ଭିଡିଓ କନଫରେନ୍ସିଂ ମାଧ୍ୟମରେ ଛତ୍ରପୁର ଇନ୍‌ଡୋର ଷ୍ଟାଡିୟମ୍ ଉଦ୍‌ଘାଟନ

ଛତ୍ରପୁର, (ଦେବଦତ୍ତ ମହାରଣା): ଗଞ୍ଜାମ ଜିଲ୍ଲା ଛତ୍ରପୁର ଓ ହିଞ୍ଜିଳିର ଇନ୍‌ଡୋର ଷ୍ଟାଡିୟମ୍‌କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି । ଏଥିସହ ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ହକି ଅଷ୍ଟ୍ରୋଟ୍ରପ୍ ନିର୍ମାଣ କରିବା ଲାଗି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ହକି ଟ୍ରପ୍ ନିର୍ମାଣ ଘୋଷଣା ହେବା ପରେ ଛତ୍ରପୁରବାସୀ ଏବଂ ହକି କ୍ରୀଡାପ୍ରେମୀଙ୍କ ଦୀର୍ଘ ଦିନର ସ୍ୱପ୍ନ ଆଜି ସାକାର ହୋଇଥିବା କହିଛନ୍ତି । ଏହି ପରିପ୍ରେକ୍ଷୀରେ ଛତ୍ରପୁରବାସୀ ଏବଂ ହକି ପ୍ରେମୀମାନେ ମୁଖ୍ୟମନ୍ତ୍ରୀ ଏବଂ ଜିଲ୍ଲା ପ୍ରଶାସନକୁ ସାଧୁବାଦ ଜ୍ଞାପନ କରିଛନ୍ତି । ଛତ୍ରପୁର ଷ୍ଟାଡିୟମ ପରିସରରେ ନିର୍ମିତ ଇଣ୍ଡୋର ଷ୍ଟାଡିୟମରେ ୨ କୋଟି ୬୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ହିଞ୍ଜିଳିରେ ନିର୍ମିତ ଇଣ୍ଡୋର ଷ୍ଟାଡିୟମରେ ୧୦ କୋଟି ୯୮ ଲକ୍ଷ ୭୫ ହଜାର ୨୨୭ ଟଙ୍କା ବିନିଯୋଗ ହୋଇଛି । ଷ୍ଟାଡିୟମର ଉଦ୍‌ଘାଟନୀ ଅବସରରେ ଛତ୍ରପୁର ଠାରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଇବା ସହ ବିକାଶ ଦିଗରେ ଏକ ନମ୍ବର ମୁଖ୍ୟମନ୍ତ୍ରୀ ବୋଲି କହିଛନ୍ତି । ଓଡିଶା ପ୍ରଦେଶ କହିଲେ ପୂର୍ବରୁ ପ୍ରବାଦ ପୁରୁଷ ବିଜୁବାବୁ ଓ ଶ୍ରୀଜଗନ୍ନାଥଙ୍କୁ ବୁଝାଉଥିଲା । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିକାଶ ଧାରା ତଥା ସବୁସ୍ତରରେ ପ୍ରଶଂସା ଅର୍ଜନ କରି ବିଶ୍ୱ ଦରବାରରେ ଓଡିଶାକୁ ପହଞ୍ଚାଇଛନ୍ତି । ଗଞ୍ଜାମ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ଲାଗି ମୁଖ୍ୟମନ୍ତ୍ରୀ ନେଉଥିବା ପଦକ୍ଷେପକୁ ଆଜି ଗଞ୍ଜାମ ଜିଲ୍ଲାବାସୀ ଭୂୟଶ୍ରୀ ପ୍ରଶଂସା ଜଣାଇବା ସହ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରିଥିବା ନେଇ ଶ୍ରୀ ସାହୁ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉସାହେବ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି, ବିଡିଓ ଅମ୍ବିକା ପ୍ରସାଦ ଦାଶ, ତହସିଲଦାର ନୀଳମାଧବ ଭୋଇ, ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରବି ନାରାୟଣ ବେହେରା,ଏନ୍‌ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ୍‌.ଗଣେଶ ବାବୁ, ପୁର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ତପନ କୁମାର ପାଣିଗ୍ରାହୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ଟି.ଲୋକେଶ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ହିଞ୍ଜିଳି ଠାରେ ଆସିକା ସାଂସଦ ପ୍ରମିଳା ବିଷୋୟୀ, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପ୍ରମୁଖ ଉପସ୍ଥିତ ଥିଲେ । ହିଞ୍ଜିଳି ଇଣ୍ଡୋର ଷ୍ଟାଡିୟମ ଠାରେ ୪ଟି ବ୍ୟାଡମିଣ୍ଟନ କୋର୍ଟ, ଚେସ୍‌, ଟେବୁଲ ଟେନିସ୍‌, ବାସ୍କେଟବଲ୍ ଖେଳିବା ପାଇଁ ସୁବିଧା ରହିଥିବା ବେଳେ ଛତ୍ରପୁର ଠାରେ ୩ଟି ବ୍ୟାଡମିଣ୍ଟନ କୋର୍ଟ, ଟେବୁଲ ଟେନିସ୍ ଓ ଚେସ୍ ଖେଳିବା ଲାଗି ସୁବିଧା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ