ଭିଆଇପି ନାମଧାରୀ ଗାଁ
ରାଜସ୍ତାନର ବୁନ୍ଦିସ୍ଥିତ ରାମନଗର ଗ୍ରାମ ଦୀର୍ଘ ବର୍ଷ ଧରି ରହିଆସିଛ ଚର୍ଚ୍ଚାରେ । ଆଉ ଏହାର କାରଣ ହେଉଛି ଏଠାରେ ରହୁଥିବା ଲୋକଙ୍କ ନାମକୁ ନେଇ । ଜିଲ୍ଲାପାଳଙ୍କ ନାମଠାରୁ ଆରମ୍ଭ କରି ଦେଶର ରାଷ୍ଟ୍ରପତିଙ୍କ ନାମ ପର୍ଯ୍ୟନ୍ତ ନାମ ଥିବା ଲୋକେ ଏଠାରେ ରହୁଛନ୍ତି । ଏପରିକି ଲୋକଙ୍କ ନାମ ହାଇକୋର୍ଟ ମଧ୍ୟ ରହିଛି । ରାମନଗର ଗ୍ରାମରେ ଲୋକେ ଜାଣିଶୁଣି ବରିଷ୍ଠ ତଥା ସଫଳ ବ୍ୟକ୍ତିତ୍ୱଙ୍କ ନାମ ନିଜ ପିଲାଙ୍କୁ ଦେଇଛନ୍ତି । ସେମାନଙ୍କର ବିଶ୍ୱାସ ଯେ ଦିନେ ନା ଦିନେ ତାଙ୍କ ଗ୍ରାମର କେହି ଦେଶର ପ୍ରତିଷ୍ଠିତ ସ୍ଥାନରେ, ପଦବୀରେ ବସିବେ । ଏହି ଗ୍ରାମରେ ବୁଲୁ ବୁଲୁ ଆପଣ ସୋନିଆ ଗାନ୍ଧି, ରାହୁଳ ଗାନ୍ଧି, ପ୍ରିୟଙ୍କା ଗାନ୍ଧିଙ୍କୁ ମଧ୍ୟ ଭେଟିପାରିବେ । ଏଠାକାର ଜଣେ ଲୋକ ସ୍କୁଲ ଦୁଆର ମାଡ଼ିନଥିଲାବେଳେ ତାଙ୍କ ନାମ ରହିଛି ହାଇକୋର୍ଟ । ଏପରିକି ଆଧାର କାର୍ଡ, ରାସନକାର୍ଡ, ଡ୍ରାଇଭିଂ ଲାଇସେନ୍ସରେ ମଧ୍ୟ ତାଙ୍କ ନାମ ହାଇକୋର୍ଟ ବୋଲି ଉଲ୍ଲେଖ କରାଯାଇଛି । ଗ୍ରାମରେ ଅଧିକାଂଶ ଲୋକ କଂଗ୍ରେସ ଦଳକୁ ସମର୍ଥନ କରୁଥିଲାବେଳେ ସେମାନଙ୍କ ପୁଅ ଝିଅଙ୍କ ନାମ ରାହୁଳ, ସୋନିଆ, ପ୍ରିୟଙ୍କା ମଧ୍ୟ ଦେଇଛନ୍ତି । ସେହିଭଳି ଦସ୍ତଖତ ଜାଣିନଥିବା ଜଣେ ୫୦ବର୍ଷୀୟ ଶ୍ରମିକଙ୍କ ନାମ ହେଉଛି କଲେକ୍ଟର । ତାଙ୍କର ଯୁକ୍ତି ହେଉଛି ପିଲାବେଳେ ମୋର ଆଦବ୍କାଇଦାକୁ ଦୃଷ୍ଟିରେ ରଖି ମୋ ବାପା, ମାଆ ମୋ ନାମ କଲେକ୍ଟର ଦେଇଥିଲେ ।