ଭାରତ ସରକାରଙ୍କ ବିଦେଶ ବାଣିଜ୍ୟ ମହାନିର୍ଦ୍ଦେଶାଳୟର ଆଂଚଳିକ ଲାଇସେସିଂ କାର୍ଯ୍ୟାଳୟ କଲିକତା ସ୍ଥାନାନ୍ତରିତ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ବିଦେଶ ବାଣିଜ୍ୟ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଅଧୀନରେ କାର୍ଯ୍ୟରତ ଆଂଚଳିକ ଲାଇସେସିଂ କର୍ତୃପକ୍ଷଙ୍କ କାର୍ଯ୍ୟାଳୟ କଟକରୁ କଲିକତା ସ୍ଥାନାନ୍ତରିତ ହେବା ପରେ ରାଜ୍ୟର ସାମୁଦ୍ରିକ ମତ୍ସ୍ୟ, କୃଷି ଉତ୍ପାଦ ପରି ନଷ୍ଟ ଯୋଗ୍ୟ ଦ୍ରବ୍ୟର ରପ୍ତାନୀ କ୍ଷେତ୍ରରେ ବିଶେଷ ସମସ୍ୟା ଦେଖାଦେଉଛି । ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ଆଜି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ କେନ୍ଦ୍ର ବିଦେଶ ବାଣିଜ୍ୟ କାର୍ଯ୍ୟାଳୟର ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ସହିତ ଭର୍ଚୁଆଲ ମାଧ୍ୟମରେ ବାର୍ତାଳାପ କରି ରପ୍ତାନୀ କ୍ଷେତ୍ରରେ ଦେଖାଦେଇଥିବା ସ୍ଥାନୀୟ ସମସ୍ୟା ବିଷୟରେ ଆଲୋଚନା କରି ସେ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ । ରାଜ୍ୟରେ ଖଣିଜ, ଧାତୁ ଉତ୍ପାଦ, କୃଷି ଉତ୍ପାଦ, ସାମୁଦ୍ରିକ ଉତ୍ପାଦ(ମତ୍ସ୍ୟ), ହସ୍ତତନ୍ତ, ହସ୍ତଶିଳ୍ପ, କାଜୁ ଏବଂ ମସଲାଜାତୀୟ ଦ୍ରବ୍ୟ ରପ୍ତାନୀର ଅପାର ସମ୍ଭାବନା ରହିଛି । ରାଜ୍ୟରେ ଏସବୁର ପ୍ରୋତ୍ସାହନ ଲାଗି ରପ୍ତାନୀ ପ୍ରୋତ୍ସାହନ ପରିଷଦ ନଥିବାରୁ ରପ୍ତାନୀ କ୍ଷେତ୍ରରେ ଅନେକ ସମସ୍ୟା ଦେଖାଦେଉଛି । ସେଥିପାଇଁ ତୁରନ୍ତ ରପ୍ତାନୀ ପ୍ରୋତ୍ସାହନ ପରିଷଦ ଖୋଲିବା ପାଇଁ ପଦକ୍ଷେପ ନେବାକୁ ସେ ଏହି ବାର୍ତାଳାପ ସମୟରେ ଉଲ୍ଲେଖ କରିଛନ୍ତି ।
ରାଜ୍ୟରେ ପାରାଦୀପ, ଧାମରା ଓ ଗୋପାଳପୁର ପରି ତିନୋଟି ସକ୍ରିୟ ବନ୍ଦର ଅନ୍ୟାନ୍ୟ ପଣ୍ୟ ରପ୍ତାନୀ ଓ ଆମଦାନୀ କରୁଛି । କିନ୍ତୁ ସିପିଂ ଲାଇନ୍‌ର ଏବଂ ରିଫରି କନେଟନର ନଥିବା ହେତୁ ସାମୁଦ୍ରିକ ଉତ୍ପାଦ ରପ୍ତାନୀ ସକାଶେ ପଡ଼ୋଶୀ ବିଶାଖାପାଟଣା ଓ କଲିକତା ବନ୍ଦର ଉପରେ ନିର୍ଭର କରିବାକୁ ପଡ଼ୁଛି । ଅପର ପକ୍ଷେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଏକ କାର୍ଗୋ କମ୍ପେ୍ଲକ୍ସ ଥିବା ସତ୍ୱେ ନଷ୍ଟଯୋଗ୍ୟ ଦ୍ରବ୍ୟଗୁଡ଼ିକର ରପ୍ତାନୀର ସବୁିଧା ନାହିଁ । ତେଣୁ ରାଜ୍ୟର ଉକ୍ତ ତିନୋଟି ବନ୍ଦରରେ ଆନୁସଙ୍ଗିକ ବ୍ୟବସ୍ଥା ଉପଲବ୍ଧ କରାଇଲେ କୃଷିଜାତ ଦ୍ରବ୍ୟ ଓ ସାମୁଦ୍ରିକ ଉତ୍ପାଦ ପରି ଶିଘ୍ର ନଷ୍ଟ ହୋଇ ଯାଉଥିବା ଦ୍ରବ୍ୟକୁ ସହଜରେ ରପ୍ତାନୀ କରାଯାଇ ପାରନ୍ତା ।
ତା’ଛଡ଼ା ବିଜୁ ପଟ୍ଟନାୟକ ବିମାନ ବନ୍ଦରଠାରେ ଅନ୍ତତଃ ଦକ୍ଷିଣ-ପୂର୍ବ ଏସୀୟ ଦେଶଗୁଡ଼ିକୁ ରପ୍ତାନୀ କରିବାକୁ ସୁଯୋଗ ସୃଷ୍ଟି କରିବାକୁ ପଦକ୍ଷେପ ନେବାକୁ ସେ ଅନୁରୋଧ କରିଥିଲେ । ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରର କାର୍ଗୋ କମ୍ପେ୍ଲକ୍ସଠାରେ କୃଷି ଓ ସାମୁଦ୍ରିକ ଉତ୍ପାଦଗୁଡ଼ିକର ରପ୍ତାନୀ ସକାଶେ ଶୀତଳ ଭଣ୍ଡାର, ପ୍ୟାକେଜିଂ ୟୁନିଟ୍ ଏବଂ ପରିମଳ ଗୁଣବତା ପ୍ରମାଣପତ୍ର ପ୍ରଦାନ ଭଳି ସୁବିଧା ଓ ଭିତିଭୂମିର ସୃଷ୍ଟି କରାଯିବା ସହ ସ୍ୱତନ୍ତ୍ର ପ୍ଲାଂଟ ଅଫିସ ନିର୍ମାଣ କରିବା ଆଦି ବିଷୟ ସେ ଅବଗତ କରିଥିଲେ ।
ରାଜ୍ୟରେ ରପ୍ତାନୀ ପ୍ରୋତ୍ସାହନ ଏବଂ ବିପଣନ ନିର୍ଦ୍ଦେଶାଳୟକୁ ରପ୍ତାନୀ କାରବାର ତଦାରଖ ନିମନ୍ତେ ନୋଡ଼ାଲ ସଂସ୍ଥା ଭାବେ ଘୋଷଣା କରାଯାଇଛି । କିନ୍ତୁ ଏହି ସଂସ୍ଥା ରପ୍ତାନୀଜନିତ ସମସ୍ୟାର ସମାଧାନ ପାଇଁ ବୃତିଗତ କର୍ମଚାରୀଙ୍କ ଅଭାବ ରହିଛି । ତେଣୁ ତୁରନ୍ତ ଜଣେ ଦକ୍ଷ ବୃତିଗତ ବିଦେଶ ବାଣିଜ୍ୟ ଅଧିକାରୀଙ୍କ ନିଯୁକ୍ତି ଦେବାକୁ କିମ୍ବା ବାଣିଜ୍ୟ ମନ୍ତ୍ରାଳୟର କୌଣସି ଉପଯୁକ୍ତ ଅଧିକାରୀଙ୍କୁ ଓଡ଼ିଶାରେ ନିୟୋଜନ କରିବାକୁ ସେ ପ୍ରସ୍ତାବ ରଖିଥିଲେ । ରାଜ୍ୟର ଅର୍ଥନୈତିକ ବିକାଶ ପାଇଁ ସ୍ଥାନୀୟ ଉତ୍ପାଦଗୁଡ଼ିକର ବିଦେଶ ରପ୍ତାନୀ ଏକ ପ୍ରମୁଖ ଦିଗ ହୋଇଥିବା ହେତୁ ଏହି ପ୍ରସଙ୍ଗକୁ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଉଛି । ତା’ଛଡ଼ା ସ୍ଥାନୀୟ ବ୍ୟବସାୟୀ ରପ୍ତାନୀ କ୍ଷେତ୍ରରେ ଦେଖା ଦେଇଥିବା ଏହି ଅବ୍ୟବସ୍ଥା ଯୋଗୁଁ କ୍ରମାଗତ ଭାବେ କ୍ଷତି ସହୁଥିବା ନେଇ ଅସନ୍ତୋଷ ପ୍ରକାଶ କରିଆସୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ