ଭାରତ ଏବେ ବଳିୟାନ୍ : ଡ଼୍ରାଗନ ହେଉ ସାବଧାନ
ପ୍ରଦୀପ ସେନାପତି
ବିଶ୍ୱରେ ଭାରତର ସ୍ଥାନ ଓ ସମ୍ମାନ ଏକ ସ୍ୱତନ୍ତ୍ର । ବିଶ୍ୱରେ ଏକ ଦୃଢ ଶକ୍ତିଶାଳୀ ଗଣତାନ୍ତ୍ରିକ ଓ ବିଶ୍ୱ ମହାଶକ୍ତି ଭାବରେ ନିଜର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇପାରିଛି । ଯାହାକି ଆଜି ସାରା ବିଶ୍ୱ ମାନିବା ପାଇଁ ବାଧ୍ୟ ହୋଇଛି । ଦେଶର ଗୌରବ ବଢିଛି । ପରିବର୍ଦ୍ଧିତ ବୈଶ୍ୱିକ ପରିସ୍ଥିତିରେ ଭାରତର ମର୍ଯ୍ୟାଦା ଓ ଶକ୍ତି ବୃଦ୍ଧି ପାଇଛି ଏବଂ ହୃଦୟଙ୍ଗମ କରି ବିଶ୍ୱ ସମୁଦାୟ ଭାରତ ସହିତ ବନ୍ଧୁତ୍ୱ ସ୍ଥାପନ କରିଛି । ଆମେରିକା ସମେତ ପାଶ୍ଚାତ୍ୟ ରାଷ୍ଟ୍ର ସମୂହ ଭାରତକୁ ଚୀନର ଆର୍ଥିକ ଓ ସାମରିକ ପ୍ରତିଦ୍ୱନ୍ଦି ଭାବେ ବିଚାର କରି ଆସିଛନ୍ତି । ବିଶ୍ୱର ବିକସିତ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଭାରତ ନିଜର ସ୍ଥିତି, ପ୍ରଗତି ଜାହିରି କରିଛି । ସର୍ବୋପରି ଭାରତ ଏବେ ବିଶ୍ୱର ଅର୍ଥନୈତିକ ଇଞ୍ଜିନ୍ ଭାବେ ଉଭା ହୋଇଛି ।୧୯୬୨ ମସିହା ଯୁଦ୍ଧ ପର ଠାରୁ ବର୍ତ୍ତମାନର ସ୍ଥିତି ଭାରତ-ଚୀନ ସମ୍ପର୍କ ସବୁଠୁ ନିମ୍ନ ସ୍ତରରେ । ସୀମାରେ ଚୀନ ଯେଉଁ ଉତ୍ତେଜନା ସୃଷ୍ଟି କରି ଚାଲିଛି ତାହା ଆମ ଦେଶ ପାଇଁ ସୃଷ୍ଟି କରିଛି ବିରାଟ ଆହ୍ୱାନ । ଚାଣକ୍ୟଙ୍କ ନୀତି ଅନୁସାରେ ପ୍ରତିବେଶୀ ରାଷ୍ଟ୍ର ହିଁ ହେଉଛି ସବୁଠାରୁ ବଡ ଶତୃ । ଚୀନ ହେଉଛି ଏହାର ପ୍ରକୃଷ୍ଟ ଉଦାହରଣ । ଚୀନର ଉଚ୍ଚାରଣ ଓ ଆଚ୍ଚରଣରେ ଦେଖାଦେଇଛି ବିରାଟ ପାର୍ଥକ୍ୟ । ସୀମା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଚୀନ ଚାହୁଁନାହିଁ । ବର୍ତ୍ତମାନ ବିଶ୍ୱ କୁଟନୀତିରେ ଯେଉଁ କାୟା ପରିବର୍ତ୍ତନ ଘଟିଛି ସେଥିରେ ଭାରତ ଅନ୍ୟତମ ପ୍ରମୁଖ ଶକ୍ତି ରୂପେ ଉଭା ହୋଇଛି ଯାହାକୁ ଚୀନ ଗ୍ରହଣ କରିବାକୁ ନାରାଜ । ଏକବିଂଶ ଶତାଦ୍ଦୀରେ ଆର୍ଥିକ ନୀତି ହିଁ କୁଟନୀତିକ ମୁଖ୍ୟ ଆୟୁଧ । ଯୁଦ୍ଧ ହେଉଛି ଉନବିଂଶ ଶତାଦ୍ଦୀୟ ଅସ୍ତ୍ର । ତେଣୁ ଉଭୟ ଦେଶ ଏବେ ଶାନ୍ତି ଓ ସ୍ଥିରତା ରକ୍ଷା ପାଇଁ ପ୍ରୟାସ କଲେ ସୁଧା ଚୀନର ଚରିତ୍ରକୁ ଚିହ୍ନି ତା’ର ରଣନୀତି ଓ କୁଟନୀତି ପାଇଁ ପ୍ରସ୍ତୁତ କରି ସାରିଛି ଭାରତ ଏବଂ ଏହା ହିଁ ହେଉଛି ଚୀନ ଡ଼୍ରାଗନ୍କୁ ଜବତ କରିବାରେ ସହାୟକ ଓ ସଫଳତା ।୨୦୨୦ ମସିହା ଜୁନ୍ ୧୫ ତାରିଖରେ ଲଦାଖର ଗଲୱାନ୍ ଘାଟିରେ ଚୀନର ପିପୁଲସ ଲିବେରେସନ ଆର୍ମି ଓ ଭାରତୀୟ ସେନା ମଧ୍ୟରେ ଘଟିଥିବା ରକ୍ତାକ୍ତ ସଂଘର୍ଷ ଦେଶରେ ସୃଷ୍ଟି କରିଥିଲା ଯୁଦ୍ଧ ଉନ୍ମାଦ । ଗଲୱାନ ଘାଟିରେ ଚୀନ ସେନାର ଯୋଜନା ବଦ୍ଧ ଆକ୍ରମଣ ପାଇଁ ପିଏଲଏ ହାତା ହାତି -ଯୁଦ୍ଧରେ ପାରଙ୍ଗମ ସୈନ୍ୟ ନିୟୋଜିତ କରିଥିଲା ଯେଉଁଥିରେ ଆମର ୨୦ଜଣ ବୀର ଜୱାନ ସହିଦ ହୋଇଥିଲେ । ଚୀନ ସୈନ୍ୟଙ୍କ ମାରଣାସୁ ପ୍ରୟୋଗ ଓ ମାରଣାସ୍ତ୍ର ଆକ୍ରମଣ କୌଣସି ସଭ୍ୟ ତଥା ପ୍ରଫେସନାଲ ସୈନ୍ୟଙ୍କ କାର୍ଯ୍ୟ ନୁହେଁ ବୋଲି ବିବେଚନା କରାଯାଏ । ତେବେ ଏହି ସଂଘର୍ଷରେ ଚୀନର ୪୫ରୁ ଉର୍ଦ୍ଧ୍ୱ ସୈନ୍ୟ ନିହତ ହୋଇଥିଲେ ମଧ୍ୟ କାପୁରୁଷର ପରିଚୟ ଦେଇ ଏହାକୁ ଲୁଚାଇ ରଖିଥିଲା । ଏକ ବିଲିଅନରୁ ଉର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ଭାରତ-ଚୀନ ଦୁଇ ପରମାଣୁ ଶକ୍ତି ସଂପନ୍ନ ରାଷ୍ଟ୍ରଙ୍କ ମଧ୍ୟରେ ୩୪୮୮ କି.ମି. ଦୀର୍ଘ ଏଲ ଏ ସି ରହିଛି ଯାହାକି ପୃଥିବୀର ଦୀର୍ଘତମ ଅସମାହିତ ସ୍ଥଳ-ସୀମା-ବିବାଦ । ଏକଦା ବିଶ୍ୱରେ ଶାନ୍ତିର ବାତାବରଣ ସୃଷ୍ଟି କରିବାରେ ଆଗୁଆ ହୋଇ ‘ପଞ୍ଚଶୀଳ’ନୀତି ଗ୍ରହଣ କରିଥିଲେ ମଧ୍ୟ ସୀମା ବିବାଦ କାରଣରୁ ୧୯୬୨ ମସିହାରେ ଯୁଦ୍ଧ ଭୂମିରେ ଅବତୀର୍ଣ୍ଣ ହୋଇଥିଲେ । ଗଲୱାନ୍ରେ ଘଟିଥିବା ସଂଘର୍ଷ ପରେ ଦୁଇଦେଶ ମଧ୍ୟରେ ବହୁବାର କୂଟନୈତିକ ଆଲୋଚନା ତଥା ସାମରିକ କମାଣ୍ଡସ୍ତରୀୟ ଆଲୋଚନା କାରଣରୁ ଉତ୍ତେଜନା କିଛି ପରିମାଣରେ ପ୍ରଶମିତ ହେବାରୁ ଯୁଦ୍ଧ ବାଦଲ ହଟି ଯାଇଥିଲା । ଏବେ ସେହି ନିଆଁକୁ କୁହୁଳାଇ ରଖି ଚୀନ ମଝିରେ ମଝିରେ ପୁଣି ଉତ୍ତେଜନା ସୃଷ୍ଟି କରି ଚାଲିଛି । ଏହି କାରଣରୁ ଆଜି ପର୍ଯ୍ୟନ୍ତ ଦୁଇ ଦେଶର ୬୦ ହଜାରରୁ ଉର୍ଦ୍ଧ୍ୱ ସୈନ୍ୟ ସୀମାନ୍ତରେ ନିୟୋଜିତ ରହିଛନ୍ତି । ଭାରତୀୟ ସେନାର ସୈନ୍ୟବଳ, ଆଇ.ଟି.ବି.ପି ଲାଦାଖ ସ୍କାଉଟସ, ଟ୍ୟାଙ୍କ ଆଟିଲାରୀ ଗନ୍, ରକେଟ, ଅଲଟ୍ରା ଲାଇଟ ହାୱାଇଜରସ୍, ମୃତୟନ ହେବାସହ ଗୁଇନ୍ଦା ଉପଗ୍ରହ ଦ୍ୱାରା ଚୀନ ସେନାର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ।ଭାରତ -ଚୀନ କୋର୍ କମାଣ୍ଡରସ୍ତରୀୟ ଆଲୋଚନା ୧୮ଥର ହୋଇଯାଇଛି । ଶେଷ ବୈଠକ ୨୦୨୩ ଏପ୍ରିଲ ୨୩ରେ ବସିଥିଲା । ମାତ୍ର ଗଲୱାନ ସଂଘର୍ଷ ପରେ ୧୬ତମ କମାଣ୍ଡରସ୍ତରୀୟ ଆଲୋଚନା (୨୦୨୨ ଜୁଲାଇ ୧୭) ବିଶେଷ ଗୁରୁତ୍ୱ ବହନ କରେ । ଏହି ବୈଠକ ପରେ ଉଭୟ ଦେଶର ସୈନ୍ୟ ଗୋଗ୍ରା – ହଟସ୍ପ୍ରିଙ୍ଗ୍ ଅଞ୍ଚଳରେ ଥିବା ପେଟ୍ରୋଲିଂ ପଏଣ୍ଟ (ପି.ପି. -୧୫)ରୁ ଓହରି ଆସିଥିଲେ । ଗଲୱାନ୍ରେ ଥିବା(ପି.ପି. ୧୪, ପି.ପି.୧୭ -ଏ) ଗୋଗ୍ରା ଏବଂ ପେଙ୍ଗଙ୍ଗ୍ ହ୍ରଦର ଉତ୍ତର