ଭିନ୍ନକ୍ଷମଙ୍କୁ ଯନ୍ତ୍ର ଚାଳିତ ତିନି ଚକିଆ ସାଇକେଲ ପାଇଁ ପରିକ୍ଷଣ ଶିବିର

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଲମିକୋ ସହାୟତାରେ ଜିଲ୍ଲାର ସମସ୍ତ ବ୍ଲକରେ ସେପ୍ଟେମ୍ବର ୩୦ତାରିଖରୁ ଅକ୍ଟୋବର ୪ତାରିଖ ମଧ୍ୟରେ ୮୦ପ୍ରତିଶତରୁ ଅଧିକ ଭିନ୍ନକ୍ଷମତା ଥିବା ପୋଲିଓ ପରବର୍ତ୍ତୀ ସ୍ଥାୟୀ ମାଂସପେଶୀ ଦୁର୍ବଳତା, ଅଙ୍ଗ ଛେଦନ, ଶରୀର ନିମ୍ନଅଙ୍ଗର ଆଂଶିକ ମାଂସପେଶୀ ଦୁର୍ବଳତା, ଦୁଇ ଗୋଡ ପାରାଲିଶିସ (ଦୁର୍ବଳତା) ଓ ଲୋୟର ଳିମ୍ବ ମସଲ ଦୁର୍ବଳତା ବା ଅସୁସ୍ଥତାଙ୍କୁ ପରୀକ୍ଷା କରାଯାଇ ୭୫ ଜଣଙ୍କୁ ଚିହ୍ନଟ କରଯାଇଥିଲା । ୬୦ରୁ ୭୯ପ୍ରତିଶତ ଉପରୋକ୍ତ ପ୍ରକାର ଭିନ୍ନକ୍ଷମତା ଥିବା ବ୍ୟକ୍ତିମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ପରୀକ୍ଷଣ ଶିବିର ଆଜି କେନ୍ଦ୍ରାପଡା ପୈାରସଂସ୍ଥା ଟାଉନ ହଲରେ ଅନୁଷ୍ଠିତ ହୋଇଥିଲା । ମୋଟ ୧୭୪ ଜଣ ଭିନ୍ନକ୍ଷମ ଏଥିରେ ଯୋଗ ଦେଇ ନାମ ପଞ୍ଜିକୃତ କରିଥିଲେ । ଭୁବନେଶ୍ୱରର ଆଲମିକୋରୁ ଆସିଥିବା ଦୁଇଜଣ ବିଶେଷଜ୍ଞ ସେମାନଙ୍କୁ ପରୀକ୍ଷା କରି ୮୦ପ୍ରତିଶତ ବା ତଦୁର୍ଦ୍ଧ ୧୩ ଜଣ, ୭୦ପ୍ରତିଶତରୁ ଉର୍ଦ୍ଧ ୪୭ ଜଣ ଓ ୬୦ପ୍ରତିଶତରୁ ଉର୍ଦ୍ଧ ୪୪ ଜଣଙ୍କୁ ଚୟନ କରି ରିପୋର୍ଟ ପ୍ରଦାନ କରିଛନ୍ତି । ସର୍ବମୋଟ ୧୦୪ ଜଣ ଭିନ୍ନକ୍ଷମ ଏହି ଯନ୍ତ୍ର ଚାଳିତ ତିନି ଚକିଆ ସାଇକେଲ ପାଇବାକୁ ଯୋଗ୍ୟ ହୋଇଥିବା ବେଳେ ସର୍ବମୋଟ ୧୭୯ ଏହି ଜିଲ୍ଲାର ପାଇବେ ବୋଲି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ସୂଚନା ଦେଇଛନ୍ତି । ଆଇଓସିଏଲ ୧୦୪ ଜଣଙ୍କୁ ଏହି ସାଇକେଲ ଦେବାର ବ୍ୟବସ୍ଥା ଜିଲ୍ଲା ପ୍ରଶାସନ ଜରିଆରେ କରିଥିବା ବେଳେ ଅନ୍ୟ ୭୫ ଜଣଙ୍କୁ ଜିଲ୍ଲା ପ୍ରଶାସନ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (ସିଏମଆରଏଫ) ରୁ ଯୋଗାଇଦେବାକୁ ଜିଲ୍ଲାପାଳ ମଞ୍ଜୁରୀ ଦେଇଥିବା ଜଣାଯାଏ । ଆସନ୍ତା ମାସରେ ଏକ ବୃହତ ବଣ୍ଟନ ମେଳା କରାଯାଇ ଉପରୋକ୍ତ ୧୭୯ ଜଣ ଭିନ୍ନକ୍ଷମଙ୍କୁ ସାଇକେଲ ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନ ବ୍ୟବସ୍ଥା କରୁଥିବା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ଠାରୁ ଜଣାପଡିଛି । ଏହି ଶିବିରକୁ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରିଣୀ ରୂପାଲୀ ପ୍ରିୟଦର୍ଶିନୀଙ୍କ ନେତୃତ୍ୱରେ ଜିଲ୍ଲାର ସମସ୍ତ ବ୍ଲକ ଓ ପୈାରସଂସ୍ଥାର ସାମାଜିକ ସୁରକ୍ଷା କର୍ମଚାରୀମାନେ ସଫଳ ରୂପାୟନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ