ଭିନ୍ନକ୍ଷମ ପ୍ରମାଣପତ୍ର ନଥିବାରୁ ସରକାରୀ ସହାର୍ଯ୍ୟରୁ ବଂଚିତ ଦଳିତ ଯୁବକ
ନାଉଗାଁ, (ଓ୍ବାଇଏନ୍ଏସ୍):ଅଜଣା ରୋଗରେ ପୀଡିତ ଦଳିତ ଯୁବକ । ଭିନ୍ନକ୍ଷମ ପ୍ରମାଣପତ୍ର ନଥିବାରୁ ସରକାରୀ ସାହାର୍ଯ୍ୟରୁ ବଂଚିତ । ଚାଲି ପାରୁ ନଥିବା ବେଳେ ଟ୍ରାଇ ସାଇକେଲ୍ ପାଇଁ ପରିବାରଙ୍କ ପକ୍ଷରୁ ପ୍ରଶାସନକୁ ନିବେଦନ । ଏହିଭଳି ଦୃଶ୍ୟ ଦେଖିବାକୁ ମିଳୁଛି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ତିରୁଣା ପଂଚାୟତ ଦହିପାଳ ଗ୍ରାମର ବୈରାଗୀ ରାଉତଙ୍କ ଘରେ । ବୈରାଗୀଙ୍କ ପରିବାର କହିଲେ ପତ୍ନୀ ଶକୁନ୍ତଳା, ଗୋଟିଏ ଝିଅ ଓ ଗୋଟିଏ ପୁଅ । ଅଚାନକ ତାଙ୍କ ପରିବାରକୁ ମାଡି ବସିଲା ଦୁଃଖର ପାହାଡ । ବର୍ତମାନ ବୈରାଗୀଙ୍କ ଏକ ମାତ୍ର ପୁଅ ବାସୁଦେବକୁ ୧୮ ବର୍ଷ । ହଠାତ୍ ବାସୁଦେବ ଅଜଣା ରୋଗରେ ପୀଡିତ ହେବାରୁ ଚାଲି ପାରୁ ନଥିବା ବେଳେ ଗୋଟିଏ ଜାଗାରେ ପଡି ରହିଛନ୍ତି । ପରିବାରର ସୂଚନା ମୁତାବକ ବାସୁଦେବ ନିକଟସ୍ଥ ନନ୍ଦକେଶ୍ୱର ଉଚ୍ଚ ବିଦ୍ୟାଳୟରେ ପାଠ ପଢୁଥିଲେ । ୨୦୧୫ ମସିହାରେ ହଠାତ ବାସୁଦେବର ଦେହ ଖରାପ ହେଲା । ଧୀରେ ଧୀରେ ଗୋଡ ଅଚଳ ହେବା ସହିତ ଅଂଟା ପର୍ଯ୍ୟନ୍ତ ଅଚଳ ହୋଇଗଲା । ସେହିଦିନ ଠାରୁ ପାଠପଢା ବନ୍ଦ ହୋଇଗଲା । ଆର୍ଥିକ ଅନଗ୍ରସର ସହିତ ଦଳିତ ଶ୍ରେଣୀର ଲୋକ ହୋଇଥିବାରୁ ଅର୍ଥାଭାବ ସତ୍ୱେ ପୁଅକୁ ଭଲ କରିବା ପାଇଁ ବାପ,ମା ଦୁଇ ଜଣ ପାରିବା ପର୍ଯ୍ୟନ୍ତ ଚେଷ୍ଟା ଚଳାଇଲେ । ଡାକ୍ତରଙ୍କ ପରାମର୍ଶ କ୍ରମେ ସବୁ ପରୀକ୍ଷା ନିରୀକ୍ଷା ବି କଲେ ହେଲେ ରିପୋର୍ଟରେ କିଛି ବାହାରିଲା ନାହିଁ ବୋଲି ବାସୁଦେବଙ୍କ ବାପା ବୈରାଗୀ ପ୍ରକାଶ କରିଛନ୍ତି । ପୁଅକୁ ପାଠ ପଢାଇ ଭଲ ମଣିଷ କରିବାର ସ୍ୱପ୍ନ ତାଙ୍କର ସ୍ୱପ୍ନରେ ରହିଗଲା । ପରେ ଘରେ ପତି, ପତ୍ନୀ ଦୁଇ ଜଣ ମୂଲ ଲାଗି ପରିବାର ପ୍ରତିପୋଷଣ କରୁଥିବା ବେଳେ ପୁଅର ଔଷଧ ପତ୍ର ଖର୍ଚ୍ଚ ତୁଲାଉଛନ୍ତି । ବେଳେ ବେଳେ ଉକ୍ତ ପରିବାର ଅର୍ଥାଭାବ ଯୋଗୁ ଆବଶ୍ୟକୀୟ ଖର୍ଚ୍ଚ ମଧ୍ୟ କରି ପାରୁ ନାହାନ୍ତି । ପୁଅର ବୟସ ବଢିବା ସହିତ ଚିନ୍ତା ମଧ୍ୟ ବଢୁଛି । ବାସୁଦେବର ଗୋଡ ଚଳୁ ନଥିବାରୁ ଖାଇବା, ପିଇବା ଠାରୁ ଆରମ୍ଭ କରି ଶୌଚ ପର୍ଯ୍ୟନ୍ତ ପରିବାର ଉପରେ ନିର୍ଭର କରିଥାନ୍ତି । ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ଭିନ୍ନକ୍ଷମ ପ୍ରମାଣପତ୍ର ନଥିବାରୁ ସରକାରଙ୍କ ପ୍ରଦତ ଭିନ୍ନକ୍ଷମ ଭତାରୁ ସେ ବଂଚିତ ହୋଇଛନ୍ତି । ହୁଏତ ଭତା ଗଣ୍ଡାକ ମିଳିଲେ ବାସୁଦେବର ଔଷଧ ଖର୍ଚ୍ଚ ହୋଇପାରନ୍ତା ବୋଲି ବାପା ବୈରାଗୀ ପ୍ରକାଶ କରିଛନ୍ତି । ସେହିପରି ଟ୍ରାଇ ସାଇକେଲ ହେଲେ କିଛି ସମୟ ବସି ବାହାରେ ବୁଲି ପାରନ୍ତା ବୋଲି ପରିବାର ପକ୍ଷରୁ କୁହାଯାଇଛି । ତେଣୁ ଏକ ଟ୍ରାଇ ସାଇକେଲ ପାଇଁ ପରିବାର ପକ୍ଷରୁ ପ୍ରଶାସନକୁ ନିବେଦନ କରାଯାଇଛି । ପୁଅକୁ ଭଲ କରିବା ସହିତ ଭଲ ଡାକ୍ତର ଦେଖାଇବା ପାଇଁ ଆର୍ଥିକ ସମ୍ବଳ ନଥିବାରୁ କିଛି ସରକାରୀ ସାହାର୍ଯ୍ୟ ମିଳିଲେ ହୁଏତ ମୋ ପୁଅ ଭଲ ହୋଇ ଯାଆନ୍ତା ବୋଲି ମା ଶକୁନ୍ତଳା ଦୁଃଖଭରା କଣ୍ଠରେ କହିଛନ୍ତି । ବାସୁଦେବକୁ ଭିନ୍ନକ୍ଷମ ଭତା, ଟ୍ରାଇ ସାଇକେଲ ପ୍ରଦାନ ପାଇଁ ସ୍ଥାନୀୟ ଅଂଚଳବାସୀ ସମେତ ପ୍ରତିରଂଜନ ଜେନା, ପ୍ରେମାନନ୍ଦ ରାଉତ, ସୁରେଶ ମଲ୍ଲିକ, ବୈରାଗୀ ଦାସ ପ୍ରମୁଖ ପ୍ରଶାସନ ନିକଟରେ ଦାବି କରିଛନ୍ତି । ଏବିଷୟରେ ବ୍ଳକ ସମାଜ ମଙ୍ଗଳ ଅଧିକାରୀ ଦେବାଶୀଷ ସ୍ୱାଇଁ ଙ୍କୁ ପଚାରିବାରେ-ଏ ବିଷୟରେ ମୁଁ ଅବଗତ ନଥିଲି । ଖୁବ ଶୀଘ୍ର ତାଙ୍କୁ ଟ୍ରାଇସାଇକେଲ ଓ ଭୀନ୍ନକ୍ଷମ ପ୍ରମାଣପତ୍ର ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଥିଲେ ।


