ଭାସି ଭାସି ଯାଉଛି ଲୋକ ନ ଥିବା ତୈଳବାହୀ ଜାହାଜ
ପାନାଜି: ଗୁରୁବାର ଅପରାହ୍ନରେ ଗୋଆର ମୋର୍ମୁଗାଓ ବନ୍ଦରରେ ନଙ୍ଗର ଛିଡ଼ି ଯିବାରୁ ୩୦୦୦ ଟନ୍ ନାଫତା(ଏକ ଜାତୀୟ ଦହନଶାଳୀ ତୈଳ) ବୋଝେଇ ଗୋଟାଏ ମାନବବିହୀନ ଟ୍ୟାଙ୍କର୍ ବିପଜ୍ଜନକ ଭାବେ ଭାସି ଭାସି ଯାଉଥିବା କଥା ତଟରକ୍ଷୀ କହିଛି । ତଟରକ୍ଷୀ ମୁଖପାତ୍ର ଅକ୍ଷୟ ଜୈନ କହିଛନ୍ତି ଯେ, ମୋର୍ମୁଗାଓ ବନ୍ଦର ଘଟଣାର ପ୍ରତିକାର କରୁଛି । ଆମେ ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖିଛୁ । ରାଜ୍ୟ ରାଜଧାନୀ ପାନାଜିର ଦକ୍ଷିଣ ପ୍ରାନ୍ତରେ ଜୁଆରି ନଦୀ ମୁହାଣରେ ମୋର୍ମୁଗାଓ ବନ୍ଦର ଅବସ୍ଥିତ । ଖରାପ ପାଗ ଯୋଗୁଁ ଉଠୁଥିବା ଉତ୍ତାଳ ଢେଉ ଏବଂ ଜୋର୍ ପବନ ଯୋଗୁଁ ଜାହାଜଟି ଛିଡ଼ି ଯାଇ ରାଜଧାନୀ ସହର ଅନ୍ତର୍ଗତ ଡାନା ପାଉଲା ଆଡ଼କୁ ଭାସି ଭାସି ଯାଉଛି । ଜାହାଜଟିକୁ ଅକ୍ତିଆର କରି ବନ୍ଦରକୁ ଫେରାଇ ଆଣିବାକୁ ଉଦ୍ୟମ ଚାଲିଛି ।
ଅନ୍ୟ ଏକ ଘଟଣାରେ ଦକ୍ଷିଣ ଗୋଆର ମୋବାର ଉପକୂଳ ଅନ୍ତର୍ଗତ ସମୁଦ୍ରରେ ଗୁରୁବାର ସକାଳେ ଗୋଟାଏ ମାଛଧରା ନୌକା ଓଲଟି ପଡ଼ିବାରୁ ପାଞ୍ଚଜଣ ମତ୍ସ୍ୟଜୀବୀ ଅଶାନ୍ତ ସମୁଦ୍ର ମଧ୍ୟକୁ ଖସିପଡ଼ିଥିଲେ । ଦୁଇ ଜଣ ପହଁରି ପହଁରି କୂଳରେ ପହଞ୍ଚିଥିବା ବେଳେ ଦୁଇ ଜଣଙ୍କୁ ଉଦ୍ଧାରକାରୀମାନେ ରକ୍ଷା କରିଥିଲେ । ଅନ୍ୟ ଜଣେ ନେିଖାଜ ହୋଇ ଯାଇଛନ୍ତି ।