୍ୟାସ୍ ଆସେଟ୍ ଗୁଡିକରେ ପୁଞ୍ଜି ନିବେଶ କରୁଛନ୍ତି । ଆମେରିକା ପାଇଁ ବର୍ତମାନ ଭାରତ ବିଶ୍ୱରେ ଚତୁର୍ଥ ସର୍ବବୃହତକାରୀ ଅଶୋଧିତ ତୈଳ ଆମଦାନୀକାରୀ ଦେଶ ହୋଇଥିବା ବେଳେ ଏଲଏନଜି କ୍ଷେତ୍ରରେ ତୃତୀୟ ସର୍ବବୃହତକାରୀ ଦେଶ । ଚଳିତ ବର୍ଷ ଭାରତ ପ୍ରାୟ ୪.୫ ବିଲିୟନ ଆମେରିକୀୟ ଡଲାରର ତୈଳ ଏବଂ ଗ୍ୟାସ ଆମଦାନୀ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।