ଭିନ୍ନକ୍ଷମଙ୍କ ଅଧିକାର ଆଇନ-୨୦୧୬ ସମ୍ବନ୍ଧେ କର୍ମଶାଳା
କୋରାପୁଟ,(ହେମନ୍ତ ପାଣଗ୍ରାହୀ): ଭିନ୍ନକ୍ଷମଙ୍କ ଅଧିକାର ଆଇନ-୨୦୧୬ ସମ୍ବନ୍ଧେ ଏକ କର୍ମଶାଳା ସହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ, କୋରାପୁଟର ଅଧ୍ୟାପନା ପ୍ରକୋଷ୍ଟ ଠାରେ ଆୟୋଜିତ ହୋଇଯାଇଛି। ଏହି କର୍ମଶାଳା ଆୟୋଜନ କରିବାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଭିନ୍ନକ୍ଷମ ମାନଙ୍କ ସୁରକ୍ଷା ଓ ସେମାନଙ୍କ ଅଧିକାର ଏବଂ ବିଭିନ୍ନ ଆଇନ ଉପରେ ସଚେତନ କରାଇବା ସହିତ ସେମାନଙ୍କ ଜରିଆରେ ସମାଜର ଅନ୍ୟ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା।
ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବରେ ଉପ-ଜିଲ୍ଲାପାଳ, କୋରାପୁଟ ଶ୍ରୀ ବେଣୁଧର ଶବର ଯୋଗ ଦେଇଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଡଃ. ମୁକ୍ତିକାନ୍ତ ଖଟୁଆ, ଜିଲ୍ଲା ମଖ୍ୟ ଚିକିତ୍ସାଳୟ, କୋରାପୁଟ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, କୋରାପୁଟ ଶ୍ରୀମତୀ ପୁଷ୍ପାଞ୍ଜଳି ପଟନାୟକ, ଏଲ. ଡି.ଏମ୍. କୋରାପୁଟ ଶ୍ରୀ ଦେବେନ୍ଦ୍ର ତ୍ରିପାଠୀ, ଡେପୁଟି ସିଇଓ, ଓରମାସ୍, ଶ୍ରୀ ରୋଷନ କାର୍ତ୍ତିକ, ଡି.ପି.ଏମ୍. ଓ.ଏଲ୍.ଏମ୍ ଶ୍ରୀମତୀ ପ୍ରିୟଙ୍କା ବିଷୋୟି ଯୋଗଦାନ କରିଥିଲେ। ଏହି ଭିନ୍ନକ୍ଷମଙ୍କ ଅଧିକାର ଆଇନ-୨୦୧୬ କର୍ମଶାଳାକୁ ଶ୍ରୀ ରଞ୍ଜିତ କୁମାର ମହାପାତ୍ର, ସାଧନା ବେସରକାରୀ ସଂସ୍ଥା, ମୟୁରଭଞ୍ଜ, ଉପସ୍ଥିତ ଥିବା ଦିବ୍ୟାଙ୍ଗ ମାନଙ୍କୁ ଭିନ୍ନକ୍ଷମ ଅଧିକାର ଆଇନ ଉପରେ ବିସ୍ତୃତ ଭାବରେ ବୁଝାଇ ଥିଲେ । କୋରାପୁଟ ଜିଲ୍ଲାର ୧୪ଟି ବ୍ଲକ ଏବଂ ୪ଟି ପୌରପାଳିକାରୁ ୯୦ ଜଣ ଦିବ୍ୟାଙ୍ଗ ଏହି କର୍ମଶାଳାରେ ଯୋଗଦାନ କରିଥିଲେ।
ଏହି କର୍ମଶାଳାକୁ ଶ୍ରୀ ତରୁଣ ତପନ ପ୍ରହରାଜ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, କୋରାପୁଟ, ଶ୍ରୀମତୀ ଆହାନା ବୈଦ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ, କୋରାପୁଟ ଆୟୋଜନ ଓ ପରିଚାଳନା କରିଥିଲେ ।