ଭାରତ-ଚୀନ ସୀମାନ୍ତ ଘଟଣା ନେଇ ଏମିତି କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଭାରତମାତାର ସାହସୀ ସନ୍ତାନମାନେ ଦେଶମାତୃକାର ସୁରକ୍ଷା କରିବାବେଳେ ଗଲୱାନ ଉପତ୍ୟକାରେ ପ୍ରାଣବଳି ଦେଇଛନ୍ତି । ଦେଶର ସେବାରେ ସେମାନଙ୍କର ମହାନ ତ୍ୟାଗ ପାଇଁ ମୁଁ ସେମାନଙ୍କୁ ସାଲ୍ୟୁଟ କରୁଛି । ହୃଦୟର ଗଭୀରତମ ପ୍ରଦେଶରୁ ମୁଁ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ଦୁଃଖର ଏହି ଜଟିଳ ସମୟରେ ମୁଁ ସେହି ସହିଦମାନଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ମୋର ଗଭୀର ସମବେଦନା ଜ୍ଞାପନ କରୁଛି । ଆଜି ସମଗ୍ର ରାଷ୍ଟ୍ର ଆପଣମାନଙ୍କ ସହିତ ରହିଛି । ସାରା ଦେଶର ସମବେଦନା ଆପଣଙ୍କ ସହ ଅଛି । ଆମ ବୀର ସହିଦମାନଙ୍କ ସର୍ବୋଚ୍ଚ ବଳିଦାନ ବ୍ୟର୍ଥ ଯିବନାହିଁ । ପରିସ୍ଥିତି ଯାହା ହେଉନା କାହିଁକି ଭାରତ ତାହାର ଭୂ-ଭାଗର ପ୍ରତ୍ୟେକ ଇଞ୍ଚକୁ ଦୃଢତାର ସହ ସୁରକ୍ଷିତ କରିବ ଏବଂ ନିଜର ଆତ୍ମସମ୍ମାନ ବଜାୟ ରଖିବ । ସାଂସ୍କୃତିକ ଦୃଷ୍ଟିରୁ ଭାରତ ଏକ ଶାନ୍ତିପ୍ରିୟ ଦେଶ । ଶାନ୍ତି ପ୍ରତି ଶ୍ରଦ୍ଧାର ମହତ୍ୱ ଭାରତର ଇତିହାସରେ ସର୍ବଦା ବର୍ଣ୍ଣିତ । ଭାରତର ଆଦର୍ଶଗତ ମନ୍ତ୍ର ହେଲା- ‘ଲୋକାଃ ସମସ୍ତାଃ ସୁଖୀନୋ ଭବନ୍ତୁ’ । ସବୁ ଯୁଗରେ ଆମେ ଶାନ୍ତି ଏବଂ ସମଗ୍ର ବିଶ୍ୱ ଓ ମାନବ ଜାତିର କଲ୍ୟାଣ କାମନା କରିଆସିଛୁ । ଆମ ପଡ଼ୋଶୀମାନଙ୍କ ସହ ଆମେ ସର୍ବଦା ନିବିଡ଼ଭାବେ ସହଯୋଗ ଓ ବନ୍ଧୁତ୍ୱପୂର୍ଣ୍ଣ ମାର୍ଗରେ କାମ କରିଛୁ । ଆମେ ସବୁବେଳେ ସେମାନଙ୍କ କଲ୍ୟାଣ ଓ ବିକାଶ ଚାହିଁଛୁ । ଯେତେବେଳେ କୌଣସି ମତଭେଦ ସୃଷ୍ଟି ହୋଇଛି ତାହା ଯେପରି ବିବାଦରେ ପରିଣତ ନହୁଏ ସେଥିପାଇଁ ଆମେ ଉଦ୍ୟମ କରିଆସିଛୁ । ଆମେ କେବେ କାହାକୁ ଉସୁକାଉନା, କିନ୍ତୁ ଆମେ ଆମ ଦେଶର ସାର୍ବଭୌମ ଓ ଅଖଣ୍ଡତା ସହ କେବେ ବୁଝାମଣା କରିନାହୁଁ । ଯେତେବେଳେ ଏହା ଦରକାର ପଡ଼ିଛି ଆମେ ସେତେବେଳେ ଆମର ଶକ୍ତି ପ୍ରଦର୍ଶନ କରି ଆମ ଦେଶର ସାର୍ବଭୌମ ଓ ଅଖଣ୍ଡତାକୁ ସୁରକ୍ଷିତ କରିବାର ଦକ୍ଷତା ଦେଖାଇଛୁ । ତ୍ୟାଗ ଏବଂ ଧୈର୍ଯ୍ୟ ଆମ ଜାତୀୟ ଚରିତ୍ରର ଅଂଶ ବିଶେଷ । ସମାନଭାବେ ସାହସିକତା ଓ ବୀରତ୍ୱ ମଧ୍ୟ ଏହାର ଏକ ଅଭିନ୍ନ ଅଙ୍ଗ । ମୁଁ ରାଷ୍ଟ୍ରକୁ ପ୍ରତିଶ୍ରୁତି ଦେବାକୁ ଚାହେଁ ଯେ ଆମ ଯବାନମାନଙ୍କର ବଳିଦାନ କେବେ ବ୍ୟର୍ଥ ଯିବନାହିଁ । ଦେଶର ସାର୍ବଭୌମତ୍ୱ ଓ ଅଖଣ୍ଡତା ଆମ ପାଇଁ ମହାନ୍‌ ଏବଂ ଏହାର ସୁରକ୍ଷା ପାଇଁ ଆମକୁ କେହି ଏଥିରୁ ବିରତ କରିପାରିବେ ନାହିଁ । କାହାରି ମନରେ ଏ ନେଇ ସାମାନ୍ୟତମ ସନ୍ଦେହ ରହିବା ଅନୁଚିତ । ଭାରତ ଶାନ୍ତି ଚାହେଁ କିନ୍ତୁ କେହି ଯଦି ତାକୁ ଉସୁକାଏ ବା ଉତ୍ତେଜିତ କରେ ତେବେ ଦେଶ ତାହାର ଉଚିତ ଜବାବ ଦେବ । ଆମର ଯବାନମାନେ ଲଢେଇ କରୁଥିବାବେଳେ ସହିଦ ହୋଇଛନ୍ତି; ତେଣୁ ସେମାନଙ୍କ ପାଇଁ ଦେଶ ଗର୍ବିତ । ଏହି ବୀର ସନ୍ତାନମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ ନିମନ୍ତେ ଦୁଇ ମିନିଟ ନିରବତା ପାଳନ କରିବାକୁ ମୁଁ ନିବେଦନ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ