ଭାରତ-ଚୀନ୍ ସଂପର୍କର ନୂଆ ଅଧ୍ୟାୟ : ମହାବଳୀପୁରମ୍ରେ ମୋଦୀ-ଜିନପିଙ୍ଗ
ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ଦୁଇ ଦିନିଆ ଭାରତ ଗସ୍ତରେ ଆସି ଆଜି ଚେନ୍ନାଇ ପହଞ୍ଚିବା ପରେ ପ୍ରାଚୀନ ସହର ମହାବଳୀପୁରମ୍ (ମାମଲ୍ଲାପୁରମ୍)ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ସ୍ୱାଗତ କରିଛନ୍ତି । ଉଭୟ ନେତା ଆଜି ବାଣିଜ୍ୟ, ପୁଂଜିନିବେଶ ଏବଂ ଅନ୍ୟ କେତେକ ପ୍ରସଙ୍ଗରେ ଆଲୋଚନା କରିବା ସହ ଦ୍ୱିପାକ୍ଷିକ ସଂପର୍କକୁ ଅଧିକ ବ୍ୟାପକ କରିବାକୁ ଗୁରୁତ୍ୱାରୋପ କରିଛନ୍ତି । ଆତଙ୍କବାଦ ପ୍ରସଙ୍ଗରେ ମଧ୍ୟ ଉଭୟେ ଆଲୋଚନା କରିଥିବା ବିଦେଶ ସଚିବ ବିଜୟ ଗୋଖଲେ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଆଜି ତାମିଲ ପାରମ୍ପରିକ ଧୋତି, ହାଫ୍ ସାର୍ଟ ଏବଂ କାନ୍ଧରେ ଅଙ୍ଗବସ୍ତ୍ର ସହ ଦେଖିବାକୁ ମିଳିଥିଲା । ଏହି ପରିଧାନରେ ସେ ଜିନ୍ପିଙ୍ଗଙ୍କୁ ସ୍ୱାଗତ କରିଥିଲେ । ଏହା ପୂର୍ବରୁ ଚେନ୍ନାଇ ବିମାନ ବନ୍ଦରରେ ଜିନ୍ପିଙ୍ଗ୍ଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ମହାବଳୀପୁରମରେ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ଜିନ୍ପିଙ୍ଗଙ୍କୁ ପ୍ରଥମେ ଅର୍ଜୁନଙ୍କ ତପସ୍ୟାସ୍ଥଳୀ ଦେଖାଇବା ସହ ତାହାର ମହତ୍ୱ ବୁଝାଇଥିଲେ । ସେଠାରେ ଦୁଇ ନେତା ଅନୌପଚାରିକ କଥାବାର୍ତ୍ତା ଜାରି ରଖି ପ୍ରାଚୀନ କୀର୍ତ୍ତିରାଜି ବୁଲି ଦେଖିଥିଲେ । ୨୫୦ ଟନର ଏକ ପ୍ରାଚୀନ ପଥର କିଭଳି ସନ୍ତୁଳନ ରକ୍ଷା କରି ରହିଛି ତାହା ଜିନ୍ପିଙ୍ଗଙ୍କୁ ମୋଦୀ ଦେଖାଇବା ସହ ତାଙ୍କ ହାତ ଧରି ସେଠାକୁ ନେଇଥିଲେ । ଏହାପରେ ମହାବଳୀପୁରମର ୟୁନେସ୍କୋ ହେରିଟେଜ ସାଇଟକୁ ଦୁଇ ନେତା ଯାଇଥିଲେ । ଏହାକୁ ପଲ୍ଲବ ରାଜାମାନଙ୍କ ଦ୍ୱାରା ସପ୍ତମ ଓ ଅଷ୍ଟମ ଶତାବ୍ଦୀରେ ସ୍ଥାପିତ କରାଯାଇଥିଲା । ସେଠାରେ ମୋଦୀ ଜିନ୍ପିଙ୍ଗଙ୍କୁ ପଥର ନିର୍ମିତ “ପଂଚରଥ ‘ର ଇତିହାସ ସଂପର୍କରେ କହିଥିଲେ । ଏହାପରେ ଦୁଇ ନେତା ସମୁଦ୍ର ତଟରେ ଅବସ୍ଥିତ ବିଶ୍ୱ ପ୍ରସିଦ୍ଧ ସୋର୍ ମନ୍ଦିର ଯାଇଥିଲେ । ସୋର୍ ମନ୍ଦିରର ଇତିହାସ ସଂପର୍କରେ ପ୍ରଧାନମନ୍ତ୍ରୀ ଜିନ୍ପିଙ୍ଗଙ୍କୁ ବୁଝାଇଥିଲେ । ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସୋର୍ ମନ୍ଦିରରେ ଜିନ୍ପିଙ୍ଗଙ୍କୁ ସ୍ୱାଗତ କରିଥିଲେ । ସନ୍ଧ୍ୟାରେ ମୋଦୀ ଏବଂ ଜିନ୍ପିଙ୍ଗ୍ ସୋର୍ ମନ୍ଦିର ପରିସରରେ କଳାକ୍ଷେତ୍ର ଫାଉଣ୍ଡେସନ ଦ୍ୱାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମର ଆନନ୍ଦ ନେଇଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଜିନ୍ପିଙ୍ଗ୍ଙ୍କୁ ତଂଜାଭୁର୍ ପେଣ୍ଟିଂ ଏବଂ “ଅନ୍ନମ ଦୀପ ‘ ଉପହାର ଦେଇଥିଲେ । ମୋଦୀ-ଜିନ୍ପିଙ୍ଗ୍ ଦ୍ୱିତୀୟ ଅନୌପଚାରିକ ସମ୍ମିଳନୀ ସହିତ ଭାରତ-ଚୀନ୍ ସଂପର୍କରେ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । ଆଜି ଜିନ୍ପିଙ୍ଗ ଚେନ୍ନାଇରେ ପହଞ୍ଚିବା ପରେ ତାଙ୍କୁ ଏୟାରପୋର୍ଟରେ ଜିନ୍ପିଙ୍ଗଙ୍କୁ ତାମିଲନାଡ଼ୁ ରାଜ୍ୟପାଳ ବନୱାରୀଲାଲ ପୁରୋହିତ, ମୁଖ୍ୟମନ୍ତ୍ରୀ ଇ. ପଲାନିସ୍ୱାମୀ, ଉପମୁଖ୍ୟମନ୍ତ୍ରୀ ଓ ପନିରସେଲଭମ ସ୍ୱାଗତକରିଥିଲେ । ଏୟାରପୋର୍ଟରେ ଜିନ୍ପିଙ୍ଗଙ୍କ ସ୍ୱାଗତ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ହୋଇଥିଲା । ଚୀନ୍ ସହ ମାମଲ୍ଲାପୁରମର ଦୀର୍ଘ ୧୭୦୦ ବର୍ଷର ସମ୍ପର୍କ ଚେନ୍ନାଇ: ପ୍ରାଚୀନ ସହର ମାମଲ୍ଲାପୁରମ୍ (ମହାବଳୀପୁରମ୍)ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ଜି ଜିନ୍ପିଙ୍ଗ୍ଙ୍କ ମଧ୍ୟରେ ଦ୍ୱିତୀୟ ଅନୌପଚାରିକ ସମ୍ମିଳନୀ ହେଉଛି । ମମଲ୍ଲାପୁରମ୍ର ଚୀନ୍ ସହ ଦୀର୍ଘ ୧୭୦୦ ବର୍ଷର ସମ୍ବନ୍ଧ । ମାମଲ୍ଲାପୁରମ୍ ପୂର୍ବରୁ ମହାବଳୀପୁରମ୍ ଭାବେ ପରିଚିତ ଥିଲା । ଚୋଳ ଏବଂ ପଲ୍ଲବ ରାଜବଂଶ ସମୟରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବନ୍ଦର ଥିଲା । ଏଠାରେ ବିଶ୍ୱ ଐତିହ୍ୟ ତାଲିକାଭୁକ୍ତ ବିଭିନ୍ନ ପଥର ମନ୍ଦିର ଏବଂ ଗୁମ୍ଫା ରହିଛି । ପ୍ରଥମ ଏବଂ ଦ୍ୱିତୀୟ ଶତାବ୍ଦୀର ସେଲାଡନ୍ ୱେର୍ ତଥା ମାଟିପାତ୍ର ତାମିଲନାଡ଼ୁର ପୂର୍ବ ଉପୂକଳରୁ ମିଳିଥିଲା । ଚୀନ୍ ପରିବ୍ରାଜକ ହୁଏନଂସା ମଧ୍ୟ ସଙ୍ଗମ ଯୁଗ ସମୟରେ ମାମଲ୍ଲାପୁରମ୍ ଦେଇ ବୌଦ୍ଧ ଧର୍ମର ଏକ ପ୍ରମୁଖ କେନ୍ଦ୍ରସ୍ଥଳ କାଂଚିପୁରମରେ ପହଞ୍ଚିଥିଲେ ବୋଲି କୁହାଯାଉଛି । ମାମଲ୍ଲାପୁରମରେ ଥିବା ଅନେକ ପ୍ରସ୍ତର ସ୍ମାରକ ଅସମ୍ପୂର୍ଣ୍ଣ ହୋଇ ରହିଛି । କିଛି ବିଶେଷଜ୍ଞ ଆକଳନ କରୁଛନ୍ତି ଯେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଏହି କାର୍ଯ୍ୟ ବନ୍ଦ ରହିଥିଲା ଏବଂ ପରବର୍ତ୍ତୀ ସମୟରେ ଏହାକୁ ସଂପୂର୍ଣ୍ଣ କରିବା ଆଉ ସମ୍ଭବ ହୋଇନଥିଲା । ଜିନ୍ପିଙ୍ଗ୍ଙ୍କ ଖାଦ୍ୟରେ ରସମ୍, ସମ୍ବର, ହାଲ୍ୱା ମାମଲ୍ଲାପୁରମରେ ଜିନ୍ପିଙ୍ଗଙ୍କ ପାଇଁ ଆୟୋଜିତ ସ୍ୱତନ୍ତ୍ର ଡିନର୍ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର ଦକ୍ଷିଣ ଭାରତୀୟ ଖାଦ୍ୟ ପରିବେଷଣ ହୋଇଥିଲା । ଏଥିରେ ଠକ୍କଲି ରସମ୍, ସମ୍ବର, କଦଳି କୁର୍ମା ଏବଂ ବନାରସୀ ହାଲ୍ୱା ଆଦି ପରସା ଯାଇଥିଲା । ଏହି ରାତ୍ରୀଭୋଜନରେ ଉଭୟ ଭାରତ ଓ ଚୀନରୁ ୮ ଜଣ ଲେଖାଏଁ ପ୍ରତିନିଧି ସାମିଲ ଥିଲେ ।