ଭାଷା ସୁରକ୍ଷା ସମ୍ମିଳନୀ ଓ ଉତ୍କଳ ସମ୍ମିଳନୀ ପକ୍ଷରୁ ବିଶ୍ୱ ମାତୃଭାଷା ଦିବସ ପାଳିତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ମାତୃଭାଷା ହେଉଛି ରାଷ୍ଟ୍ର ଗଠନର ଏକ ବଳିଷ୍ଠ ଭିତ୍ତି । ସମଗ୍ର ବିଶ୍ୱରେ ମାତୃଭାଷା ଏବଂ ସାଂସ୍କୃତିକ ବିଭବର ସୁରକ୍ଷା ପାଇଁ ଅଜସ୍ର ରାଷ୍ଟ୍ରକ୍ଷୟୀ ସଙ୍ଘର୍ଷ ହୋଇଯାଇଛି । ଏହି ଗୈାରବମୟ ସଂଗ୍ରାମର ସର୍ବଶେଷ୍ଠ ନିଦର୍ଶନ ହେଉଛି ବଙ୍ଗଳା ଭାଷାକୁ ନେଇ ସ୍ୱତନ୍ତ୍ର ବଙ୍ଗଳାଦେଶ ଗଠନ ପାଇଁ ହୋଇଥିବା ଜୀବନକ୍ଷୟୀ ସଂଗ୍ରାମ ଯାହା ୧୯୭୧ମସିହାରେ ବିଜୟଶ୍ରୀ ମଣ୍ଡିତ ହୋଇଥିଲା । ଏହି ସଂଗ୍ରାମର ଆଦ୍ୟ କାଳରେ ୧୯୫୨ମସିହାରେ ଆଜି ଦିନର ପଶ୍ଚିମ ପାକିସ୍ଥାନର ସୈନ୍ୟ ବାହିନୀ ଦ୍ୱାରା ବଙ୍ଗାଳୀ ଆନ୍ଦୋଳନକାରୀମାନଙ୍କୁ କରାଯାଇଥିବା ନରସଂହାର ସ୍ମୃତିରେ ଜାତିସଙ୍ଘ ଦ୍ୱାରା ୧୯୯୯ମସିହାରୁ ଆଜି ଦିନକୁ ବିଶ୍ୱ ମାତୃଭାଷା ଦିବସ ରୂପେ ପାଳନ କରାଯାଉଛି ବୋଲି ଭାଷା ସୁରକ୍ଷା ସମ୍ମିଳନୀ ଓ ଉତ୍କଳ ସମ୍ମିଳନୀର ମିଳିତ ଆନୁକୁଲ୍ୟରେ ପାଳିତ ବିଶ୍ୱ ମାତୃଭାଷା ଦିବସ ପାଳନ ଅବସରରେ ଯୋଗଦେଇ ଆଲୋଚକମାନେ ମତବ୍ୟକ୍ତ କରିଛନ୍ତି । ଭାଷା ସୁରକ୍ଷା ସମ୍ମିଳନୀର ଜିଲ୍ଲା ସଭାପତି ଡଃ. ବାସୁଦେବ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ସମ୍ପାଦକ ଆଦିକନ୍ଦ ରାଉଳ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିବା ବେଳେ ସାହିତ୍ୟିକ ରାମକୃଷ୍ଣ ଦାଶ, ଗୋପାଳକୃଷ୍ଣ ଜେନା, ନୃସିଂହ ଚରଣ ତ୍ରିପାଠୀ, ଅବିନାଶ ଚୈାଧୁରୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ମାଧବ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଡଃ. ଦାସଙ୍କୁ ତାଙ୍କର ୭୫ତମ ଜନ୍ମଦିବସ ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା ।


