ଭିନ୍ନମୋଡ଼ ନେଲା ଛାତ୍ରୀ ଆତ୍ମହତ୍ୟା ଘଟଣା : ଜେଲ ଗଲା ପୁରୁଷ ବନ୍ଧୁ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ଜିଲ୍ଲାର ପାଟକୁରା ଥାନା ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତ ମହମ୍ମୁଦା ଗ୍ରାମର ଛାତ୍ରୀ ଶୁଭ୍ରାଶୁଭଦର୍ଶିନୀ ଆତ୍ମହତ୍ୟା ଘଟଣା ମଙ୍ଗଳବାର ଭିନ୍ନମୋଡ ନେଇଛି । ଥାନାରୁ ନ୍ୟାୟ ନ ମିଳିବାରୁ ଯୁବତୀ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଥିବା ବେଳେ ପ୍ରେମ ବ୍ୟାପାରକୁ ନେଇ ଏହି ଆତ୍ମହତ୍ୟା ହେଇଥିବା ପୋଲିସ କହିଛି । ଏହି ଆତ୍ମହତ୍ୟା ପାଇଁ ମୃତା ଯୁବତୀଙ୍କ ପୁରୁଷ ବନ୍ଧୁ ଉକ୍ତ ଗ୍ରାମର ଶଶିକାନ୍ତ ସାମଲଙ୍କୁ ପୋଲିସ ଗିରଫ କରି ଜେଲକୁ ପଠାଇଦେଇଛି । ଯୁବତୀ ଜଣକ ଆତ୍ମହତ୍ୟା କରିବା ପାଇଁ ତାଙ୍କ ପୁରୁଷ ବନ୍ଧୁ ଦାୟୀ ବୋଲି ପୋଲିସ କହିଛି । ସୂଚନା ଥାଉକି ଗତ ୧୫ ତାରିଖରେ ମହମ୍ମୁଦା ଗ୍ରାମର ଶୁଭ୍ରାଶୁଭଦର୍ଶିନୀ ନିଜ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ପୂର୍ବରୁ ଏକ ରାଜନୈତିକ ପରିବାର ସହ ତାଙ୍କ ପରିବାରର ଗଣ୍ଡଗୋଳ ଘଟିଥିଲା । ଥାନାରୁ ନ୍ୟାୟ ନ ପାଇବାରୁ ସେ ଆତ୍ମହତ୍ୟା କରିଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଉପରେ ପୋଲିସ ସଂପୃକ୍ତ ରାଜନେତାଙ୍କ ପରିବାରର ଦୁଇଜଣଙ୍କୁ ଉଠାଇ ଆଣି ପଚରା ଉଚରା କରିଥିଲା । ହେଲେ ତଦନ୍ତ ବେଳେ ଜଣାପଡିଲା ଯେ ସେମାନେ ଏଥିପାଇଁ ଦାୟୀ ନୁହଁନ୍ତି । ଯୁବତୀ ଜଣକ ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ । ପ୍ରେମ ଓ ପ୍ରତାରଣାକୁ କେନ୍ଦ୍ରକରି ସେ ଆତ୍ମହତ୍ୟା କରିଥିବା ପୋଲିସ ସୂଚନା ଦେଇଛି । ଯୁବତୀଙ୍କ ମା’ ଅଭିଯୋଗରେ ଯେଉଁମାନଙ୍କ ନାମ ଦର୍ଶାଇଥିଲେ ସେମାନେ ପୋଲିସ ତଦନ୍ତ ବେଳେ ଅଭିଯୁକ୍ତ ବୋଲି ପ୍ରମାଣିତ ହୋଇପାରିଲେ ନାହିଁ । ତେଣୁ ପୋଲିସ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।